ବୁଷ୍ଟର ଡୋଜ୍ ଭାବେ ‘କୋଭୋଭାକ୍ସ’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) କୋଭିଡ-୧୯ ଟିକା ‘କୋଭୋଭାକ୍ସ’କୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ସକାଶେ ଏକ ବୁଷ୍ଟର ଡୋଜ ଭାବେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ସରକାରୀ ସୂତ୍ରରୁ ଜଣାପଡିଛି ଯେ ଯେଉଁମାନଙ୍କୁ କୋଭିଶିଲ୍ଡ କିମ୍ବା କୋଭାକ୍ସିନର ଦୁଇଟି ଡୋଜ୍ ଦିଆଯାଇଛି ସେମାନଙ୍କୁ କୋଭୋଭାକ୍ସ ଟିକାକୁ ବୁଷ୍ଟର ଡୋଜ୍ ଭାବରେ ଦିଆଯାଇପାରିବ। କେନ୍ଦ୍ର ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ବିଶେଷଜ୍ଞ କମିଟିର ସୁପାରିସ ପରେ ‘କୋଭୋଭାକ୍ସ’କୁ ଡିସିଜିଆଇ ଅନୁମୋଦନ କରିଛନ୍ତି ।

ନିକଟରେ କୋଭିଡ୍-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)ର ସରକାରୀ ତଥା ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କ ପାଇଁ କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇକୁ ଚିଠି ଲେଖିଥିଲେ | ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ସିଡିଏସସିଓ ବିଶେଷଜ୍ଞ କମିଟି ବୁଧବାର ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବା ପରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ କୋଭିଡ୍ ଭାକ୍ସିନ୍ କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ବଜାରରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା ।

Comments are closed.