ମାଗଣା ଉପହାର ପାଇଁ ଟଙ୍କା କେଉଁଠୁ ଆସିବ ଭୋଟରଙ୍କୁ ଜଣାଇବେ ରାଜନୈତିକ ଦଳ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ମାଗଣା ନିର୍ବାଚନୀ ଉପହାର ନେଇ ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ନିର୍ବାଚନ ଆୟୋଗ ଏକ ସମ୍ବନ୍ଧୀୟ ନିୟମ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପରି ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳମାନେ ଏଥିପାଇଁ ଆବଶ୍ୟକ ଟଙ୍କା କୁଆଡୁ ଆଣିବେ ସେନେଇ ସବିଶେଷ ତଥ୍ୟ ଭୋଟରଙ୍କୁ ଦେବାକୁ ପଡ଼ିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବିତ ଏହି ନୂଆ ନିୟମ ଦଳଗୁଡ଼ିକୁ ଭୋଟରଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିବ। ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଚିଠି ଲେଖି ସେମାନଙ୍କ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ଅର୍ଥ ସଂଗ୍ରହ କରିବାର ଉପାୟ ଏବଂ ଅର୍ଥର ସବିଶେଷ ତଥ୍ୟ ମାଗିଛନ୍ତି। ଅକ୍ଟୋବର ୧୯ ସୁଦ୍ଧା ଦଳଗୁଡିକ ପ୍ରସ୍ତାବିତ ପରିବର୍ତ୍ତନ ଉପରେ ଜବାବ ଦାଖଲ କରିବାକୁ ହେବ | ନିର୍ବାଚନ ଆୟୋଗ ତାଙ୍କ ଚିଠିରେ କହିଛନ୍ତି ଯେ ଭୋଟରଙ୍କୁ କେବଳ ସେହି ପ୍ରତିଶ୍ରୁତି ଦେବା ଉଚିତ ଯାହା ଯାହା ପୂରଣ କରିବା ସମ୍ଭବ ।

ନିର୍ବାଚନ ଆୟୋଗ କହିଛନ୍ତି ଯେ ଦଳମାନେ ନିର୍ବାଚନ ଇସ୍ତାହାରରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଉଚିତ ଯେ ପ୍ରତିଶ୍ରୁତିର ସ୍ୱଚ୍ଛତା, ସମାନତା ଏବଂ ବିଶ୍ୱସନୀୟତା ପାଇଁ ଆର୍ଥିକ ଆବଶ୍ୟକତା କିପରି ଏବଂ କେଉଁ ମାଧ୍ୟମରେ ପୂରଣ ହେବ । ଆୟୋଗର ନିର୍ବାଚନ ଆଚରଣବିଧିରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଦଳମାନେ ନିର୍ବାଚନୀ ଇସ୍ତାହାରରେ ଦିଆଯାଉଥିବା ପ୍ରତିଶ୍ରୁତିର ଯଥାର୍ଥତା ସାବ୍ୟସ୍ତ କରିବାକୁ ହେବ।

ନିର୍ବାଚନ ଆୟୋଗର ଏପରି ପ୍ରସ୍ତାବ ଉପରେ ଆମ୍ ଆଦମୀ ପାର୍ଟି (ଆପ୍) ପ୍ରତିକ୍ରିୟା ରଖିଛି । ଦଳ କହିଛି ଯେ ସରକାର ଟିକସଦାତାଙ୍କ ଅର୍ଥ ରାଜନେତା, ସେମାନଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ଲାଭ ଦେବା ପାଇଁ ନୁହେଁ ବରଂ ଜନସାଧାରଣଙ୍କୁ ସୁବିଧା ଯୋଗାଇବା ପାଇଁ ଖର୍ଚ୍ଚ କରିବା ଉଚିତ। ଦଳ କହିଛି ଯେ ଲୋକଙ୍କୁ ବିଦ୍ୟୁତ୍, ପାଣି, ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ଯେକୌଣସି ସରକାରଙ୍କ ମୁଖ୍ୟ ଦାୟିତ୍ବ ଅଟେ। ଆୟୋଗର ପ୍ରସ୍ତାବ ଉପରେ ଦଳର ମତାମତ ସମ୍ପର୍କରେ ପଚରାଯିବାରୁ ଦଳର ଜାତୀୟ ମୁଖପାତ୍ର ଅତିଶୀ ଗଣମାଧ୍ୟମକୁ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ପ୍ରସଙ୍ଗରେ ନିଜ ମତ ରଖିବ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣା ପ୍ରତିଶ୍ରୁତିକୁ “ରେୱଡି ସଂସ୍କୃତି” ବୋଲି କହି ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ | ଏହାକୁ ନେଇ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ବାଦ-ବିବାଦ ଆରମ୍ଭ ହୋଇଯାଇଥିଲା।

Comments are closed.