ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଥରୁରଙ୍କୁ ଦୋଷମୁକ୍ତ କରିବା ରାୟ ବିରୋଧରେ ଦିଲ୍ଲୀ ପୋଲିସର ଆବେଦନ

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦୋଷମୁକ୍ତ କରିବା ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ପୋଲିସ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି ।

ଥରୁରଙ୍କ ଓକିଲକୁ ଆବେଦନର ଏକ କପି ଦେବାକୁ ବିଚାରପତି ଜଷ୍ଟିସ ଡି.କେ ଶର୍ମା ଦିଲ୍ଲୀ ପୋଲିସର ଓକିଲଙ୍କୁ କହିଛନ୍ତି। ଥରୁରଙ୍କ ଓକିଲ ଦାବି କରିଥିଲେ ଯେ ଏହି ଆବେଦନର କପି ତାଙ୍କୁ ଦିଆଯାଇ ନଥିଲା ଓ ଜାଣିଶୁଣି ଏହା ଏକ ଭୁଲ ଇ-ମେଲ୍ ଆଇଡିକୁ ପଠାଯାଇଥିଲା ।

ନିମ୍ନ ଅଦାଲତର ଅଗଷ୍ଟ ୧୮, ୨୦୨୧ ଆଦେଶ ବିରୋଧରେ ପୁନର୍ବିଚାର ଆବେଦନ ଦାଖଲ କରିବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା ନେଇ ପୋଲିସର ଆବେଦନ ଉପରେ ହାଇକୋର୍ଟ ଥରୁରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି।

ଏହାଛଡ଼ା ସବୁ ପକ୍ଷଙ୍କ ବ୍ୟତୀତ ଏହି ମାମଲା ସମ୍ବନ୍ଧୀୟ କପି ଏବଂ ଡକ୍ୟୁମେଣ୍ଟ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନ ଦେବାକୁ କୋର୍ଟ କହିଛନ୍ତି । ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଫେବୃଆରୀ ୭, ୨୦୨୪କୁ ଦିନ ଧାର୍ଯ୍ୟ କରିଛନ୍ତି।

ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲରେ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତଦେହ ମିଳିବାର ସାତ ବର୍ଷରୁ ଅଧିକ ସମୟ ପରେ ଥରୁରଙ୍କୁ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇଥିଲା ।

ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲ ସୁଟରେ ୧୭ ଜାନୁୟାରୀ ୨୦୧୪ ରାତିରେ ସୁନନ୍ଦା ପୁଷ୍କରଙ୍କ ମୃତଦେହ ମିଳିଥିଲା। ଥରୁରଙ୍କ ଅଫିସିଆଲ୍ ବଙ୍ଗଳାରେ ନବୀକରଣ କାର୍ଯ୍ୟ ଚାଲିଥିବାରୁ ଏହି ଦମ୍ପତି ହୋଟେଲରେ ରହିଥିଲେ।

ମାନସିକ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଥରୁରଙ୍କୁ ବିରୋଧରେ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ତାଙ୍କୁ ଗିରଫ କରାଯାଇ ନଥିଲା।

ଥରୁରଙ୍କ ଓକିଲ କହିଛନ୍ତି ଯେ ଏହି ମାମଲାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ।

Comments are closed.