ନୂଆ ସଂସଦ ଭବନ ଡିଜାଇନକୁ କଂଗ୍ରେସର ସମାଲୋଚନା, କହିଲା 'ମୋଦୀ ମଲ୍ଟିପ୍ଲେକ୍ସ' ଭାବେ ନାମିତ କରାଯାଉ | News Room Odisha

ନୂଆ ସଂସଦ ଭବନ ଡିଜାଇନକୁ କଂଗ୍ରେସର ସମାଲୋଚନା, କହିଲା ‘ମୋଦୀ ମଲ୍ଟିପ୍ଲେକ୍ସ’ ଭାବେ ନାମିତ କରାଯାଉ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସହ ନୂଆ ସଂସଦ ଭବନକୁ ସମାଲୋଚନା କରିଛନ୍ତି। ଜୟରାମ ରମେଶ କହିଛନ୍ତି, ବଡ଼ ପ୍ରଚାର ପ୍ରସାର ସହ ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି । ପ୍ରକୃତରେ ଏହା ଦ୍ବାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହିଁ ଉଦ୍ଦେଶ୍ୟ ସାଧିତ ହୋଇଛି । ଏହାକୁ ‘ମୋଦୀ ମଲ୍ଟିପ୍ଲେକ୍ସ’ କିମ୍ବା ‘ମୋଦୀ ମ୍ୟାରିଅଟ୍’ କୁହାଯିବା ଉଚିତ୍। ଚାରି ଦିନ ପରେ ମୁଁ ଅନୁଭବ କରୁଛି ଯେ ନୂଆ ସଂସଦ ଭବନ ଭିତରେ ଓ ଲବିରେ ସାଂସଦମାନଙ୍କ ମିଳାମିଶା ଓ କଥାବାର୍ତ୍ତା କରିବା ପାଇଁ ସୁବିଧା ନାହିଁ | ଯଦି ସ୍ଥାପତ୍ୟ ଗଣତନ୍ତ୍ରକୁ ହତ୍ୟା କରିପାରିବ ତେବେ ପ୍ରଧାନମନ୍ତ୍ରୀ ସମ୍ବିଧାନର ପୁନଃ ଲିଖନ ବିନା ଏଥିରେ ସଫଳ ହୋଇଛନ୍ତି।

ଜୟରାମ ରମେଶ ଲେଖିଛନ୍ତି, ନୂଆ ସଂସଦ ଭବନର ହଲ୍ ଗୁଡିକ ଆଦୌ ଆରାମଦାୟକ ନୁହେଁ । ତେଣୁ ପରସ୍ପରକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଆବଶ୍ୟକ ପଡ଼ିପାରେ | ପୁରୁଣା ସଂସଦର ଏକ ଆକର୍ଷଣ ଥିଲା । ଏହାଛଡା କଥାବାର୍ତ୍ତା କରିବା ମଧ୍ୟ ସହଜ ହେଉଥିଲା | ଗୋଟିଏ ଗୃହରୁ ଅନ୍ୟ ଗୃହକୁ ଯିବା ତଥା କେନ୍ଦ୍ରୀୟ ହଲ୍ ଏବଂ କରିଡରରେ ଚଳପ୍ରଚଳ ଆରାମଦାୟକ ଥିଲା | ପୁରୁଣା ସଂସଦରେ ଯଦି ଆପଣ ନିଜ ରାସ୍ତା ଭୁଲି ଯାଉଥିଲେ, ତେବେ ସହଜରେ ଏହା ଖୋଜି ପାରୁଥିଲେ କାରଣ ଏହା ବୃତ୍ତାକାର ଥିଲା । କିନ୍ତୁ ନୂଆ ସଂସଦ ଭବନରେ ରାସ୍ତା ଭୁଲିଗଲେ ଆପଣ ବାଉଳା ହୋଇଯିବେ | ପୁରୁଣା ସଂସଦରେ ମୁକ୍ତ ପରିବେଶ ଥିଲା, ନୂଆ ସଂସଦ ଭବନ ଶ୍ୱାସରୁଦ୍ଧ ଭଳି ଅନୁଭବ ହେଉଛି।

ଜୟରାମ ରମେଶ ଲେଖିଛନ୍ତି, ସଂସଦ ଭବନରେ ବୁଲିବାର ସେହି ଆନନ୍ଦ ଆଉ ନାହିଁ । ମୁଁ ପୁରୁଣା ସଂସଦ ଭବନ ଯିବା ପାଇଁ ଉତ୍ସାହିତ ହେଉଥିଲି କିନ୍ତୁ ନୂଆ ସଂସଦ ଏକ ଯନ୍ତ୍ରଣା ପରି ମନେ ହେଉଛି । ମୁଁ ନିଶ୍ଚିତ ଯେ ସବୁ ଦଳର ବହୁ ସଦସ୍ୟ ମଧ୍ୟ ଏପରି ଅନୁଭବ କରୁଥିବେ । ମୁଁ ଶୁଣିଛି ଯେ ସଚିବାଳୟର କର୍ମଚାରୀମାନେ ମଧ୍ୟ ନୂଆ ଡିଜାଇନ୍ ସହ ଖୁସି ନୁହଁନ୍ତି। ଯଦି ସଂସଦ ଭବନର ବ୍ୟବହାରକାରୀଙ୍କ ସହ କୌଣସି ପରାମର୍ଶ ନ କରାଯାଏ ତେବେ ଏଭଳି ହୁଏ | ବୋଧହୁଏ ୨୦୨୪ରେ କ୍ଷମତା ପରିବର୍ତ୍ତନ ପରେ ନୂଆ ସଂସଦ ଭବନର ସଠିକ୍ ବ୍ୟବହାର କରାଯିବ ବୋଲି ଏହି କଂଗ୍ରେସ ନେତା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ସେପ୍ଟେମ୍ବର ୧୯ରୁ ନୂଆ ସଂସଦ ଭବନ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲା । ଗଣେଶ ଚତୁର୍ଥୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସାଂସଦମାନେ ନୂଆ ସଂସଦ ଗୃହରେ ପ୍ରବେଶ କରିଥିଲେ ।