ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଗିରଫ କଲା ଇଡି | News Room Odisha

ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ଉତ୍ତରପ୍ରଦେଶରେ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ମହାରାଷ୍ଟ୍ରର ରାଜନୈତିକ ମହଲରୁ ଏକ ବଡ଼ ଖବର ଆସିଛି। ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖପାତ୍ର ନଓ୍ବାବ ମଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସୂଚନାନୁସାରେ, ଅଣ୍ଡରୱାର୍ଲ୍ଡ ସହ ଲିଙ୍କ୍ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି। ଜେରା ବେଳେ ତାଙ୍କ ନାମ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମର ଭାଇ ଇକବାଲ କାସକର ନେଇଥିଲେ। ଇଡିର ଏକ ଟିମ୍ ଆଜି ସକାଳ ୭:୪୫ ରେ ପଚରାଉଚରା ପାଇଁ ନଓ୍ବାବ ମଲିକଙ୍କୁ ମୁମ୍ବାଇ କାର୍ଯ୍ୟାଳୟକୁ ନେଇ ଯାଇଥିଲେ।

ଇଡି ସୂତ୍ର ଅନୁଯାୟୀ, ମଲିକ ପଚରାଉଚୁରାରେ ଅଧିକାରୀଙ୍କ ସହ ସହଯୋଗ କରୁନଥିଲେ ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି। ମଲିକଙ୍କୁ ଗିରଫ କରିବା ପରେ ଇଡି ଟିମ୍ ତାଙ୍କୁ ଡାକ୍ତରଖାନାକୁ ନେଇ ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ବର୍ତ୍ତମାନ ତାଙ୍କୁ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟରେ ହାଜର କରାଯିବ |