ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୨୪ ଘଂଟାରେ ୨୬୦୪ ନୂଆ ରୋଗୀ, ଖୋର୍ଧାରୁ ୩୮୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୬୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୫୧୧ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନନ୍ଦିନ ମାମଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏପରିକି ଖୋର୍ଧା ଓ କଟକ ଜିଲ୍ଲାରୁ ଗତ କିଛି ଦିନ ଧରି ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ଖୋର୍ଧା ଜିଲ୍ଲାରୁ ୩୮୫, କଟକରୁ ୨୦୯, ଅନୁଗୁଳରୁ ୨୧୬, ସୁନ୍ଦରଗଡରୁ ୧୮୬, ବାଲେଶ୍ୱରରୁ ୧୬୪, ବରଗଡରୁ ୯୦, ଜଗତସିଂହପୁରରୁ ୮୪, ଯାଜପୁରରୁ ୧୧୩, ମୟୂରଭଂଜରୁ ୧୨୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ୯୫, ବଲାଙ୍ଗିରରୁ ୬୪, କଳାହାଣ୍ଡିରୁ ୭୬, କେନ୍ଦ୍ରାପଡାରୁ ୭୦, ଝାରସୁଗୁଡାରୁ ୮୪ ଓ ଭଦ୍ରକରୁ ୫୦ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୫୪୧କୁ ବୃଦ୍ଧି ପାଇଛି । ତେବେ, ଏଥିମଧ୍ୟରୁ ୨ ଲକ୍ଷ ୩୨ ହଜାର ୯୮୮ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ରହିଛି ୨୫ ହଜାର ୪୨୮ । ଏଣେ ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଆଉ ୧୫ ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.