ଇଡି ଟିମ୍ ଉପରେ ଆକ୍ରମଣ ପରେ ତେଜିଲା ରାଜନୀତି, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କଲେ ବିଜେପି, କଂଗ୍ରେସ | News Room Odisha

ଇଡି ଟିମ୍ ଉପରେ ଆକ୍ରମଣ ପରେ ତେଜିଲା ରାଜନୀତି, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କଲେ ବିଜେପି, କଂଗ୍ରେସ

କୋଲକାତା: ରାସନ୍ ଦୁର୍ନୀତି ମାମଲାରେ ଶାସକ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଉଠିଛି । ଆକ୍ରମଣରେ ତିନିଜଣ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ କରିଥିବା ଲୋକ ଟିଏମସି ସମର୍ଥକ ବୋଲି କୁହାଯାଉଛି। ସେମାନେ ଇଡି ଅଧିକାରୀଙ୍କ ମୋବାଇଲ୍ ଫୋନ୍, ଲାପଟପ୍, ନଗଦ ଟଙ୍କା ଏବଂ ୱାଲେଟ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତିନୋଟି ଏଫ୍ଆଇଆର୍ ରୁଜୁ କରିଛି ପଶ୍ଚିମବଙ୍ଗ ପୋଲିସ ।

ଇଡି ଟିମ୍ ଉପରେ ଆକ୍ରମଣ ପରେ ବିରୋଧୀ କଂଗ୍ରେସ ଓ ବିଜେପି ମମତା ବାନାର୍ଜୀ‌ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତିି ‌। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରି ବିଜେପି ଓ କଂଗ୍ରେସ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତିି।

ଏହି ଘଟଣା ପରେ ଗୋଟିଏ ପଟେ ବିରୋଧୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଥିବାବେଳେ ଅନ୍ୟପଟେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ସମସ୍ତ ସାମ୍ବିଧାନିକ ବିକଳ୍ପ ଉପରେ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରି କହିଛନ୍ତି, ‘ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଉଛି। ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଏହା ଏକ ଉପଯୁକ୍ତ କେସ୍ । ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି।

ବିଜେପି ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଘଟିଥିବା ଘଟଣାକୁ ସଂଘୀୟ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ ବୋଲି କହିଥିବା ବେଳେ ରାଜ୍ୟରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି କଂଗ୍ରେସ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ସହ ତୁଳନା କରିଛନ୍ତି। ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ଏଥିରେ ରୋହିଙ୍ଗ୍ୟାଙ୍କ ହାତ ରହିଛି। ଭବିଷ୍ୟତରେ ବଙ୍ଗୀୟମାନଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ ବୋଲି ସେ କହିଛନ୍ତି।

ତେବେ ବିରୋଧୀଙ୍କ ଅଭିଯୋଗକୁ ଶାସକ ଟିଏମସି ଖଣ୍ଡନ କରିଛି । କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଉତ୍ତେଜିତ କରିଥିବା ପାଲଟା ଅଭିଯୋଗ କରିଛି ଟିଏମସି।

ଇଡି ଅଧିକାରୀମାନେ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କ ବାସଭବନରେ ଚଢ଼ାଉ ବେଳେ ଶାହାଜାହାନଙ୍କ ସମର୍ଥକଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସମର୍ଥକମାନେ ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ | ଶାହାଜାହାନ ରାଜ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ବହୁକୋଟି ଟଙ୍କାର ରାସନ ଦୁର୍ନୀତି ମାମଲାରେ ପୂର୍ବରୁ ଜ୍ୟୋତିପ୍ରିୟା ମଲ୍ଲିକ ଗିରଫ କରାଯାଇଛି ।