ଫିଫା ବିଶ୍ୱକପ: ଜାପାନକୁ ହରାଇଲା କୋଷ୍ଟାରିକା

ଦୋହା: ପ୍ରଥମ ମ୍ୟାଚରେ ଜର୍ମାନୀକୁ ହରାଇ ବିପର୍ଯ୍ୟୟ ଘଟାଇଥିବା ଜାପାନକୁ ଫିଫା ବିଶ୍ୱକପରେ ଲାଗିଛି ବଡ଼ ଝଟକା । ରବିବାର ଅନୁଷ୍ଠିତ ଗ୍ରୁପ୍ ‘ଇ’ର ଏକ ମ୍ୟାଚରେ କୋଷ୍ଟାରିକା ଠାରୁ ହାରିଯାଇଛି ଜାପାନ । କୋଷ୍ଟାରିକା ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି। କୋଷ୍ଟାରିକା ପକ୍ଷରୁ କିଶର୍ ଫୁଲର ୮୧ତମ ମିନିଟରେ ଗୋଲ୍ ସ୍କୋର୍ କରିଥିଲେ।

ପ୍ରଥମ ମ୍ୟାଚରେ ସ୍ପେନ୍ ଠାରୁ ୭-୦ରେ ହାରିଥିବା କୋଷ୍ଟାରିକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ଜାପାନକୁ ହରାଇ ନକ୍ଆଉଟ୍ ଆଶା ଉଜ୍ଜୀବିତ କରିଛି ।

ଜାପାନର ପରାଜୟ ପରେ ଗ୍ରୁପ୍ ‘ଇ’ ଏବେ ସମ୍ପୂର୍ଣ୍ଣ ଖୋଲିଯାଇଛି ।‌‌ଏହି ଗ୍ରୁପର ସମସ୍ତ ୪ଟି ଯାକ ଦଳ ନିକଟରେ ନକ୍ଆଉଟ୍ ରାଉଣ୍ଡରେ ପହଞ୍ଚିବା ସୁଯୋଗ ରହିଛି। ଆଜି ଗ୍ରୁପ୍ ଇ’ର ଆଉ ଏକ ହାଇ ଭୋଲଟେଜ୍ ମୁକାବିଲାରେ ଜର୍ମାନୀ ଓ ସ୍ପେନ୍ ମୁହାଁମୁହିଁ ହେବେ।

ସେହିପରି ଗ୍ରୁପ୍ ଏଫ୍’ ରେ ବେଲଜିୟମ ଏବଂ ମରୋକ୍କୋ ମଧ୍ୟରେ ମୁକାବିଲା ହେବ | ଆଉ ଏକ ମ୍ୟାଚରେ କ୍ରୋଏସିଆକୁ ଭେଟିବ କାନାଡା ।

ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଗ୍ରୁପରେ ଚାରୋଟି ଦଳ ରହିଛନ୍ତି। ପ୍ରତି ଗ୍ରୁପର ଟପ୍ ଦୁଇ ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ ।

Comments are closed.