'ବିରୋଧୀ ଦଳ ନେତାଙ୍କ ପାଇଁ ଇଡି-ସିବିଆଇ, କିନ୍ତୁ ଚୋକସିଙ୍କୁ ଇଣ୍ଟରପୋଲରୁ ମୁକ୍ତି', କେନ୍ଦ୍ରକୁ କଂଗ୍ରେସର ଭର୍ତ୍ସନା | News Room Odisha

‘ବିରୋଧୀ ଦଳ ନେତାଙ୍କ ପାଇଁ ଇଡି-ସିବିଆଇ, କିନ୍ତୁ ଚୋକସିଙ୍କୁ ଇଣ୍ଟରପୋଲରୁ ମୁକ୍ତି’, କେନ୍ଦ୍ରକୁ କଂଗ୍ରେସର ଭର୍ତ୍ସନା

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ନାମ ଇଣ୍ଟରପୋଲର ‘ରେଡ୍ ନୋଟିସ’ରୁ ହଟାଯିବା ନେଇ କଂଗ୍ରେସ ମଙ୍ଗଳବାର କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ରମଣ କରିଛି। କଂଗ୍ରେସ କହିଛି, ବିରୋଧୀ ଦଳ ନେତାଙ୍କ ପଛରେ ସିବିଆଇ-ଇଡି ଲଗାଯାଉଛି, କିନ୍ତୁ ଚୋକସିଙ୍କୁ ଇଣ୍ଟରପୋଲରୁ ମୁକ୍ତି ମିଳୁଛି।

ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି, ‘ପ୍ରଥମେ ଲୁଟ୍ କର ଏବଂ ପରେ ବିନା ଦଣ୍ଡରେ ଖସିଯାଅ’, ଏହା ହେଉଛି ଏହି ସରକାରର ମଡେଲ୍।

ସେ ଟ୍ୱିଟ୍ କରି କହିଛନ୍ତି, “ବିରୋଧୀଙ୍କୁ ଇଡି-ସିବିଆଇ, ବନ୍ଧୁଙ୍କୁ ମୁକ୍ତି ! ‘ମୋଡାନି ମଡେଲ୍’ ଅର୍ଥ ହେଉଛି ପ୍ରଥମେ ଲୁଟି ନିଅ, ତାପରେ ବିନା ଶାସ୍ତିରେ ଖସିଯାଅ। ”

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଚୋକସି ମାମଲାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ବିରୋଧୀ ଦଳର ନେତାଙ୍କ ପାଇଁ ଇଡି-ସିବିଆଇ, କିନ୍ତୁ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର) ମୋଦୀ ଜୀଙ୍କ ‘ଆମ ମେହୁଲ ଭାଇ’ଙ୍କୁ ଇଣ୍ଟରପୋଲରୁ ମୁକ୍ତି ” ! ଯେତେବେଳେ ‘ଘନିଷ୍ଠ ବନ୍ଧୁ’ଙ୍କ ପାଇଁ ସଂସଦ ଠପ୍ ହୋଇପାରେ, ତେବେ ‘ପୁରୁଣା ବନ୍ଧୁ’ ଯାହାଙ୍କୁ ୫ ବର୍ଷ ପୂର୍ବେ ଫେରାର କରାଇଥିଲେ ତାଙ୍କୁ କିପରି ସାହାଯ୍ୟ କରିବାକୁ ମନା କରିପାରିବେ ?

ସୂଚନାଯୋଗ୍ୟ ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩,୦୦୦ କୋଟି ଟଙ୍କା ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ନାମ ଇଣ୍ଟରପୋଲର ‘ରେଡ ନୋଟିସ’ରୁ ହଟାଇ ଦିଆଯାଇଛି।

ସୂଚନାନୁସାରେ, ଫ୍ରାନ୍ସର ଲିୟନ ସହରର ଇଣ୍ଟରପୋଲ ମୁଖ୍ୟାଳୟରେ ଚୋକସି ଦାଖଲ କରିଥିବା ଆବେଦନ ଆଧାରରେ ଇଣ୍ଟରପୋଲ ଏହି ନିଷ୍ପତ୍ତି ନେଇଛି। ତେବେ ଏନେଇ ସିବିଆଇ ଏପର୍ଯ୍ୟନ୍ତ ନିରବ ରହିଛି ।