ଟ୍ବିଟରକୁ କିଣିଲେ ଏଲନ୍ ମସ୍କ, ୪୪ ବିଲିୟନ ଡଲାରରେ ହେଲା ଡିଲ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଶେଷରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ କିଣିବେ । ଏଥିପାଇଁ ୪୪ ବିଲିୟନ ଡଲାର (୩.୩ ଲକ୍ଷ କୋଟି) ରେ ବିଲ୍ ଚୂଡ଼ାନ୍ତ ହୋଇଛି ‌। ମସ୍କଙ୍କ ଅଧିଗ୍ରହଣ ଅଫରକୁ ଗ୍ରହଣ କରିବା ପାଇଁ ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଟ୍ବିଟର ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ ଏନେଇ ଗତ କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏହି ସୋସିଆଲ ମିଡିଆ କମ୍ପାନୀ ଏବେ ଏଲନ୍ ମସ୍କଙ୍କ ମାଲିକାନାରେ ରହିବ।

ମସ୍କ ଦୁଇ ସପ୍ତାହ ପୂର୍ବରୁ କହିଥିଲେ ଯେ ଟ୍ୱିଟରରେ “ଅପାର ସମ୍ଭାବନା” ଅଛି ଯାହାକୁ ସେ ଅନଲକ୍ କରିବେ | ସେ ନିକଟରେ ଟ୍ବିଟରର ୯.୬ ପ୍ରତିଶତ ଅଂଶଧନ କିଣିଥିଲେ । କିନ୍ତୁ କମ୍ପାନୀର ବୋର୍ଡରେ ଯୋଗ ଦେଇନଥିଲେ । ପରେ ସେ ପୂରା ଟ୍ବିଟର କିଣିବାକୁ ୪୪ ବିଲିୟନ ଡଲାରର ଲୋଭନୀୟ ଅଫର୍ ଦେଇଥିଲେ ।

ସେହି ସମୟରେ ଟ୍ୱିଟର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ଲାଟଫର୍ମରୁ ବ୍ୟାନ କରିଥିବା ବେଳେ ନିଜକୁ “ବାକ୍ ସ୍ବାଧୀନତାର ଏକ ବଡ଼ ପ୍ରୋତ୍ସାହକ” ବୋଲି ବର୍ଣ୍ଣନା କରୁଥିବା ମସ୍କ କହିଛନ୍ତି ଯେ ସେ ଏହି ପ୍ଲାଟଫର୍ମରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି।

ଗତକାଲି ରାତିରେ ଏକ ବିବୃତ୍ତିରେ ମସ୍କ ଟ୍ୱିଟ୍ କରି କହିଛନ୍ତି, “ବାକ୍ ସ୍ବାଧୀନତା ହେଉଛି ଏକ ଗଣତନ୍ତ୍ରର ମୂଳଦୁଆ, ଏବଂ ଟ୍ୱିଟର ହେଉଛି ଡିଜିଟାଲ୍ ଦୁନିଆର ଏକ ଟାଉନ୍ ସ୍କୋୟାର ଯେଉଁଠାରେ ମାନବିକତାର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ବିତର୍କ ହୋଇଛି। ପୂର୍ବାପେକ୍ଷା ଟ୍ୱିଟରର ଆହୁରି ଉନ୍ନତ କରିବାକୁ ଚାହୁଁଛି। ଏଥିରେ ଆଲଗୋରିଦମଗୁଡ଼ିକୁ ଓପନ୍ ସୋର୍ସ କରିବା, ସ୍ପାମ୍ ବଟ୍ ହଟାଇବା ଏବଂ ପ୍ଲାଟଫର୍ମରେ ବିଶ୍ବାସନୀୟତା ବଢ଼ାଇବା ପାଇଁ ସମସ୍ତଙ୍କ ପରିଚୟ ପ୍ରାମାଣିକରଣ ଭଳି ପଦକ୍ଷେପ ନିଆଯିବ ।

ଟ୍ୱିଟରରେ ବହୁତ ସମ୍ଭାବନା ଅଛି, ମୁଁ ଏହାକୁ ଅନଲକ୍ କରିବାକୁ କମ୍ପାନୀ ଏବଂ ୟୁଜର କମ୍ୟୁନିଟି ସହିତ କାମ କରିବାକୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି।

ଏହି ଡିଲ୍ ସହିତ ସର୍ବସାଧାରଣରେ ବ୍ୟବସାୟ କରୁଥିବା ଫାର୍ମ ଟ୍ୱିଟର ବର୍ତ୍ତମାନ ମସ୍କଙ୍କ ମାଲିକାନା ଥିବା ଏକ ଘରୋଇ କମ୍ପାନୀରେ ପରିଣତ ହେବ |

ଟ୍ୱିଟର କହିଛି ଯେ କମ୍ପାନୀର ସେୟାର ପିଛା ମୂଲ୍ୟ ୫୪.୨୦ ଡଲାର ରହିଛି, ଯାହା ହିସାବରେ ଏହି କମ୍ପାନୀର ମୋଟ ମୂଲ୍ୟ ୪୪ ବିଲିୟନ ଡ଼ଲାର ହେବ।

କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଏକ ଟୁଇଟରେ କହିଛନ୍ତି, “ଟୁଇଟରର ଏକ ଉଦ୍ଦେଶ୍ୟ ଏବଂ ପ୍ରାସଙ୍ଗିକତା ଅଛି ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ | ଆମେ ଆମ ଦଳ ପାଇଁ ବେଶ୍ ଗର୍ବିତ ଏବଂ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ପ୍ରେରଣା ପାଇଛୁ।”

ଫୋର୍ବସ୍ ମାଗାଜିନ ଅନୁଯାୟୀ, ଏଲୋନ୍ ମସ୍କ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, ଯାହାଙ୍କର ସମ୍ପତ୍ତିର ମୂଲ୍ୟ ହେଉଛି ୨୭୩.୬ ବିଲିୟନ ଡଲାର। ତାଙ୍କର ସମ୍ପତ୍ତିର ସିଂହଭାଗ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସଲାରେ ତାଙ୍କର ସେୟାର ହୋଲଡିଂରୁ ଆସିଥାଏ | ସେ ଏରୋସ୍ପେସ୍ ଫାର୍ମ ସ୍ପେସ୍ ଏକ୍ସର ମଧ୍ୟ ମାଲିକ ଅଟନ୍ତି |

Comments are closed.