କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି: ମନୀଷ ତିଓ୍ବାରୀ, କମଲନାଥ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ ପ୍ୟାନେଲ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ ରୁ ଆରମ୍ଭ ହୋଇ ୩୦ରେ ଶେଷ ହେବ। ଅକ୍ଟୋବର ୧ରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ଅକ୍ଟୋବର ୮ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ | ଯଦି ସଭାପତି ପଦ ଦୌଡ଼ରେ ଏକାଧିକ ପ୍ରାର୍ଥୀ ରହିଥାନ୍ତି, ତେବେ ଅକ୍ଟୋବର ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ | ଅକ୍ଟୋବର ୧୯ରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ହେବ |

ଦୀପାବଳି ପୂର୍ବରୁ କଂଗ୍ରେସ ଏକ ନୂଆ ସଭାପତି ପାଇବ ବୋଲି ଆଶା କରାଯାଉଛି। ରାହୁଲ ଗାନ୍ଧୀ ଏହି ଦୌଡ଼ରୁ ପ୍ରାୟ ବାହାରେ ଅଛନ୍ତି। ଯଦି ରାହୁଲ ଗାନ୍ଧୀ ସଭାପତି ପଦ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଦୁଇ ଦଶନ୍ଧି ପରେ ଗାନ୍ଧୀ ପରିବାର ବାହାରୁ ଜଣେ ବ୍ୟକ୍ତି ସଭାପତି ପଦ ଅଳଙ୍କୃତ କରିବେ ।

ତେବେ କଂଗ୍ରେସରେ ନୂଆ ସଭାପତି କିଏ ହେବେ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଭେଟେରାନ ନେତା ଶଶି ଥରୁରଙ୍କ ପରେ ସାଂସଦ ମନୀଷ ତିୱାରୀ ମଧ୍ୟ ସଭାପତି ଲଢ଼େଇରେ ସାମିଲ ହେବା ନେଇ ଆଲୋଚନା ହେଉଛି। ଅଶୋକ ଗେହଲୋଟ୍ ବୁଧବାର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଶଶି ଥରୁର ମଧ୍ୟ ଦଳର ନିର୍ବାଚନ ପ୍ୟାନେଲ ମୁଖ୍ୟଙ୍କୁ ଭେଟି ନାମାଙ୍କନ ପତ୍ର ବିଷୟରେ ପଚାରି ବୁଝିଛନ୍ତି। ଅନ୍ୟପକ୍ଷରେ ମନୀଷ ତିୱାରୀ ତାଙ୍କ ସହକର୍ମୀଙ୍କ ସହ ଲଗାତର ବିଚାର ବିମର୍ଷ ଜାରି ରଖିଛନ୍ତି । ସେପଟେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ବି ନିର୍ବାଚନ ଲଢ଼ିବାକୁ ସଙ୍କେତ ଦେଇଛନ୍ତି। ଏପରିକି ଦଳର ଆଉ ଜଣେ ଭେଟେରାନ କମଲ ନାଥ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି ।

ବୁଧବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସୋନିଆ ଗାନ୍ଧୀଙ୍କୁ ଭେଟି କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଦେଇଛନ୍ତି। ଏହି ବୈଠକରେ ସୋନିଆ ଗାନ୍ଧୀ ସ୍ପଷ୍ଟ କରିଥିଲେ ଯେ ଦଳର ସଭାପତି ନିର୍ବାଚନ ମୁକ୍ତ ଓ ନିରପେକ୍ଷ ହେବ । ଏବଂ ସେ କୌଣସି ପ୍ରାର୍ଥୀତ୍ବକୁ ବ୍ୟକ୍ତିଗତ ଭାବେ ଅନୁମୋଦନ କରିବେ ନାହିଁ। ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ନିର୍ବାଚନରେ ​​ଜିତିବା ପରେ ‘ଏକ ବ୍ୟକ୍ତି ଏକ ପଦ’ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଆସନ୍ତା ନିର୍ବାଚନ ନିଶ୍ଚିତ ଭାବରେ ଐତିହାସିକ ହେବ । କାରଣ ଯିଏ ବି ଦଳର ନୂଆ ସଭାପତି ହେବେ, ସେ ସବୁଠୁ ଦୀର୍ଘ ଦିନ ଧରି ଅଧ୍ୟକ୍ଷ ରହିଥିବା ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ। ସୋନିଆ ଗାନ୍ଧୀ ୧୯୯୮ ରୁ ୨୦୧୭ ପର୍ଯ୍ୟନ୍ତ ଦଳର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ରାହୁଲ ଗାନ୍ଧୀ ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । କିନ୍ତୁ ଲୋକସଭା ନିର୍ବାଚନରେ ​​ପରାଜୟ ପରେ ରାହୁଲ ଗାନ୍ଧୀ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ, ଯାହା ପରେ ସୋନିଆଙ୍କୁ ପୁଣି ଦଳର କମାଣ ସମ୍ଭାଳିବାକୁ ପଡିଥିଲା।

Comments are closed.