ଝିଅର ‘ବେଆଇନ ବାର୍’ ନେଇ ଅଡୁଆରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ବହିଷ୍କାର ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ‘ବେଆଇନ ବାର୍’ ଚଳାଉଥିବା ଅଭିଯୋଗ ହେବା ପରେ କଂଗ୍ରେସ ମନ୍ତ୍ରିମଣ୍ଡଳରୁ ଇରାନୀଙ୍କ ବହିଷ୍କାର ଦାବି କରିବା ସହ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି ।

କଂଗ୍ରେସ ଦଳ ଏକ ବିବୃତ୍ତି ଜାରି କରି କହିଛି ଯେ, “କେନ୍ଦ୍ର ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀଙ୍କ ପରିବାର ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ହୋଇଛି । ଗୋଆରେ ତାଙ୍କ ଝିଅଙ୍କ ଦ୍ୱାରା ପରିଚାଳିତ ଏକ ରେଷ୍ଟୁରାଣ୍ଟରେ ମଦ ବିକ୍ରି ପାଇଁ ନକଲି ଲାଇସେନ୍ସ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏବଂ ଏହି ଅଭିଯୋଗ କୌଣସି ‘ସୂତ୍ରରୁ’ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବରଂ ଏହା ଆରଟିଆଇ ଜବାବରେ ଖୁଲାସା ହୋଇଛି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀଙ୍କ ଝିଅ ଜୋଏଶ ଇରାନୀ ତାଙ୍କ ‘ସିଲି ସୋଲ୍ସ କାଫେ ଏବଂ ବାର୍’ ପାଇଁ ନକଲି କାଗଜପତ୍ର ବ୍ୟବହାର କରିଛନ୍ତି। ପ୍ରଧାନମନ୍ତ୍ରୀ ତୁରନ୍ତ ସ୍ମୃତି ଜୁବିନ ଇରାନୀଙ୍କୁ କ୍ୟାବିନେଟରୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରେସ ମଧ୍ୟ ସ୍ମୃତି ଇରାନୀଙ୍କ ଝିଅଙ୍କ ବାର୍ କୁ ଗୋଆ ପ୍ରଶାସନ ତରଫରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଏକ ନକଲ ମଧ୍ୟ ସେୟାର କରିଛି । କଂଗ୍ରେସ ଦାବି କରିଛି ଯେ ଇରାନୀଙ୍କ ଝିଅଙ୍କ ବାରକୁ ନୋଟିସ୍ ଜାରି କରିଥିବା ଅଧିକାରୀଙ୍କୁ ଚାପରେ ବଦଳି କରାଯାଉଛି।

ଅନ୍ୟପକ୍ଷରେ ‘ବେଆଇନ ବାର୍’ ସହ ଜଡିତ ଅଭିଯୋଗ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଜୋଏଶ ଶନିବାର ମୁହଁ ଖୋଲିଛନ୍ତି । ସେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେ ଏହି ରେଷ୍ଟୁରାଣ୍ଟ ଚଳାଉ ନାହାଁନ୍ତି କିମ୍ବା ସେ ଏହାର ମାଲିକ ନୁହଁନ୍ତି।

Comments are closed.