କଂଗ୍ରେସ ସଭାପତି ଦୌଡ଼ରୁ ଓହରିଲେ ଦିଗବିଜୟ ସିଂହ, ଥରୁର-ଖଡଗେଙ୍କ ମଧ୍ୟରେ ହେବ ଲଢ଼େଇ

ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗବିଜୟ ସିଂହ ଦଳର ସଭାପତି ଦୌଡ଼ରୁ ଓହରି ଯାଇଛନ୍ତି । ମଲ୍ଲିକାର୍ଜୁନ ଖଡଗେଙ୍କ ଏଣ୍ଟ୍ରି ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ କଂଗ୍ରେସ ସଭାପତି ନିର୍ବାଚନ ଏବେ ଦ୍ବିମୁଖୀ ଲଢ଼େଇ ହେବ । ଏହି ପଦ ପାଇଁ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସଭାପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। ଦିଗବିଜୟ ସିଂହ କହିଛନ୍ତି ଯେ ସେ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ପ୍ରସ୍ତାବକ ହେବେ।

ଗଣମାଧ୍ୟମକୁ ଦିଗବିଜୟ ସିଂହ କହିଛନ୍ତି, “ମୁଁ ସାରା ଜୀବନ କଂଗ୍ରେସ ପାଇଁ କାମ କରିଛି ଏବଂ କରୁଥିବି। ମୁଁ ତିନୋଟି କଥା ଉପରେ କଦାପି ସାଲିସ୍ କରିବି ନାହିଁ – ଦଳିତ, ଆଦିବାସୀ ଏବଂ ଗରିବଙ୍କ ଅଧିକାର, ସାମ୍ପ୍ରଦାୟିକ ଶକ୍ତି ଏବଂ ତୃତୀୟରେ କଂଗ୍ରେସ ଏବଂ ନେହେରୁ ଗାନ୍ଧୀ ପରିବାର ପ୍ରତି ମୋର ପ୍ରତିବଦ୍ଧତା ସର୍ବଦା ରହିବ । ତେଣୁ ଗତକାଲି ମୁଁ ଗଡଗେ ସାହେବଙ୍କ ଘରକୁ ଯାଇଥିଲି ଏବଂ ମୁଁ ତାଙ୍କୁ ପଚାରିଥିଲି ଯଦି ଆପଣ ନାମାଙ୍କନ ଦାଖଲ କରନ୍ତି, ତେବେ ମୁଁ କରିବି ନାହିଁ । ତେବେ ସେ ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ମୋତେ କହିଥିଲେ ।

“ଯେତେବେଳେ ମୁଁ ଗଣମାଧ୍ୟମରୁ ତାଙ୍କ ନାମ ଉପରେ ଚର୍ଚ୍ଚା ବିଷୟରେ ଜାଣିଲି, ମୁଁ ଆଜି ତାଙ୍କୁ ଭେଟିବାକୁ ଯାଇ କହିଲି ଯେ ଆପଣ ଯଦି ନାମାଙ୍କନ ଭରୁଛନ୍ତି ତେବେ ଆପଣ ଜଣେ ବରିଷ୍ଠ ନେତା । ମୁଁ ଆପଣଙ୍କ ବିରୋଧରେ ଲଢ଼ିବାକୁ ଆଦୌ ଭାବି ପାରିବି ନାହିଁ । ବର୍ତ୍ତମାନ ସେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ତେଣୁ ମୁଁ କହିଲି ମୁଁ ଆପଣଙ୍କ ପ୍ରସ୍ତାବକ ହେବି।” “

Comments are closed.