ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରୁ ହଟିବ ‘ସାରେ ଜାହାଁ ସେ ଆଚ୍ଛା’ର ରଚୟିତା ମହମ୍ମଦ ଇକବାଲଙ୍କ ଅଧ୍ୟାୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକାଡେମିକ୍ କାଉନସିଲ୍ (ଡିୟୁ) ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ପାକିସ୍ତାନର ଜାତୀୟ କବି ମହମ୍ମଦ ଇକବାଲଙ୍କ ଉପରେ ଥିବା ଏକ ଅଧ୍ୟାୟକୁ ହଟାଇବା ପାଇଁ ପ୍ରସ୍ତାବ ପାରିତ କରିଛି। ୧୮୭୭ ମସିହାରେ ଅବିଭକ୍ତ ଭାରତର ସିଆଲକୋଟରେ ଜନ୍ମଗ୍ରହଣ କରିଥିବା ଇକବାଲ ପ୍ରସିଦ୍ଧ ଦେଶାତ୍ମବୋଧକ ଗୀତ ‘ସାରେ ଜାହାଁ ସେ ଆଚ୍ଛା..’ ଲେଖିଥିଲେ। ଅଲଗା ‘ପାକିସ୍ତାନ’ ଦେଶର ପ୍ରସ୍ତାବ ଦେବା ପାଇଁ ସାଧାରଣତଃ ତାଙ୍କୁ ଶ୍ରେୟ ଦିଆଯାଏ | ଡିୟୁ ଅଧିକାରୀମାନଙ୍କ କହିବା ଅନୁଯାୟୀ ଇକବାଲ୍ ବି.ଏ. ଷଷ୍ଠ ସେମିଷ୍ଟାର ପାଠ୍ୟକ୍ରମର ‘ଆଧୁନିକ ଭାରତୀୟ ରାଜନୈତିକ ବିଚାରଧାରା’ ଶୀର୍ଷକ ଅଧ୍ୟାୟର ଏକ ଅଂଶ ଥିଲେ ।

ଡିୟୁ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଏହି ମାମଲା ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦ ସମ୍ମୁଖରେ ରଖାଯିବ ଯାହା ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଯଦି କାର୍ଯ୍ୟକାରୀ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରେ, ତେବେ ଇକବାଲଙ୍କ ଅଧ୍ୟାୟ ପାଠ୍ୟକ୍ରମରୁ ବାଦ୍ ଦିଆଯିବ। ଏକାଡେମିକ୍ ପରିଷଦର ଜଣେ ସଦସ୍ୟ କହିଛନ୍ତି ଯେ ରାଜନୀତି ବିଜ୍ଞାନର ପାଠ୍ୟକ୍ରମରେ ପରିବର୍ତ୍ତନ ସମ୍ପର୍କରେ ଏକ ପ୍ରସ୍ତାବ ଅଣାଯାଇଛି। ପ୍ରସ୍ତାବ ଅନୁଯାୟୀ, ଇକବାଲ ଉପରେ ଏକ ଅଧ୍ୟାୟ ଥିଲା, ଯାହାକୁ ସିଲାବସରୁ ହଟାଇ ଦିଆଯାଇଛି। ଏହି ନିଷ୍ପତ୍ତିକୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ସହ ଜଡିତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସ୍ୱାଗତ କରିଛି।

ଡିୟୁର ରାଜନୀତି ବିଜ୍ଞାନ ବି.ଏ ପାଠ୍ୟକ୍ରମର ସମୀକ୍ଷା ସମୟରେ ଇକବାଲ ସମ୍ବନ୍ଧୀୟ ଅଧ୍ୟାୟକୁ ହଟାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପାଠ୍ୟକ୍ରମରେ ସ୍ଥାନ ପାଇଥିବା ଅନ୍ୟ ମହାପୁରୁଷଙ୍କ ମଧ୍ୟରେ ରାମମୋହନ ରାୟ, ପଣ୍ଡିତା ରମାବାଇ, ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଏବଂ ଭୀମରାଓ ଆମ୍ବେଦକର ଅଛନ୍ତି।

ଏବିଭିପି ଡିୟୁ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରି କହିଛି, ଭାରତର ବିଭାଜନ ପାଇଁ ‘ଚରମପନ୍ଥୀ ବିଦ୍ୱାନ ଇକବାଲ୍ ଦାୟୀ ଥିଲେ । ଜିନ୍ନାଙ୍କୁ ମୁସଲିମ ଲିଗର ନେତା ଭାବେ କରିବାରେ ମଧ୍ୟ ଇକବାଲଙ୍କର ପ୍ରମୁଖ ଭୂମିକା ଥିଲା। ଭାରତର ବିଭାଜନ ପାଇଁ ମହମ୍ମଦ ଅଲି ଜିନ୍ନା ଯେତିକି ଦାୟୀ, ମହମ୍ମଦ ଇକବାଲ ମଧ୍ୟ ସମାନ ଭାବେ ଦାୟୀ ।

Comments are closed.