କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ପ୍ରାୟ ଦୁଇ ଦିନ ଧରି ଶୁଣାଣି ପରେ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୨୦ କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ । ଏନସିବି ଅକ୍ଟୋବର ୨ରେ ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆର୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି।

ଗତକାଲି ଅଧାରୁ ସ୍ଥଗିତ ରହିଥିବା ଜାମିନ ଆବେଦନ ଶୁଣାଣି ଆଜି ପୁଣି ହୋଇଥିଲା । ଏନସିବି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ଯେ ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତଙ୍କ ଆନ୍ତର୍ଜାତୀୟ ଡ୍ରଗ୍ସ କାରବାର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ମାମଲାରେ ସବୁ ଅଭିଯୁକ୍ତଙ୍କ ପରସ୍ପର ସହିତ ସମ୍ପର୍କ ଅଛି | ଅଦାଲତ ସେଗୁଡ଼ିକୁ ପୃଥକ ଭାବରେ ବିଚାର କରିପାରିବେ ନାହିଁ | ଆମ ପାଖରେ ହ୍ବାଟସଆପ୍ ଆପ୍ ଚାଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଅଛି ବୋଲି ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ।

ଅନ୍ୟପକ୍ଷରେ, ଆର୍ୟନ ଖାନଙ୍କ ପାଇଁ କେସ୍ ଲଢ଼ୁଥିବା ବରିଷ୍ଠ ଓକିଲ ଅମିତ ଦେଶାଇ ଏନସିବିର ଯୁକ୍ତିକୁ ଅବାନ୍ତର ବୋଲି ଅଭିହିତ କରିଥିଲେ ‌। ସେ ଯୁକ୍ତି କରିଥିଲେ ଯେ ଯେତେବେଳେ ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ, ତାଙ୍କୁ ଜାମିନ ସ୍ତରରେ ଦଣ୍ଡିତ କରିବା ଉଚିତ ନୁହେଁ। ଦେଶାଇ କୋର୍ଟଙ୍କୁ କହିଛନ୍ତି ଯେ ବର୍ତ୍ତମାନର ମାମଲାରେ ଅଭିଯୁକ୍ତମାନେ ଯୁବ ବୟସର ଏବଂ ସେମାନେ କୌଣସି ଡ୍ରଗ୍ସ ଡିଲର, ତସ୍କର କିମ୍ବା ଗ୍ୟାଙ୍ଗର ସଦସ୍ୟ ନୁହଁନ୍ତି। ସେମାନଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ ।

Comments are closed.