କରୋନା ଅପଡେଟ୍: ଦିନକରେ ୪୭,୦୯୨ ନୂଆ ମାମଲା, ଦୁଇ ମାସରେ ସର୍ବାଧିକ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରୀ ଭୟ ମଧ୍ୟରେ ଭାରତରେ ମହାମାରୀ ସଙ୍କଟ ପୁଣି ଥରେ ବଢ଼ୁଛି। ପୂର୍ବ ଦିନ ତୁଳନାରେ ଦେଶରେ ଆଜି ୧୨ ପ୍ରତିଶତ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଛି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୪୭,୦୯୨ ନୂଆ କରୋନା ମାମଲା ଆସିଛି, ଯାହା କି ଦୁଇ ମାସରେ ସର୍ବାଧିକ । ଗତକାଲି ୪୧,୯୬୫ ମାମଲା ଆସିଥିଲା। ଦିନକରେ ୫୦୯ ଲୋକ ପ୍ରାଣ ହରାଇଥିବା ବେଳେ ୩୫,୧୮୧ ଲୋକ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି।

ଭାରତରେ କରୋନା ମାମଲାରେ ବୃଦ୍ଧିର ମୁଖ୍ୟ କାରଣ ହେଉଛି କେରଳ। ବୁଧବାର କେରଳରେ ୩୨,୮୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୩ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୯୦ ହଜାର ୩୬କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ସଂଖ୍ୟା ୨୦,୯୬୧ରେ ପହଞ୍ଚିଛି।

କରୋନା ମହାମାରୀ ଆରମ୍ଭରୁ ଭାରତରେ ଏଯାବତ ମୋଟ ତିନି କୋଟି ୨୮ ଲକ୍ଷ ୫୭ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୩୯ ହଜାର ୫୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୦ ଲକ୍ଷ ୨୮ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ ଅଧିକ ରହିଛି | ସମୁଦାୟ ୩ ଲକ୍ଷ ୮୯ ହଜାର ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସାରା ଦେଶରେ ୬୬ କୋଟି ୩୦ ଲକ୍ଷ ୩୭ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୮୧.୦୯ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୨ କୋଟି ୫୦ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତକାଲି ପ୍ରାୟ ୨୦ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ସକାରାତ୍ମକତା ହାର ୪ ପ୍ରତିଶତରୁ କମ୍ |

Comments are closed.