ସେପ୍ଟେମ୍ବର ପାଇଁ କୋଭିଡ୍ ଗାଇଡ୍‌ଲାଇନ୍ ଜାରି, ସପ୍ତାହାନ୍ତ ସଟ୍‌ଡାଉନ୍ ହଟିଲା, ରାତି ୧୦ ରୁ ସକାଳ ୫ଟା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ନେଇ ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଆଜି ଏସ୍‌ଆରସି ପ୍ରଦୀପ କୁମାର ଜେନା ନୂଆ ଗାଇଡ୍‌ଲାଇନ୍ ଘୋଷଣା କରିଛନ୍ତି । ନୂଆ ଗାଇଡ୍‌ଲାଇନ୍ ସେପ୍ଟେମ୍ବର ୧ରୁ ଅକ୍ଟୋବର ୧ ଯାଏଁ ଲାଗୁ ହେବ । ରାଜ୍ୟରେ ସଂକ୍ରମଣ କମୁଥିବାରୁ ଆଉ କିଛି କଟକଣା କୋହଳ କରାଯାଇଛି ।

ନୂଆ ଗାଇଡ୍‌ଲାଇନ୍ ମୁତାବକ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ହଟାଇ ଦିଆଯାଇଛି । ତେବେ ରାତ୍ରିକାଳୀନ କଫ୍ରୁ୍ୟ ଜାରି ରହିବ । ନାଇଟ୍ କଫ୍ରୁ୍ୟ ସମୟସୀମା ମଧ୍ୟ କୋହଳ କରାଯାଇଛି । ସେପ୍ଟେମ୍ବର ପହିଲାରୁ ଅକ୍ଟୋବର ୧ ଯାଏଁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଏଣିକି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କଫ୍ରୁ୍ୟ ରହିବ । ଅର୍ଥାତ୍ ଏବେ ରାତି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସିନେମା ହଲ୍ ମଧ୍ୟ ୧୦୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ସବୁଜ ସଙ୍କେତ ମିଳିଛି । ସିନେମା ହଲରେ କୋଭିଡ୍ ଗାଇଡ୍‌ଲାଇନ୍ ଦାୟିତ୍ୱ ହଲ୍ ମାଲିକ ବୁଝିବେ । ମଲ୍ ପାଇଁ ମଧ୍ୟ ଅନୁରୂପ ନିୟମ ଲାଗୁ ହେବ । ମଲ୍ ଓ ହଲ୍ ପାଇଁ ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ ହେବ ନାହିଁ ।

ବିବାହ, ବ୍ରତ, ଶେଷକୃତ୍ୟ ଆଦିରେ ୨୫୦ ଜଣ ଯୋଗ ଦେଇପାରିବେ । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୫୦ ଲୋକ ଯୋଗଦେଇପାରିବେ । ତେବେ ଧାର୍ମିକ, ରାଜନୈତିକ, ସାମଜିକ ସମାବେଶ ଉପରେ କଟକଣା ଜାରି ରହିବ । ମେଳା, ପ୍ରଦର୍ଶନୀକୁ ବାରଣ କରାଯାଇଛି । ଗାଇଡ୍‌ଲାଇନ୍ ମାନି ପ୍ରେକ୍ଷାଳୟ, ଅଡିଟୋରିୟମରେ ବୈଠକ କରିହେବ । ଅଗଷ୍ଟ ୯ ଆଦେଶାନୁସାରେ ସେପ୍ଟେମ୍ବରରେ ହେବାକୁ ଥିବା ପର୍ବପର୍ବାଣୀ ଅନୁଷ୍ଠିତ ହେବ । ବିନା ଭକ୍ତରେ ସବୁ ପର୍ବପର୍ବାଣୀ ହେବ । ରାଜ୍ୟର ସମସ୍ତ ସୂଚନା କେନ୍ଦ୍ର, ପାଠାଗାର ମଧ୍ୟ କୋଭିଡ୍ ଗାଇଡ୍‌ଲାଇନ୍ ମାନି ଖୋଲା ରହିବ ।

Comments are closed.