ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସୁଧୁରୁଛି ଗଞ୍ଜାମର ସ୍ଥିତି

ଭୁବନେଶ୍ଵର: ଓଡିଶାର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମର ରହିଛି ଏକ ସ୍ଵତନ୍ତ୍ର ପରିଚୟ | ଏହା ରାଜ୍ୟର ସବୁଠାରୁ ଜନବହୁଳପୂର୍ଣ୍ଣ ଜିଲ୍ଲା | ଗଞ୍ଜାମର ଅର୍ଥନୀତି ମୁଖ୍ୟତଃ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ ହୋଇଥିବାବେଳେ ଗୁଜୁରାଟ, ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟରତ ଲକ୍ଷ ଲକ୍ଷ ପ୍ରବାସୀଙ୍କ ଅବଦାନ ମଧ୍ୟ କିଛି କମ ନୁହେଁ । ଗତ ମାର୍ଚ୍ଚ ମାସରେ କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ତାଲା ବନ୍ଦ ଘୋଷଣା କରିବା ପରେ ଚାରି ଲକ୍ଷରୁ ଅଧିକ ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ। ଏହି ସବୁ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ କରୋନା ହଟସ୍ପଟ ସହରରୁ ଆସିବା ଫଳରେ ଜିଲ୍ଲାରେ ସଙ୍କ୍ରମଣ ବୃଦ୍ଧି ପାଇଥିଲା | ଓଡିଶା ସରକାରଙ୍କ ସମୟାନୁବର୍ତ୍ତୀ ହସ୍ତକ୍ଷେପ ଏବଂ ଜିଲ୍ଲା ପ୍ରଶାସନର ସଠିକ୍ ପରିଚାଳନା ପାଇଁ ସମସ୍ତ ପ୍ରବାସୀମାନଙ୍କୁ ବାଧ୍ୟତାମୂଳକ ରେଜିଷ୍ଟ୍ରେସନ୍ ଏବଂ ପରେ ସଂଙ୍ଗରୋଧ କେନ୍ଦ୍ରରେ ରଖାଯାଇପାରିଥିଲା । ଏହାଦ୍ୱାରା ଜିଲ୍ଲାରେ କରୋନା ସଙ୍କ୍ରମଣକୁ ଅନେକମାତ୍ରାରେ ରୋକାଯାଇପାରିଛି ।

ବର୍ତ୍ତମାନ ଗଞ୍ଜାମରୁ ଆସୁଥିବା କରୋନା ପଜିଟିଭ୍ ସଂଖ୍ୟା ରାଜ୍ୟରେ ସର୍ବାଧିକ ହୋଇଥାଇପାରେ କିନ୍ତୁ ସୁସ୍ଥତା ହାରରେ ମଧ୍ୟ ଏହା ଆଗରେ ରହିଛି | ଜିଲ୍ଲାର ଜନସଂଖ୍ୟାକୁ ଯଦି ଗୁରୁତ୍ଵ ଦିଆଯାଏ ତେବେ ଏହି ପଜିଟିଭ୍ ହାର ଦେଶର ଅନେକ ହଟସ୍ପଟ୍ ଜିଲ୍ଲାଙ୍କ ତୁଳନାରେ ଢେର କମ ରହିଛି | ଦେଶରେ ଯେଉଁ ହାରରେ କରୋନାଭାଇରସ୍ ସଙ୍କ୍ରମଣ ବୃଦ୍ଧିପାଉଛି ତାହା ସହ ତୁଳନା କଲେ ଗଞ୍ଜାମର ସ୍ଥିତି ବହୁତ ଭଲ ଥିବା ସ୍ପଷ୍ଟ | ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରୁ ୧୧ ହଜାରରୁ ଅଧିକ ପଜିଟିଭ୍ ମାମଲା ଆସିଥିବା ବେଳେ ୭୫00 ରୁ ଅଧିକ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବା ବହୁ ପୁର୍ବରୁ ପ୍ରଶାସନ ପକ୍ଷରୁ ଅନେକ ସଂଖ୍ୟକ କୋଭିଡ୍ କେୟାର ସେଣ୍ଟର ଏବଂ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନା ପାଇଁ ନିଆଯାଇଥିବା ନିଷ୍ପତ୍ତି ଆଜି ସୁଫଳ ଦେଇଛି ।

ଗଞ୍ଜାମ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଧ୍ୟାନ ରଖିଛନ୍ତି| ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଞ୍ଜାମରେ କରୋନା ମହାମାରୀର ମୁକାବିଲା ଚିଲିଥିବା ବେଳେ ଜନସାଧାରଣର ଜୀବନ ବଞ୍ଚାଇବା ହେଉଛି ତାଙ୍କର ପ୍ରାଥମିକତା | ମହାମାରୀ ବିରୁଦ୍ଧରେ ଚାଲିଥିବା ଏହି ଲଢେଇ ପାଇଁ ଜିଲ୍ଲାରେ ଅତିରିକ୍ତ ଭିତ୍ତିଭୁମି ତିଆରି କରାଯାଇଥିବା ବେଳେ ଅନେକ ବରିଷ୍ଠ ଅଧିକାରୀଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆଯାଇଛି | ଗତ କିଛି ଦିନ ମଧ୍ୟରେ ସରକାରଙ୍କ ପ୍ରକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପାଇଁ ପରିସ୍ଥିତିରେ ଉନ୍ନତି ଆସୁଥିବାର ସଙ୍କେତ ମଧ୍ୟ ଦେଖାଦେଲାଣି | ଜିଲ୍ଲାରେ ୪0 ଲକ୍ଷରୁ ଅଧିକ ଜନସଂଖ୍ୟା ଏବଂ ଚାରି ଲକ୍ଷରୁ ଅଧିକ ପ୍ରବାସୀ ଆସିଥିବାବେଳେ, ବର୍ତ୍ତମାନର କରୋନା ପଜିଟିଭ୍ ସଂଖ୍ୟା ନିଶ୍ଚିତ ଭାବରେ କୌଣସି ଚିନ୍ତାର କାରଣ ହୋଇନପାରେ ବୋଲି ମଧ୍ୟ ବିଶେଷଜ୍ଞ ମତ ଦେଇଛନ୍ତି | ଗତ କିଛି ଦିନ ମଧ୍ୟରେ, କରୋନାଭାଇରସ ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଥିବାରୁ ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ପରିଲ୍ଲକ୍ଷିତ ହୋଇଥିଲା | ଜୁଲାଇ ମାସରେ ଦୈନିକ ସର୍ବାଧିକ ପଜିଟିଭି ସଂଖ୍ୟା ୭00 ପାର କରିଥିବା ବେଳେ ବର୍ତ୍ତମାନ ଏହା ୩00ରୁ ସାମାନ୍ୟ ତଳକୁ ଖସିବା ଆରମ୍ଭ ହେଇଛି | ଯାହା ସଂକ୍ରମଣ କ୍ରମସଃ ହ୍ରାସ ପାଉଥିବା ଦର୍ଶାଉଛି |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ତଦାରଖରେ ଚାଲୁଥିବା ଏହି ମହାମାରୀ ମୁକାବିଲା ବର୍ତ୍ତମାନ ଗୁରୁତ୍ତ୍ୱପୂର୍ଣ୍ଣ ମୋଡରେ ରହିଛି | ଗଞ୍ଜାମ ଜିଲ୍ଲାରେ ନିଆଯାଇଥିବା ଅନେକ ପଦକ୍ଷେପ ଯୋଗୁଁ ଆଜି ସ୍ଥିତି ବଦଳିବା ଆରମ୍ଭ ହୋଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତିନିଜଣ ଆଇଏଏସ୍ ଅଧିକାରୀ, ୧୮ ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଏବଂ ୭୭ ଜଣ ଓଆରଏସ୍ ଅଧିକାରୀଙ୍କୁ ଜିଲ୍ଲାରେ ସରକାରୀ କଳକୁ ମଜବୁତ୍ କରିବା ପାଇଁ ନିୟୋଜିତ କରିଛନ୍ତି । ସେହିଭଳି ଗଞ୍ଜାମରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ୩0 ଜଣ MBBS ଡାକ୍ତର, ୮୨ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲ୍ୟାବ ଟେକ୍ନିସିଆନ ମଧ୍ୟ ନିୟୋଜିତ ହୋଇଛନ୍ତି | ଯାହା ଫଳରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିଛି | ଗଞ୍ଜାମରେ ଅତ୍ୟାଧୁନିକ ଉପକରଣ ସହିତ ଦୁଇଟି ଆଡଭାନ୍ସଡ୍ ଲାଇଫ ସପୋର୍ଟ୍ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି ଯାହା ନିରବଚ୍ଛିନ ଭାବରେ ସେବା ଯୋଗାଇ ଦେଉଛନ୍ତି | ବର୍ତ୍ତମାନ ଜିଲାରେ ଆକ୍ଟିଭ୍ କେସ୍ ସଂଖ୍ୟା ୩୪00ରୁ ଅଧିକ ଥିବାବେଳେ ବିଭିନ୍ନ CCH, DCHC, CCC ଏବଂ Covid ହସ୍ପିଟାଲରେ ୯ ହଜାରରୁ ଅଧିକ ରୋଗୀଙ୍କୁ ରଖିବା କ୍ଷମତା ରହିଛି।

ଜିଲ୍ଲାରେ ଲକଡାଉନ୍ ଗାଇଡଲାଇନର କଠୋର କାର୍ଯ୍ୟକାରିତା ଏବଂ ସାମାଜିକ ଦୂରତା ନିୟମ ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ଓ ସୁପରିଚାଳନା ମଧ୍ୟ ସଂକ୍ରମଣ ରୋକିବାରେ ବହୁମାତ୍ରାରେ ସହାୟକ ହୋଇଛି | ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମରେ ସ୍ୱାସ୍ଥ୍ୟ ସର୍ଭେ କାର୍ଯକ୍ରମ ହାତକୁ ନିଆଯାଇଥିଲା | ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଡୋର୍ ଟୁ ଡୋର୍ ସର୍ଭେ କରାଯାଇ ସ୍ଵାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଫଳରେ ମଧ୍ୟ କରୋନା ସଂକ୍ରମଣକୁ ଅନେକ ମାତ୍ରାରେ ରୋକାଯାଇପାରିଛି | ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କରୋନା ମୃତ୍ୟୁ ରାଜ୍ୟରେ ସର୍ବାଧିକ ରହିଥିଲେ ବି ଏମଧ୍ୟରୁ ଅଧିକାଂଶ ମୃତ୍ୟୁର କାରଣ କୋମରବିଡିଟି ବା ଅନ୍ୟ କାରଣ ରହିଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ଦେଖିବାକୁ ମିଳିଛି | ଗଞ୍ଜାମ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଆଗାମି ଦିନମାନଙ୍କରେ ଅହେତୁକ ସୁଧାର ଆସିବ ଏଥିରେ କୌଣସି ଦ୍ଵିମତ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଦୃଢୋକ୍ତି ପ୍ରକଶ କରିଛି।

ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଚାଲିଥିବା ଏହି କରୋନା ମୁକାବିଲା ପାଇଁ ଆଜି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପାଇଛି | ସେହିଭଳି ଡାକ୍ତର, ଆମ୍ବୁଲାନ୍ସ, ଟିଏମସି, ସିସିସି ଏବଂ ଅନ୍ୟାନ୍ୟ ଆବଶ୍ୟକିୟ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ମଧ୍ୟ ବୃଦ୍ଧି ଘଟିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର୍ ପୁନାୱାଲାଙ୍କ ସହ ନବୀନଙ୍କ ଆଲୋଚନା ଏବଂ ଓଡିଶାକୁ ପ୍ରାଥମିକତା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ପଛରେ ଗଞ୍ଜାମ ବାସୀଙ୍କ ଚିନ୍ତା ଥିବା ଆଭାସ ମିଳୁଛି । ବ୍ରହ୍ମପୁରରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରିବା ଦ୍ଵାରା ଜିଲ୍ଲାର କୋଭିଡ୍ -୧୯ ଲଢେଇରେ ଆଉଏକ ସଫଳତା ଆଣିଦେଇଛି | ଆଗାମି ଦିନରେ ଏହା ଗୁରୁତ୍ଵପୁର୍ଣ ଭୁମିକା ଗ୍ରହଣ କରିବାକୁ ଯାଉଛି |

ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ହ୍ରାସ ପାଉଥିବା ନେଇ ତଥ୍ୟ ଜିଲ୍ଲାରେ ଥିବା ଗ୍ରିନ୍ ଜୋନ୍ ଓ ରୋଡ୍ ଜୋନ୍ ରୁ ଦୃଶ୍ୟମାନ ହେଉଛି | ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ସହ ଲକଡାଉନ୍ ଏବଂ ସଟଡାଉନ୍ ଗାଇଡଲାଇନର ସୁପରିଚାଳନା ଯୋଗୁଁ ଆଜି ରେଡ୍ ଜୋନ୍ ସଂଖ୍ୟା ହ୍ରାସ ପାଇଛି | ଜିଲ୍ଲାରେ ଗ୍ରିନ ଜୋନ୍ ସଂଖ୍ୟା ୮୬ ପ୍ରତିଶତରୁ ଅଧିକ ହୋଇଛି। ୪୫୨ ଟି ଗାଁ ରେଡ୍ ଜୋନ୍ ଥିବାବେଳେ ୨୭୦୫ ଟି ଗାଁ ଗ୍ରୀନ୍ ଜୋନ୍ ରେ ଅଛି (ଜୁଲାଇ ୨୦୨୦ ଶେଷ ସୁଦ୍ଧା) | ଏହା ପ୍ରମାଣ କରୁଛି ଯେ ଜିଲ୍ଲାରେ ଯାହାବି ସଂକ୍ରମଣ ସଂଖ୍ୟା ଆସୁଛି, ତାହା ଏକ ସିମିତ ଅଞ୍ଚଳରୁ ଆସୁଛି ଯାହାକୁ ଖୁବଶୀଘ୍ର ନିୟନ୍ତ୍ରଣ କରାଯାଇପାରିବ |

ବ୍ରହ୍ମପୁର ମହାନିଗର ନିଗମ ପକ୍ଷରୁ ବେସରକାରୀ ଅନୁଷ୍ଠାନ ସହଭାଗୀତାରେ ଆରମ୍ଭ କରାଯାଇଥିବା କାଉନସେଲିଂ ବ୍ୟବସ୍ଥା ଦ୍ଵାରା ପଜିଟିଭ୍ ସଂକ୍ରମିତ ରୋଗିଙ୍କୁ ମାନସିକ ପରାମର୍ଶ ଯୋଗାଇଦିଆଯାଉଛି । ଯାହା ଦ୍ଵାରା ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ସଠିକ୍ ଚିକିତ୍ସା ଓ ସାବଧାନତା ବିଷୟରେ ମଧ୍ୟ ଜଣାଯାଉଛି । ଏହି କାଉନସେଲିଂର କାର୍ଯକାରିତା ଜାଣିବା ପାଇଁ ନିୟମିତ ମତାମତ ମଧ୍ୟ ନିଆଯାଉଛି ଯାହା ଅତ୍ୟନ୍ତ ସ୍ଵାଗତଯୋଗ୍ୟ |

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବାରେ ସବୁଠାରୁ ଗୁରୁତ୍ଵପୁର୍ଣ ଭୁମିକା ରହିଛି ସାଧାରଣ ଜନତାଙ୍କର । ସେମାନଙ୍କ ସହଯୋଗ ପାଇଁ ଆଜି ସଂକ୍ରମଣ ହାରରେ ହ୍ରାସ ପରିଲକ୍ଷିତ ହେଉଛି । ସେ ସଟଡାଉନ୍ ହେଉ ବା ଲକଡାଉନ୍, ଗଞ୍ଜାମବାସୀଙ୍କ ସହଯୋଗ ଅତୁଳନୀୟ । ଯେପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଞ୍ଜାମବାସୀ ନିଜର ସାହସ ଦେଖାଇଛନ୍ତି, ଏହି ମହାମାରୀ ସମୟରେ ମଧ୍ୟ ସେମାନଙ୍କର ଅବଦାନ ଏବଂ ଉତ୍ସର୍ଗୀକୃତତା ପ୍ରଶଂସନୀୟ। ସେମାନଙ୍କ ସହଯୋଗ ବିନା ଜିଲ୍ଲାର ଅବସ୍ଥା ଆଜି ଅପେକ୍ଷା ଅଧିକ ଗୁରୁତର ହୋଇଥାନ୍ତା। ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ଅନୁଶାସନର ସହ ପାଳନ କରି ଗଞ୍ଜାମବାସୀ ଦର୍ଶାଇଛନ୍ତି ଯେ କୌଣସୀ ପରିସ୍ଥିତିକୁ ସେମାନେ ମୁକବିଲା କରିପାରିବେ ।

Comments are closed.