ଆଜି ଆଇପିଏଲର ଗ୍ରାଣ୍ଡ ଫାଇନାଲ୍, ଟ୍ରଫି ପାଇଁ ସୁପରକିଙ୍ଗ୍ସ-ନାଇଟ୍ ରାଇଡର୍ସ ଲଢ଼େଇ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଆଇପିଏଲ୍ ୨୦୨୧ର ପ୍ରଥମ ପର୍ଯ୍ୟାୟ ଭାରତରେ ହେବା ପରେ କରୋନା କାରଣରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସ୍ଥାନାନ୍ତରିତ ହୋଇଥିଲା । ଆଜି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳାଯିବ | ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଲିଗର ୧୪ତମ ସିଜନର ଟାଇଟଲ ମୁକାବିଲାରେ ଦୁଇ ବିଶ୍ୱକପ ବିଜେତା ଅଧିନାୟକ ମୁହାଁମୁହିଁ ହେବେ | ତିନିଥର ଚାମ୍ପିୟନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଇଂଲଣ୍ଡ ଅଧିନାୟକ ଇୟନ୍ ମୋର୍ଗାନଙ୍କ ଅଧିନାୟକତ୍ୱରେ ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଟ୍ରଫି ପାଇଁ ଲଢ଼ିବେ। ପ୍ଲେ ଅଫରେ ଉଭୟ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଆଇପିଏଲ୍ ୨୦୨୧ର ଫାଇନାଲରେ ପ୍ରବେଶ କରିଛନ୍ତି |

ଉଭୟ ଦଳ ଗତ ସିଜିନର ପ୍ଲେ ଅଫରେ ମଧ୍ୟ ପହଞ୍ଚି ନଥିଲେ, କିନ୍ତୁ ଏଥର ସେମାନେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ଆଇପିଏଲ୍ ୨୦୨୧ର ଲିଗ୍ ପର୍ଯ୍ୟାୟରେ ସିଏସକେ ଉଭୟ ମ୍ୟାଚ୍ ରେ କେକେଆରକୁ ପରାସ୍ତ କରିଥିଲା | ଆଇପିଏଲରେ କେକେଆର୍ ବିପକ୍ଷରେ ସିଏସକେର ପଲା ଭାରି ରହିଛି | ଆଇପିଏଲ୍ ଇତିହାସରେ କୋଲକାତା ଏବଂ ଚେନ୍ନାଇର ଦଳ ମଧ୍ୟରେ ହେଡ୍ ରେକର୍ଡ ଚେନ୍ନାଇ ସପକ୍ଷରେ ରହିଛି। ଆଇପିଏଲରେ କୋଲକାତା ବିପକ୍ଷରେ ଚେନ୍ନାଇର ୧୭-୯ ରେକର୍ଡ ରହିଛି। ୟୁଏଇରେ ଉଭୟ ଦଳ ମଧ୍ୟରେ ରେକର୍ଡକୁ ଦେଖାଗଲେ ସିଏସକେ ୨-୧ରେ ଅଗ୍ରଣୀ ଥିବାବେଳେ ଆଇପିଏଲ୍ ଫାଇନାଲରେ କେକେଆରର ୧-୦ରେ ଆଗୁଆ ରହିଛି |

କୋଲକାତା ଦଳ ୨୦୧୨ ଏବଂ ୨୦୧୪ରେ ଆଇପିଏଲ ଫାଇନାଲରେ ପହଞ୍ଚିଥିଲା ଏବଂ ଉଭୟ ଥର ଚାମ୍ପିୟନ ହୋଇଥିଲା | କେକେଆର୍ ନିଜ ସାତ ବର୍ଷର ଟାଇଟଲ୍ ମରୁଡ଼ିର ଅନ୍ତ ଘଟାଇବାକୁ ଚେଷ୍ଟା କରିବ | ଅନ୍ୟପକ୍ଷରେ ଚେନ୍ନାଇର ଚତୁର୍ଥ ଥର ପାଇଁ ଆଇପିଏଲ୍ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ରହିବ। ଚେନ୍ନାଇ ସୁପରକିଙ୍ଗ୍ସ ୨୦୧୦, ୨୦୧୧ ଏବଂ ୨୦୧୮ରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା

Comments are closed.