କଂଗ୍ରେସ ନେତାଙ୍କ ଚେତାବନୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ କର୍ଣ୍ଣାଟକରେ ଘଟିପାରେ ଗୋଧ୍ରା ଭଳି ଘଟଣା | News Room Odisha

କଂଗ୍ରେସ ନେତାଙ୍କ ଚେତାବନୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ କର୍ଣ୍ଣାଟକରେ ଘଟିପାରେ ଗୋଧ୍ରା ଭଳି ଘଟଣା

ବେଙ୍ଗାଲୁରୁ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ କର୍ଣ୍ଣାଟକରେ ‘ଗୋଧ୍ରା ଭଳି ଘଟଣା’ ଘଟିପାରେ । କଂଗ୍ରେସର ବରିଷ୍ଠ ନେତା ବିକେ ହରିପ୍ରସାଦ ବୁଧବାର ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ।

ବିଧାନ ପରିଷଦ ସଦସ୍ୟ (ଏମ୍.ଏଲ୍.ସି) ହରିପ୍ରସାଦ ଏଠାରେ ଗଣମାଧ୍ୟମକୁ କହିଛନ୍ତି, କର୍ଣ୍ଣାଟକ ସରକାରଙ୍କୁ ସତର୍କ ରହିବାକୁ ପଡ଼ିବ । କାରଣ ଗୁଜରାଟରେ ମଧ୍ୟ ଏପରି ହିଁ ପରିସ୍ଥିତିରେ ଗୋଧ୍ରାରେ କର ସେବକମାନଙ୍କୁ ଜାଳି ହତ୍ୟା କରାଯାଇଥିଲା ।

୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ପରେ ଗୁଜରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା ।

ପୂର୍ବତନ ରାଜ୍ୟସଭା ହରିପ୍ରସାଦ ସଦସ୍ୟ କହିଛନ୍ତି, “ଏଠାରେ ମଧ୍ୟ (ଗୋଧ୍ରା ଭଳି) ପରିସ୍ଥିତି ଉପୁଜିପାରେ। ତେଣୁ କର୍ଣ୍ଣାଟକରେ କୌଣସି ପ୍ରକାର ଅପ୍ରୀତିକର ଘଟଣାର ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବା ଉଚିତ୍ ନୁହେଁ। ଅଯୋଧ୍ୟା ଯିବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ଉଚିତ, ଯାହା ଦ୍ୱାରା ଆମକୁ କର୍ଣ୍ଣାଟକରେ ଆଉ ଏକ ଗୋଧ୍ରା ଦେଖିବାକୁ ପଡ଼ିବନି। ”

ହରିପ୍ରସାଦ ଅଭିଯୋଗ କରିଛନ୍ତି ଯେ ଏଭଳି ଘଟଣାର ପୂରା ସମ୍ଭାବନା ରହିଛି। ମୁଁ ମଧ୍ୟ ସୂଚନା ଦେଇପାରେ | ମୁଁ ଆପଣଙ୍କୁ କହିପାରେ ଯେ କେତେକ ସଂଗଠନର ମୁଖ୍ୟ ଅନେକ ରାଜ୍ୟକୁ ଯାଇ କିଛି ବିଜେପି ନେତାଙ୍କୁ ଉସୁକାଇଥିଲେ, କିନ୍ତୁ ମୁଁ ଏହି କଥା ଖୋଲାଖୋଲି ଭାବେ କହି ପାରିବି ନାହିଁ। ସେମାନେ ଏପରି କାମ ପାଇଁ ଉସୁକାଉଛନ୍ତି। ଏଭଳି କାମ କରିବାରେ ବିଜେପିର ଇତିହାସ ରହିଛି ।

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କଂଗ୍ରେସ ନେତାମାନଙ୍କୁ ଆମନ୍ତ୍ରଣ ସହ ଜଡ଼ିତ ପ୍ରଶ୍ନ ଉପରେ ହରିପ୍ରସାଦ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ଧାର୍ମିକ ନୁହେଁ ବରଂ ରାଜନୈତିକ ଦୃଷ୍ଟିରେ ଦେଖାଯିବା ଉଚିତ।

ହରିପ୍ରସାଦ କହିଛନ୍ତି, “ଯଦି କୌଣସି ହିନ୍ଦୁ ଧାର୍ମିକ ଗୁରୁ ରାମ ମନ୍ଦିରର ଉଦଘାଟନ କରିଥାନ୍ତେ, ତେବେ ଆପଣ ଏବଂ ମୁଁ ସେଠାରେ(ଅଯୋଧ୍ୟା) ବିନା କୌଣସି ନିମନ୍ତ୍ରଣରେ ପହଞ୍ଚିଥାନ୍ତେ।”

ସେ କହିଛନ୍ତି, “ଚାରି ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ମୁଖ୍ୟ। ଯଦି ଚାରିଜଣ ଶଙ୍କରାଚାର୍ଯ୍ୟ କିମ୍ବା କୌଣସି ଧାର୍ମିକ ନେତା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥାନ୍ତେ, ମୁଁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥା’ନ୍ତି | (ପ୍ରଧାନମନ୍ତ୍ରୀ) ନରେନ୍ଦ୍ର ମୋଦୀ ଏବଂ (ଗୃହମନ୍ତ୍ରୀ) ଅମିତ ଶାହ ‘ଧାର୍ମିକ ଗୁରୁ’ ନୁହଁନ୍ତି ବରଂ ରାଜନୈତିକ ନେତା। ଏହାକୁ ଆମେ ଧ୍ୟାନରେ ରଖିବାକୁ ହେବ। ”