କାଲି ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ସୋମବାର ଶପଥ ଗ୍ରହଣ କରିବେ । ଶପଥ ପରେ ତାଙ୍କୁ ୨୧ ତୋପ ସଲାମୀ ଦିଆଯିବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ଏହି ଶପଥ ଗ୍ରହଣ ଉତ୍ସବ ସୋମବାର ପ୍ରାୟ ୧୦.୧୫ ସମୟରେ ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇବେ । ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ , ଶପଥ ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁଙ୍କୁ ୨୧ ତୋପ ସଲାମୀ ଦିଆଯିବ । ଏହା ପରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଆରମ୍ଭ ହେବ ।

ଶପଥ ଗ୍ରହଣ ଉତ୍ସବ ପାଇଁ ବିଦାୟୀ ରାଷ୍ଟ୍ରପତି ଏବଂ ନିର୍ବାଚିତ ରାଷ୍ଟ୍ରପତି ସଂସଦରେ ପହଞ୍ଚିବେ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ମନ୍ତ୍ରୀ ପରିଷଦର ସଦସ୍ୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୂଟନୈତିକ ମିଶନର ମୁଖ୍ୟ, ସଂସଦର ସଦସ୍ୟ ତଥା ସରକାରୀ, ନାଗରିକ ତଥା ସାମରିକ ମୁଖ୍ୟ ଅଧିକାରୀମାନେ, ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ | ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।

ସଂସଦର ସେଣ୍ଟ୍ରାଲ ହଲରେ ଶପଥ ଗ୍ରହଣ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ରାଷ୍ଟ୍ରପତି ଭବନ’କୁ ଯିବେ, ଯେଉଁଠାରେ ତାଙ୍କୁ’ ଇଣ୍ଟର-ସର୍ଭିସ ଗାର୍ଡ ଅଫ୍ ଅନର ‘ପ୍ରଦାନ କରାଯିବ ଏବଂ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟ ମୂଳକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ମୁର୍ମୁ (୬୪) ଗୁରୁବାର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ । ମୁର୍ମୁ ୬୪% ରୁ ଅଧିକ ଭୋଟ୍ ପାଇଥିଲେ ଏବଂ ବୃହତ ବ୍ୟବଧାନରେ ​​ଜିତିଥିଲେ। ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେବେ। ସିହ୍ନାଙ୍କ ୩,୮୦,୧୭୭ ଭୋଟ୍ ତୁଳନାରେ ମୁର୍ମୁ ୬,୭୬,୮୦୩ ଭୋଟ୍ ପାଇଥିଲେ |

ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପ୍ରଥମ ମହିଳା ରାଷ୍ଟ୍ରପତି । ଏହାଛଡ଼ା ସେ ପ୍ରଥମ ରାଷ୍ଟ୍ରପତି ଯିଏକି ସ୍ଵାଧୀନତା ପରେ ଜନ୍ମ ଗ୍ରହଣ କରିଛନ୍ତି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାରେ ସେ ସର୍ବକନିଷ୍ଠ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବାରେ ମଧ୍ୟ ମୁର୍ମୁ ଦ୍ୱିତୀୟ ମହିଳା।

Comments are closed.