ଦେଶଭକ୍ତିଠୁ ବଳିଗଲା ଦଳୀୟ ପ୍ରୀତି! ଜାତୀୟ ପତାକା ଉପରେ ବିଜେପି ଝଣ୍ଡା ରଖାଯିବା ନେଇ ବିବାଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜାତୀୟ ପତାକାକୁ ବିଜେପି ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଫଟୋରେ କଲ୍ୟାଣ ସିଂହଙ୍କ ପାର୍ଥିବ ଶରୀର ଉପରେ ଜାତୀୟ ପତାକା ଉପରେ ବିଜେପିର ଝଣ୍ଡା ରଖାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଜାତୀୟ ପତାକାର ଅପମାନ ହୋଇଛି ବୋଲି ଅଭିଯୋଗ କରି କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ବିଜେପିକୁ ସମାଲୋଚନା କରିଛନ୍ତି ।

ଶନିବାର ରାତିରେ କଲ୍ୟାଣ ସିଂହଙ୍କ ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଲକ୍ଷ୍ନୌ ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ବିଜେପି ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଥିବା ଫଟୋରେ କଲ୍ୟାଣ ସିଂହଙ୍କ ମର ଶରୀରକୁ ଜାତୀୟ ପତାକା ଦ୍ୱାରା ଆଚ୍ଛାଦିତ କରାଯାଇଥିବା ବେଳେ ଆଉ କିଛି ଅଂଶ ବିଜେପି ପତାକା ଦ୍ୱାରା ଘୋଡ଼ାଇ ହୋଇରହିଛି । ଜାତୀୟ ପତାକା ଉପରେ ବିଜେପି ସଭାପତି ଜେପି ନଡ୍ଡା ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଦଳୀୟ ପତାକା ରଖିଥିଲେ ବୋଲି ଅଭିଯୋଗ ହୋଇଛି ।

ଏହି ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟିର ମୁଖପାତ୍ର ଘନଶ୍ୟାମ ତିୱାରୀ । ବିଜେପି ପାଇଁ ଦେଶ ଅପେକ୍ଷା ଦଳ ବଡ଼ । ଜାତୀୟ ପତାକାଠୁ ବିଜେପି ଝଣ୍ଡା ଉଚ୍ଚରେ । ସ୍ୱାଭାବିକ ଭାବେ ବିଜେପି ପାଇଁ ଏହା କୌଣସି ମାନେ ରଖୁନାହିଁ । ସେମାନଙ୍କ ଏନେଇ କୌଣସି ଦୁଃଖ, ଅନୁତାପ ନାହିଁ ବୋଲି ତିୱାରୀ କହିଛନ୍ତି ।

ସେହିପରି ଜାତୀୟ ପତାକାର ଅସମ୍ମାନ ନେଇ ଯୁବ କଂଗ୍ରେସର ମୁଖ୍ୟ ଶ୍ରୀନିବାସ ବିଭି ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି – ଜାତୀୟ ପତାକା ଉପରେ ଦଳୀୟ ପତାକା ରଖିବା ଠିକ୍ କି?

ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶିଶି ଥରୁର ମଧ୍ୟ ସୋସିଆଲ ମିଡ଼ିଆରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି । ଥରୁରୁ କହିଛନ୍ତି, ଜାତୀୟ ସଙ୍ଗୀତ ଗାନ କଲାବେଳେ ଛାତିରେ ହାତ ରଖିବାକୁ ନେଇ ମୋ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏଥିପାଇଁ ମୋତେ ଚାରି ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ିବାକୁ ପଡ଼ିଥିଲା । ଏବେ ବିଜେପିକୁ ବୁଝିବା ଦରକାର ଯେ ଜାତୀୟ ପତାକାକୁ ଅସମ୍ମାନ କଲେ କିପରି ଆଘାତ ଲାଗେ ।
ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଶୁଭେନ୍ଦୁ ଶେଖର ରାୟ ଉକ୍ତ ଭାଇରଲ ଫଟୋକୁ ସେୟାର କରି କହିଛନ୍ତି, ମାତୃଭୂମି ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ଏହା କଣ ନୂଆ ଉପାୟ?

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ରାତିରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ଲକ୍ଷ୍ନୌ ଯାଇ କଲ୍ୟାଣ ସିଂହଙ୍କ ଅନ୍ତିମ ଦର୍ଶନ କରିଥିଲେ । ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

Comments are closed.