ରାଜସ୍ଥାନ ସଙ୍କଟ: ଗେହଲୋଟ୍ ଗୋଷ୍ଠୀର ତିନି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ରାଜନୈତିକ ଅସ୍ଥିରତା ମଧ୍ୟରେ ହାଇକମାଣ୍ଡ କଂଗ୍ରେସ ବିଧାୟକ ଦଳର ବୈଠକ ବର୍ଜନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗେହଲୋଟ୍ ଗୋଷ୍ଠୀର ତିନିଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କଂଗ୍ରେସ ଶୃଙ୍ଖଳା କମିଟି ମଙ୍ଗଳବାର ରାତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିୱାଲ, ଦଳର ମୁଖ୍ୟ ସଚେତକ ମହେଶ ଯୋଶୀ ଏବଂ ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ସିଂ ରାଠୋଡଙ୍କୁ ନୋଟିସ ଜାରି କରାଯାଇଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତାଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି ବୋଲି ମନେ କରାଯାଉଛି । ଏଭଳି ସ୍ଥିତିରେ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ସମ୍ଭାବନା ରହିଛି। ଏଥିସହ ଗେହଲୋଟ୍ ଜାତୀୟ ସଭାପତିଙ୍କ ନାମାଙ୍କନ ଉପରେ ସନ୍ଦେହ ରହିଛି। ରାଜସ୍ଥାନ ବିଦ୍ରୋହ ନେଇ ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ୍ ଖଡଗେଙ୍କ ଦ୍ବାରା ଦାଖଲ ରିପୋର୍ଟରେ ତିନି ନେତାଙ୍କୁ ବିଶୃଙ୍ଖଳା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି । ଦୋଷୀ ତିନି ନେତାଙ୍କୁ ୧୦ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି ।

ସଂସଦୀୟ ମନ୍ତ୍ରୀ ହୋଇଥିଲେ ମଧ୍ୟ ଧରିୱାଲ ତାଙ୍କ ଘରେ ସମାନ୍ତରାଳ ଭାବେ ବିଧାୟକଙ୍କ ବୈଠକ କରିବା ଓ ସେମାନଙ୍କୁ ସମ୍ବୋଧିତ କରି ବିଭ୍ରାନ୍ତ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥି ସହିତ ମହେଶ ଯୋଶୀଙ୍କୁ ଦୁଇଟି ମାମଲାରେ ଶୃଙ୍ଖଳା ଭଙ୍ଗ ପାଇଁ ନୋଟିସ ଦିଆଯାଇଛି।

ନୋଟିସରେ କୁହାଯାଇଛି ଯେ ମୁଖ୍ୟ ସଚେତକ ହୋଇଥିଲେ ମଧ୍ୟ ଯୋଶୀ ବିଧାୟକ ଦଳ ସଦସ୍ୟଙ୍କୁ ସୂଚନା ଦେବା ପରେ ମଧ୍ୟ ସେ ସେହି ବୈଠକ ବର୍ଜ୍ଜନ କରିଥିଲେ । ତା’ପରେ ସହ ଏକ ସମାନ୍ତରାଳ ବୈଠକରେ ଅଂଶଗ୍ରହଣ କରିବା ସହିତ ଅବଶିଷ୍ଟ ବିଧାୟକମାନଙ୍କୁ ମଧ୍ୟ ଏଥିରେ ଯୋଗ ଦେବାକୁ ମନାଇବା ଏବଂ ଦ୍ୱନ୍ଦ୍ୱରେ ପକାଇବା କାର୍ଯ୍ୟ କରିଥିଲେ | ଧରିୱାଲଙ୍କ ଘରେ ବୈଠକ ଯୋଜନା କରିବାର ସମସ୍ତ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ଆରଟିଡିସି ଅଧ୍ୟକ୍ଷଙ୍କ ଘନିଷ୍ଠ ସହଯୋଗୀ ଧର୍ମେନ୍ଦ୍ର ସିଂ ରାଠୋଡଙ୍କୁ ନୋଟିସ ଦିଆଯାଇଛି।

ଦୁଇ ଦିନ ଧରି ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିବା ପାଇଁ ପ୍ରାୟ ୨୦ ଜଣ ବିଧାୟକ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଏହି ବୈଠକକୁ ରାଜନୈତିକ ସଙ୍କଟ ସହ ଯୋଡ଼ି ଦେଖାଯାଉଛି । ଯେଉଁମାନେ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ଭେଟିଥିଲେ ସେମାନଙ୍କ ମଧ୍ୟରେ କିଛି ମନ୍ତ୍ରୀ ମଧ୍ୟ ଥିଲେ।

ଅନ୍ୟପକ୍ଷରେ ସଚିନ ପାଇଲଟ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ପାର୍ଟି ହାଇ କମାଣ୍ଡଙ୍କୁ ଭେଟିବେ। ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପାଇଲଟ୍ ସୋନିଆଥ ଗାନ୍ଧୀଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ କହିଛନ୍ତି ଯେ ଯଦି ଗେହଲୋଟ୍ କଂଗ୍ରେସ ସଭାପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବା ଉଚିତ୍ । କିନ୍ତୁ ସଚିନ୍ ପାଇଲଟ୍ ନିଜେ ଏହି ଖବରକୁ ମିଥ୍ୟା ଖବର ବୋଲି କହିଛନ୍ତି। ପାଇଲଟ ଏହି ପୁରା ମାମଲାରେ ଚୁପ୍ ରହିଛନ୍ତି । ସେ ଗଣମାଧ୍ୟମ ଆଗରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଉନାହାଁନ୍ତି |

Comments are closed.