ଅଭିନେତା ପ୍ରକାଶ ରାଜଙ୍କୁ ଇଡି ସମନ

ଚେନ୍ନାଇ: ତିରୁଚିରାପଲ୍ଲୀର ଏକ ଜୁଏଲରୀ ଗ୍ରୁପ୍ ବିରୋଧରେ ୧୦୦ କୋଟିର ପଞ୍ଜି ସ୍କିମ୍ ଓ ଜାଲିଆତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସ୍ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତା ପ୍ରକାଶ ରାଜଙ୍କୁ ଗୁରୁବାର ସମନ ଜାରି କରିଛି ।

ତିରୁଚିରାପଲ୍ଲୀ ସ୍ଥିତ ପ୍ରଣବ ଜୁଏଲର୍ସ ନାମକ କମ୍ପାନୀ ବିରୋଧରେ ଏକ ମାମଲାର ତଦନ୍ତ କରୁଛି ଇଡି । ନଭେମ୍ବର ୨୦ରେ କେନ୍ଦ୍ରୀୟ ଏଜେନ୍ସି ଏହି କମ୍ପାନୀ ଉପରେ ଚଢ଼ାଉ କରି ୨୩.୭୦ ଲକ୍ଷର ହିସାବ ବହିର୍ଭୂତ ନଗଦ ଟଙ୍କା ଏବଂ କିଛି ସୁନା ଅଳଙ୍କାର ଜବତ କରିଥିଲା ।

ପ୍ରକାଶ ରାଜ (୫୮) ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଥିଲେ | ଆସନ୍ତା ସପ୍ତାହରେ ତାଙ୍କୁ ଚେନ୍ନାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତା ବିଜେପିର ଜଣେ କଠୋର ସମାଲୋଚକ ରହିଆସିଛନ୍ତି।

ତାମିଲନାଡୁ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ରୁଜୁ ଏକ ଏତଲା ଭିତ୍ତିରେ ଇଡି ଏହି ମାମଲାର ତଦନ୍ତ କରୁଛି ।

ପୋଲିସ ଅଭିଯୋଗ ଅନୁଯାୟୀ, ପ୍ରଣବ ଜୁଏଲର୍ସ ଏବଂ ଅନ୍ୟମାନେ ସୁନା ନିବେଶ ଯୋଜନା ନାମରେ ଜନସାଧାରଣଙ୍କଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରି ଅଧିକ ‘ରିଟର୍ଣ୍ଣ୍’ର ପ୍ରତିଶ୍ରୁତି ଦେଇଥିଲେ ବୋଲି ଇଡି ବୁଧବାର ଏକ ବିବୃତ୍ତିରେ ଦାବି କରିଥିଲା।

Comments are closed.