ଆଉ ଏକ ଆଇପିଏଲ୍ ସିଜନ୍ ଖେଳିବାକୁ ଧୋନି ଦେଲେ ସଙ୍କେତ | News Room Odisha

ଆଉ ଏକ ଆଇପିଏଲ୍ ସିଜନ୍ ଖେଳିବାକୁ ଧୋନି ଦେଲେ ସଙ୍କେତ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗ୍ସକୁ ପଞ୍ଚମ ଟାଇଟଲ୍ ଦେବା ପରେ ଆଇପିଏଲରୁ ତାଙ୍କ ଅବସର ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ମହେନ୍ଦ୍ର ସିଂ ଧୋନି । ଆସନ୍ତା ବର୍ଷ ମଧ୍ୟ ଆଇପିଏଲ୍ ଖେଳିବା ସମ୍ଭାବନାକୁ ସେ ଏଡ଼ାଇ ଦେଇ ନାହାଁନ୍ତି । ପ୍ରଶଂସକମାନଙ୍କ ଭଲ ପାଇବା ଦେଖି ଧୋନି ସେମାନଙ୍କୁ ନିରାଶ ନ କରି ଆଉ ଗୋଟିଏ ସିଜନ୍ ଆଇପିଏଲ୍ ଖେଳିବେ ବୋଲି ସଙ୍କେତ ଦେଇଛନ୍ତି ।

ସୋମବାର ରିଜର୍ଭ ଦିବସରେ ଅନୁଷ୍ଠିତ ଆଇପିଏଲର ରୋମାଞ୍ଚକର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ୫ ଓ୍ବିକେଟରେ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ୫ମ ଟାଇଟଲ୍ ସହ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡର ସମକକ୍ଷ ହୋଇଥିଲା ।

ସଦ୍ୟ ସମାପ୍ତ ସିଜନ୍ ୪୧ ବର୍ଷୀୟ ଧୋନିଙ୍କ ଶେଷ ଆଇପିଏଲ୍ ହେବ ବୋଲି ଚର୍ଚ୍ଚା ହେଉଥିଲା । ତେଣୁ ତାଙ୍କୁ ଚିୟର କରିବା ପାଇଁ ସବୁ ଭେନ୍ୟୁରେ ଦର୍ଶକଙ୍କ ଭିଡ଼ ଜମୁଥିଲା ।

ଫାଇନାଲରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ପାଞ୍ଚ ୱିକେଟରେ ବିଜୟ ପରେ ଧୋନିଙ୍କୁ ଏହା ତାଙ୍କର ଶେଷ ସିଜନ୍ କି ବୋଲି ପ୍ରଶ୍ନ କରାଯାଇଥିଲା ‌‌। ଧୋନି କହିଥିଲେ, ପରିସ୍ଥିତିକୁ ଦେଖିଲେ ଅବସର ନେବା ପାଇଁ ଏହା ମୋ ପାଇଁ ପ୍ରକୃଷ୍ଟ ସମୟ। ମୁଁ ବର୍ତ୍ତମାନ ବିଦାୟ ନେଉଛି ବୋଲି କହିବା ମୋ ପାଇଁ ବହୁତ ସହଜ । କିନ୍ତୁ ପରବର୍ତ୍ତୀ ୯ ମାସ ପାଇଁ କଠିନ ପରିଶ୍ରମ କରିବା ଏବଂ ପୁଣି ଆସି ଆଉ ଏକ ସିଜନ୍ ଖେଳିବା କଷ୍ଟକର ।

ସେ କହିଛନ୍ତି, “ଶରୀର ସାଥ୍ ଦେବାକୁ ପଡ଼ିବ। ଚେନ୍ନାଇ ପ୍ରଶଂସକମାନେ ଯେପରି ମୋ ଉପରେ ସ୍ନେହ ଅଜାଡ଼ିଛନ୍ତି, ଏହା ସେମାନଙ୍କ ପାଇଁ ମୋର ଉପହାର ହେବ ଯେ ମୁଁ ଆଉ ଗୋଟିଏ ସିଜନ୍ ଖେଳେ ‌। ସେମାନଙ୍କ ଭଲପାଇବା ଏବଂ ଉତ୍ସାହ ଦୃଷ୍ଟିରୁ ମୁଁ ମଧ୍ୟ ସେମାନଙ୍କ ପାଇଁ କିଛି କରିବା ଉଚିତ୍ | ଧୋନି କହିଛନ୍ତି, ଏହା ମୋର କ୍ୟାରିୟରର ଶେଷ ପର୍ଯ୍ୟାୟ | ଚେନ୍ନାଇରେ ଆମ ପ୍ରଥମ ମ୍ୟାଚରେ ସମସ୍ତେ ମୋର ନାମ ନେଉଥିଲେ । ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା । ମୋ ଆଖିରେ ଲୁହ ଆସିଯାଇଥିଲା । ମୁଁ ଫେରିବି ଓ ଯେତେ ଦୂର ସମ୍ଭବ ଖେଳିବାକୁ ଚେଷ୍ଟା କରିବି ।