ଇଡି ଟିମ୍ ଉପରେ ଆକ୍ରମଣ ମାମଲା: ଫେରାର ଟିଏମସି ନେତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ | News Room Odisha

ଇଡି ଟିମ୍ ଉପରେ ଆକ୍ରମଣ ମାମଲା: ଫେରାର ଟିଏମସି ନେତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହୋଇଛି। ଶୁକ୍ରବାର ରାସନ୍ ଦୁର୍ନୀତି ମାମଲାରେ ତାଙ୍କ ଘରେ ଚଢାଉ କରିବାକୁ ଯାଇଥିବା ବେଳେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଅନେକ ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ଶାହାଜାହାନ ଶେଖ୍ ଫେରାର ଅଛନ୍ତି । ଶାହାଜାହାନ ଶେଖଙ୍କ ସମର୍ଥକମାନେ ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ । ଏହି ଟିଏମସି ନେତାଙ୍କୁ ଧରିବା ପାଇଁ ଇଡି ସମସ୍ତ ବିମାନବନ୍ଦର ସହ ସୀମା ସୁରକ୍ଷା ବାହିନୀ, ସୀମା ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିକୁ ଆଲର୍ଟ କରିଛି ।

ଟିଏମସି ନେତା ତଥା ଉତ୍ତର ୨୪ ପ୍ରଗଣା ଜିଲ୍ଲା ପରିଷଦ ସଦସ୍ୟ ଶାହାଜାହାନ ଶେଖଙ୍କ ସନ୍ଦେଶଖାଲି ସ୍ଥିତ ବାସଭବନରେ ତଲାସି ପାଇଁ ଯାଇଥିବା ଇଡି ଦଳ ଉପରେ ତାଙ୍କ ସମର୍ଥକମାନେ ଘାତକ ଆକ୍ରମଣ କରିଥିଲେ । ଇଡି ଦଳ ସହ ଯାଇଥିବା ସିଆରପିଏଫ୍ ଯବାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।

ଏହି ମାମଲାରେ ଇଡି ଶୁକ୍ରବାର ବିଳମ୍ବିତ ରାତିରେ ବୋନଗାଓଁ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କୁ ଗିରଫ କରିଥିଲା। ଆଧ୍ୟା ପୂର୍ବତନ ରାଜ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କ ନିକଟତର ବୋଲି କୁହାଯାଉଛି। ରାସନ୍ ଦୁର୍ନୀତି ମାମଲାରେ ଜ୍ୟୋତିପ୍ରିୟଙ୍କୁ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିସାରିଛି ।