ଦେଶରେ ଟିକାକରଣ ୯୯ କୋଟି ଟପିଲା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତରେ ଟିକାକରଣ ୧୦୦ କୋଟି ଛୁଇଁବ । ଦେଶରେ ଏପର୍ଯ୍ୟନ୍ତ ୯୯ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏହା ୧୦୦ କୋଟିରେ ପହଞ୍ଚିବ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଡୋଜ୍ ଅଛି ଏବଂ ପ୍ରତି ମାସରେ ଟିକାକରଣ ସଂଖ୍ୟା ବଢୁଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଟ୍ବିଟ୍ କରି କହିଛନ୍ତି।

ଦେଶରେ ଚଳିତ ବର୍ଷ ଜାନୁଆରୀ ୧୬ ରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଅଭିଯାନ ଏବେ ଶୀଘ୍ର ୧୦୦ କୋଟି ମାଇଲଖୁଣ୍ଟ ଛୁଇଁବ । ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ ୯୮,୬୭,୬୯,୪୧୧ ଡୋଜ୍ ଟିକା ଦିଆଯାଇଥିଲା। ତେବେ ଆଜି ଅପରାହ୍ନ ସୁଦ୍ଧା ଟିକାକରଣ ୯୯ କୋଟି ଡୋଜ ଲକ୍ଷ୍ୟ ଅତିକ୍ରମ କରିଛି । ଏଥିରେ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ସାମିଲ |

ଦେଶରେ ଏପର୍ଯ୍ୟନ୍ତ ୫୧,୦୨,୪୬,୨୯୨ ପୁରୁଷ ଓ ୪୭,୩୧,୯୮,୨୩୨ ମହିଳାଙ୍କୁ କୋଭିଡ୍ ଟିକା ଡୋଜ୍ ଦିଆଯାଇଛି। ବର୍ତ୍ତମାନ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ତିନୋଟି ଟିକା – କୋଭିଶିଲ୍ଡ, କୋଭାକ୍ସିନ ଏବଂ ସ୍ପୁଟନିକର ବ୍ୟବହାର କରାଯାଉଛି | ସେଥିମଧ୍ୟରୁ କୋଭିଶିଲ୍ଡର ୮୬,୯୫,୫୫,୭୪୨ ଡୋଜ୍, କୋଭାକ୍ସିନର ୧୧,୩୦,୬୬,୩୯୮ ଏବଂ ସ୍ପୁଟନିକର ୧୦,୪୩,୦୧୭ ଡୋଜ୍ ଦିଆଯାଇଛି।

Comments are closed.