ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ , ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ | News Room Odisha

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ , ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର – ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦାୟିତ୍ବ ଏଣିକି ଏକ ସ୍ୱତନ୍ତ୍ର ବାଟାଲିୟନ ହାତରେ ନ୍ୟସ୍ତ କରାଯିବ । ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ପକ୍ଷ ସହ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଆଲୋଚନା ପରେ ମିଳିଥିବା ମତାମତକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ସୁରକ୍ଷା , ଭିଡ ପରିଚାଳନା ଓ ଭକ୍ତଙ୍କ ପାଇଁ ସୁବିଧା ସୁଯୋଗ ରାଜ୍ୟ ସରକାରଙ୍କ ଫୋକସରେ ରହିଛି। ଏସବୁ ଦୃଷ୍ଟିରୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାଟାଲିୟନ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରକୁ ମଜବୁତ ସୁରକ୍ଷା ଯୋଗାଇଦେବା ହେବ ନୂଆ ବାଟାଲିୟନର ପ୍ରାଥମିକତା । ଏଥିସହ ଭିଡ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ଯେପରି ଶୃଙ୍ଖଳିତ ଦର୍ଶନ ହୋଇପାରିବ, ସେ ଦିଗରେ ମଧ୍ୟ ବାଟାଲିୟନ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ହେବ। ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ପାଖାପାଖି ୧ ହଜାର ୧୯୦ ସୁରକ୍ଷାକର୍ମୀ ରହିବେ । ପୁରୀ ଏସପିଙ୍କ କମାଣ୍ଡ ଓ ନିୟନ୍ତ୍ରଣରେ ନୂଆ ବାଟାଲିୟନ ପରିଚାଳିତ ହେବ ।