ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳପ୍ରବାହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାଫଳରେ ହୀରାକୁଦ ସମେତ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ ସ୍ଥିତି ଓ ଏଥି ପାଇଁ ଜଳସଂପଦ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଜିଲ୍ଲାପାଳମାନଙ୍କର ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅପରାହ୍ଣରେ ଲୋକସେବା ଭବନରେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ତଥା [...]
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାଫଳରେ ହୀରାକୁଦ ସମେତ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ ସ୍ଥିତି ଓ ଏଥି ପାଇଁ ଜଳସଂପଦ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଜିଲ୍ଲାପାଳମାନଙ୍କର ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅପରାହ୍ଣରେ ଲୋକସେବା ଭବନରେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ ।
ଏହି ବୈଠକରେ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବତଥା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୁବର୍ଣ୍ଣପୁର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, ନୟାଗଡ଼, ପୁରୀ, କଟକ ଆଦିଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ବୈଠକରେ ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାର ସମେତ ଅନ୍ୟ ବିଭିନ୍ନ ବୃହତ୍ଓ ମଧ୍ୟମ ଜଳ ଭଣ୍ଡାରଗୁଡ଼ିକର ଜଳଧାରଣ କ୍ଷମତା ଓ ବର୍ତ୍ତମାନର ଜଳସ୍ତର ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ବର୍ଷା ଋତୁରେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଲେ ବିଭାଗ ଦ୍ୱାରା ଅନୁସରଣ କରାଯାଉଥିବା ରୁଲ୍ କର୍ଭ, ବିଭିନ୍ନ ନଦୀ ଅବବାହିକାର ଉପର ମୁଣ୍ଡରେ ଜଳ ପ୍ରବେଶର ସୂଚନାଏବଂ ବିଭିନ୍ନ ନଦୀରେ ଜଳ ପ୍ରବାହର କ୍ଷମତା ଆଧାରରେ ନଦୀରେ ଜଳ ଛଡା ଯାଇଥାଏ ।
ଏବେ ହୀରାକୁଦ ଜଳଭଣ୍ଡାରରେ ୯୮ ଟି ଗେଟ୍ ମଧ୍ୟରୁ ୨୦ ଟି ଗେଟ୍ ଖୋଲାରହିଛି । ବୈଠକର ଆଲୋଚନାରୁ ଜଣାପଡିଛି ଯେ, ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ପୂର୍ଣ୍ଣ ସ୍ଥିତି ୬୩୦.୦୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୧୪.୦୮ଫୁଟ ରହିଛି । ସେହିପରି ରେଙ୍ଗାଲିରେ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ୧୧୧.୩୨ ମିଟର ରହିଛି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ସ୍ଥିତି, ନଦୀରେ ଜଳ ପ୍ରବାହ ସ୍ଥିତି ସଂପର୍କରେ ଉପସ୍ଥାପନ କରିଥିଲେ । ସମସ୍ତ ବୃହତ ଓ ମଧ୍ୟମ ଜଳଭଣ୍ଡାର ଓ ନଦୀରେ ଜଳ ପ୍ରବାହର ସ୍ଥିତି ଉପରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ନଜର ରଖାଯାଇଛି । ଜଳକା ନଦୀରେ ଗତକାଲି ଅଧିକ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ବିପଦ ସଂକୁଳ ସ୍ତର ତଳେ ଜଳ ପ୍ରବାହିତ ହେଉଛି । ମହାନଦୀର ମୁଣ୍ଡଳି ଠାରେ ଅଦ୍ୟାବଧି ପ୍ରାୟ ୪.୪୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦ ଓ ରେଙ୍ଗାଲୀ ଜଳଭଣ୍ଡାରକୁ ଜଳ ପ୍ରବେଶ ମାତ୍ରା କମ୍ ରହିଛି । ତେବେ ଲଗାଣ ବର୍ଷା ଯୋଗୁଁ ଅନ୍ୟ ଜଳ ଭଣ୍ଡାରଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି ।
ନଦୀରେ ପାଣି ପ୍ରବାହ ଦେଖିବାକୁ ଯାଉଥିବା ବ୍ୟକ୍ତିମାନଙ୍କୁ ସାଥିରେ ଛୋଟପିଲା ମାନଙ୍କୁ ନଦୀ କୂଳକୁ ନ ଛାଡିବା, ଗାଈ ଗୋରୁମାନଙ୍କୁ ନଦୀକୁ ନଛାଡିବା, ବିପଜ୍ଜନକ ଭାବେ ସେଲଫି୍ ନେବାରୁ ନିବୃତ୍ତ ରହିବାକୁସଚେତନତା ପାଇଁ ଏସଆରସି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଆହୁରି ମଧ୍ୟ ଚିଲିକାରେ ଡଙ୍ଗା ବା ଲଞ୍ଚ ଚଳାଚଳ ବେଳେ ସଂଖ୍ୟାଧିକ ଯାତ୍ରୀ ପରିବହନ ଉପରେ ଏସଆରସି ପୁରୀ ଜିଲ୍ଲାପାଳଙ୍କୁ ସତର୍କ ଦୃଷ୍ଟି ରଖିବା ସହ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଲଗାଣ ବର୍ଷା ଜନିତ ପ୍ରଭାବର ମୁକାବିଲା ସ୍ଥିତିରେ ସଂପୃକ୍ତ ଜିଲ୍ଲାମାନଙ୍କରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦିଆଯାଇଛି ।
ବିଭିନ୍ନ ଜିଲ୍ଲାରେ ପୂର୍ବରୁ ଚାଷ କାର୍ୟ୍ୟ ପାଇଁ ବର୍ଷା ପରିମାଣ ନିଅଣ୍ଟିଆ ସ୍ଥିତିରେ ରହିଥିବା ବେଳେ ଏବେ ବର୍ଷା ଫଳରେ ଚାଷ କାର୍ୟ୍ୟରେ ଆଶାଜନକ ଅଗ୍ରଗତି ପରିଲକ୍ଷିତ ହୋଇଥିବା ଜିଲ୍ଲାପାଳମାନେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଅଧିକ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଲେ ସେଥିପାଇଁ ସତର୍କତାମୁଳକ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳମାନେ କହିଥିଲେ । ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ତଦାରଖ କାର୍ୟ୍ୟ କରାଯାଉଥିବା ସହ ଜିଲ୍ଲା ଜରୁରୀକାଳୀନ ରେସପନ୍ସ ଟିମ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସୁନାମ ରହିଛି । ପୂର୍ବରୁ ରହିଥିବା ଏସଓପି ଆଧାରରେ ପୁନରୁଦ୍ଧାର ବ୍ୟବସ୍ଥା, ପ୍ରଶିକ୍ଷଣ,ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଯେଉଁ ଏସଓପି ରହିଛି, ଲଗାଣ ବର୍ଷା ଜନିତ ପ୍ରଭାବ ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ତାହାକୁ ଅଧିକ କ୍ରିୟାଶୀଳ କରାଯାଇ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ ସମନ୍ୱୟ ରଖି କାର୍ୟ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।ଏସଓପି ଅନୁସରଣ ସହ କୌଣସି କ୍ଷେତ୍ରରେ ଯେପରି ଜୀବନ ହାନି ନ ଘଟେ , ସେଥିପ୍ରତି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସମ୍ଭାବ୍ୟ ସ୍ଥିତିରେ ସରକାରୀ ଗୃହ, ବିଦ୍ୟାଳୟ କୋଠା, ରାସ୍ତା, କଲଭର୍ଟ ଆଦି କ୍ଷତିଗ୍ରସ୍ତ ହେଲେ ସେସବୁକୁ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଟିମ୍ ପ୍ରସ୍ତୁତ ଥିବା ସହ ଓଆରଏସ, ବ୍ଲିଚିଂ ପାଉଡର, ସାପ କାମୁଡା ପ୍ରତିଷେଧକ (ଆଣ୍ଟିଭେନମ), ଆମ୍ବୁଲାନ୍ସ ଓ ରାପିଡ ଆକ୍ସନ ଟିମ୍ ମୁତୟନ ବ୍ୟବସ୍ଥା ରହିଥିବା ସଂପର୍କରେ ବିଭାଗୀୟ ସଚିବ ଆଲୋକପାତ କରିଥିଲେ ।
H&UD Dept Prioritizes Immediate Response to Water Logging Issues across Urban Local Bodies
Next Articleଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
