ଭିସା ମାମଲାରେ ଜୋକୋଭିକଙ୍କୁ ଝଟକା, ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ

ମେଲବୋର୍ଣ୍ଣ: ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକଙ୍କ ଅଷ୍ଟ୍ରେଲିଆନ ଓପନରେ ଖେଳିବା ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଭିସା ରଦ୍ଦ ମାମଲାରେ ଏହି ସର୍ବିୟା ଷ୍ଟାରଙ୍କୁ ଅଷ୍ଟ୍ରେଲିଆର ଫେଡେରାଲ କୋର୍ଟରୁ ବଡ଼ ଝଟକା ଲାଗିଛି । ଭିସା ରଦ୍ଦ ମାମଲାରେ ତାଙ୍କ ଆବେଦନକୁ ଖାରଜ କରି କୋର୍ଟ ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଏବେ ଜୋକୋଭିକଙ୍କୁ ସ୍ବଦେଶ ପଠାଇ ଦିଆଯିବ | ଭିସା ମାମଲାରେ ଗତ କିଛି ଦିନ ଧରି ନଅ ଥର ଅଷ୍ଟ୍ରେଲୀୟ ଓପନ୍ ଚାମ୍ପିଅନ୍ ଜୋକୋଭିକ୍ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ଆଇନଗତ ଲଢେଇ ଚାଲିଥିଲା। କୋର୍ଟର ସଦ୍ୟତମ ନିଷ୍ପତ୍ତି ପରେ ଜୋକୋଭିକଙ୍କ ପାଖରେ ଅଷ୍ଟ୍ରେଲିଆ ଛାଡ଼ିବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ |

ଜୋକୋଭିକ୍ ଟିକା ଲଗାଇ ନଥିବାରୁ ତାଙ୍କୁ ଜନସାଧାରଣଙ୍କ ପାଇଁ ବିପଦ ବୋଲି ଦର୍ଶାଇ ଅଷ୍ଟ୍ରେଲୀୟ ଇମିଗ୍ରେସନ୍ ମନ୍ତ୍ରୀ ଆଲେକ୍ସ ହକ୍ ଦ୍ବିତୀୟ ଥର ପାଇଁ ଏହି ଟେନିସ୍ ସୁପରଷ୍ଟାରଙ୍କ ଭିସା ରଦ୍ଦ କରିଥିଲେ । ଏହା ବିରୋଧରେ ଜୋକୋଭିକ୍ ପୁଣି ଥରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହାପୂର୍ବରୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କୋଭିଡ୍ ଟିକା ଲଗାଇ ନଥିବାରୁ ଟେନିସ ଖେଳାଳିଙ୍କ ଭିସା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ମେଲବୋର୍ଣ୍ଣରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ଏହି ମାମଲାରେ ପ୍ରଥମେ ତାଙ୍କୁ ଅଦାଲତରୁ ଆଶ୍ବସ୍ତି ମିଳିଥିଲା ।

ଜୋକୋଭିକ୍ ମାମଲାରେ ଅଷ୍ଟ୍ରେଲିଆ ଏବଂ ସର୍ବିଆ ମଧ୍ୟରେ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ନିକଟରେ ସର୍ବିଆର ରାଷ୍ଟ୍ରପତି ଏହି ଷ୍ଟାର ଖେଳାଳିଙ୍କ ବିରୋଧରେ ଅଷ୍ଟ୍ରେଲିଆର ଏହି କାର୍ଯ୍ୟକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବ ବୋଲି ମନେ କରାଯାଉଛି। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆରେ ପହଞ୍ଚିବା ପୂର୍ବରୁ ଜୋକୋଭିକ୍ ମେଡିକାଲ୍ କାରଣରୁ ତାଙ୍କୁ ଟିକା ନିୟମରୁ ଛାଡ଼ ଦେବା ସହ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଆବେଦନ କରିଥିଲେ। ଟେନିସ୍ ଅଷ୍ଟ୍ରେଲିଆ ଦ୍ବାରା ଗଠିତ ଏକ ସ୍ବାଧୀନ ବିଶେଷଜ୍ଞ ପ୍ୟାନେଲ ମଧ୍ୟ ତାଙ୍କୁ ମେଡିକାଲ୍ କାରଣରୁ ଟିକା ନିୟମରୁ ଛାଡ଼ ଦେଇଥିଲେ । କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ବେଆଇନ ବୋଲି କହି ଜୋକୋଭିକଙ୍କ ଭିସା ରଦ୍ଦ କରିଥିଲେ ।

ନିକଟରେ ଜୋକୋଭିକଙ୍କ ଓକିଲ କୋର୍ଟରେ କହିଥିଲେ ଯେ ଜୋକୋଭିକ୍ ଡିସେମ୍ବର ୨୦୨୧ରେ କୋରାନା ସଂକ୍ରମିତ ହୋଇଥିଲେ । ଯେଉଁଥିପାଇଁ ସେ ଟିକା ଲଗାଇ ନଥିଲେ । କିନ୍ତୁ ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ଏହା ଶୁଣିବାକୁ ନାରାଜ ଥିଲେ ଏବଂ ତାଙ୍କ ଭିସା ବାତିଲ କରିଥିଲେ। ବର୍ତ୍ତମାନ ଜୋକୋଭିକଙ୍କୁ ଘରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେ ଅଷ୍ଟ୍ରେଲୀୟ ଓପନରେ ଭାଗ ନେଇ ପାରିବେ ନାହିଁ | ଡିଫେଣ୍ଡିଂ ଚାମ୍ପିୟନସ ଜୋକୋଭିକ ଅଷ୍ଟ୍ରେଲିଆନ ଓପନରେ ରେକର୍ଡ ୨୧ତମ ଗ୍ରାଣ୍ଡ୍ ସ୍ଲାମ୍ ଜିତିବ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏହି ସ୍ୱପ୍ନ ଏବେ ଧୂଳିସାତ ହୋଇଛି | ତାଙ୍କୁ ଏଥିପାଇଁ ଫ୍ରେଞ୍ଚ୍ ଓପନ୍ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

Comments are closed.