ଖାଇକୁ ଖସିଲା ବସ୍, ୮ ମୃତ

ନୀଳଗିରି (ତାମିଲନାଡୁ): ତାମିଲନାଡୁର ନୀଳଗିରିରେ ଶନିବାର ଏକ ଟୁରିଷ୍ଟ ବସ୍ ଖାଇରେ ଖସିପଡିବାରୁ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି ।

ସୂଚନା ଅନୁଯାୟୀ, ଏହି ଘଟଣା କୁନୁର ନିକଟ ମାରାପଲମ ନିକଟରେ ଘଟିଛି। ଟୁରିଷ୍ଟ ବସ୍ ଊଟିରୁ ମେଟୁପଲାୟମ ଯାଉଥିଲା ବେଳେ ଏକ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ବସରେ ୫୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଏବଂ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତ ମାନଙ୍କୁ କୋଏମ୍ବାଟୁର ପଠାଯାଇଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୮ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ଲକ୍ଷେ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସାମାନ୍ୟ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଛି ।

Comments are closed.