ଏମ୍ମା ରାଡୁକାନୁ ଜିତିଲେ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍

ନ୍ୟୁୟର୍କ: ବ୍ରିଟେନର ୧୮ ବର୍ଷୀୟା ଖେଳାଳି ଏମ୍ମା ରାଡୁକାନୁ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସର ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି | ୟୁଏସ୍ ଓପନ୍ ଫାଇନାଲରେ ଏମ୍ମା ରାଡୁକାନୁ କାନାଡାର ଲିଲା ଫର୍ଣ୍ଣାଣ୍ଡିସଙ୍କୁ ୬-୪, ୬-୩ ସେଟରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଛନ୍ତି | ରାଡୁକାନୁ ପ୍ରଥମ କ୍ବାଲିଫାୟର ଭାବେ ଏକ‌ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ରାଡୁକାନୁ ୫୩ ବର୍ଷ ପରେ ବ୍ରିଟେନର ପ୍ରଥମ ମହିଳା ଖେଳାଳି ଭାବେ ୟୁଏସ୍ ଓପନ୍ ଚାମ୍ପିଅନ ହୋଇଛନ୍ତି |

ଫାଇନାଲରେ ରାଡୁକାନୁ ଲିଲାଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଇନଥିଲେ | ଲିଲା ପ୍ରଥମ ସେଟରେ ରାଡୁକାନୁଙ୍କୁ ଏକ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ବି ସେଟ୍ ଜିତିବାରେ ସଫଳ ହୋଇନଥିଲେ | ଦ୍ୱିତୀୟ ସେଟରେ ରାଡୁକାନୁ ଜବରଦସ୍ତ ପ୍ରଦର୍ଶନ ସହ ମ୍ୟାଚକୁ ଅତି ସହଜରେ ଜିତି ଟାଇଟଲ୍ ହାତେଇଥିଲେ ।

୧୯୬୮ ମସିହା ପରେ ରାଡୁକାନୁ ପ୍ରଥମ ବ୍ରିଟିଶ ମହିଳା ଖେଳାଳି ଭାବେ ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି |

୨୦୨୧ ୟୁଏସ୍ ଓପନ୍ ରେ ରାଡୁକାନୁ ଚମତ୍କାର ପ୍ରଦର୍ଶନ କରିଛନ୍ତି | ପୁରା ଟୁର୍ନାମେଣ୍ଟରେ ରାଡୁକାନୁ ଷ୍ଟାର୍ ଖେଳାଳିଙ୍କୁ ଧରାଶାୟୀ କରିଥିବା ବେଳେ ଗୋଟିଏ ବି ସେଟ୍ ହରାଇ ନଥିଲେ | ୟୁଏସ୍ ଓପନ୍ ୨୦୨୧ରେ ରାଡୁକାନୁ ମୋଟ ୯ଟି ମ୍ୟାଚ୍ ଖେଳିଥିଲେ ଏବଂ ଫାଇନାଲ ସହ ଏହି ସବୁ ମ୍ୟାଚ୍ ସେ ସିଧାସଳଖ ସେଟରେ ଜିତିଥିଲେ | ୟୁଏସ୍ ଓପନରେ ରାଡୁକାନୁ ମୋଟ ୧୮ ସେଟ୍ ଜାଣିଥିଲେ |

ୟୁଏସ୍ ଓପନରେ ରାଡୁକାନୁ ତାଙ୍କ ପ୍ରଦର୍ଶନ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି | ଟୁର୍ନାମେଣ୍ଟ ପୂର୍ବରୁ ରାଡୁକାନୁ ର଼୍ୟାଙ୍କିଙ୍ଗରେ ୧୫୦ତମ ସ୍ଥାନରେ ରହିଥିଲେ | ରାଡୁକାନୁ ଏତେ ନିମ୍ନ ମାନ୍ୟତା ସହିତ ଇତିହାସ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି| ଫର୍ଣ୍ଣାଣ୍ଡିସଙ୍କ ର଼୍ୟାଙ୍କିଙ୍ଗ୍ ମଧ୍ୟ ୭୩ତମ ଥିଲା ଏବଂ ସେ ବି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ |

Comments are closed.