News Room Odisha
BREAKING
Odia

ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – ମାମଲା ବିଚାରାଧୀନ ଥିବାବେଳେ ନିର୍ବାଚନ କମିଶନରଙ୍କୁ କାହିଁକି ନିଯୁକ୍ତ କଲ ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ନୂଆ ଆଇନ ଅନୁଯାୟୀ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରଦ୍ଦ କରିବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ ‌। ସ୍ବେଚ୍ଛାସେବୀ ସଂଗଠନ ‘ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)’ ତରଫରୁ ନିର୍ବାଚନ କମିଶନଙ୍କ ନିଯୁକ୍ତି ବିରୋଧରେ ଏହି ପିଟିସନ ଦାୟର ହୋଇଥିଲା । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି [...]

Admin•March 15, 2024
Share Article:

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ନୂଆ ଆଇନ ଅନୁଯାୟୀ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରଦ୍ଦ କରିବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ ‌। ସ୍ବେଚ୍ଛାସେବୀ ସଂଗଠନ ‘ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)’ ତରଫରୁ ନିର୍ବାଚନ କମିଶନଙ୍କ ନିଯୁକ୍ତି ବିରୋଧରେ ଏହି ପିଟିସନ ଦାୟର ହୋଇଥିଲା ।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲାବେଳେ ଆପଣ କାହିଁକି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିଥିଲେ ବୋଲି ଖଣ୍ଡପୀଠ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମାର୍ଚ୍ଚ ୨୧ରେ ଏନେଇ ଜବାବ ଦାଖଲ କରିବାକୁ ସରକାରଙ୍କୁ କହିଛନ୍ତି ଖଣ୍ଡପୀଠ ।

କେନ୍ଦ୍ର ସରକାର ଗୁରୁବାର ପୂର୍ବତନ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁଙ୍କୁ ଖାଲି ପଡ଼ିଥିବା ଦୁଇ ନିର୍ବାଚନ କମିଶନର ପଦରେ ନିଯୁକ୍ତ କରିଥିଲେ ।

ଏହି ମାମଲାରେ ଏଡିଆର ବ୍ୟତୀତ ମଧ୍ୟପ୍ରଦେଶର କଂଗ୍ରେସ ନେତ୍ରୀ ଜୟା ଠାକୁର ମଧ୍ୟ ଏକ ଆବେଦନ କରିଥିଲେ। ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧୀୟ ନୂଆ ଆଇନ ଚୟନ କମିଟିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍ ଦେଇଛି। ଏଭଳି ସ୍ଥିତିରେ ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାରେ ନିରପେକ୍ଷତା ରହିବ ନାହିଁ । ତେଣୁ ଚୟନ କମିଟିରେ ପ୍ରଧାନ ବିଚାରପତି ରହିବା ଆବଶ୍ୟକ | ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୧ରେ ହେବ ।

ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ମୋଦୀ ସରକାର ଆଣିଥିବା ନୂଆ ଆଇନ ଅନୁଯାୟୀ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି । ଏହି କମିଟିରେ ଏଣିକି ପ୍ରଧାନମନ୍ତ୍ରୀ ଓ ତାଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଲୋକସଭାର ବିରୋଧୀ ଦଳ ନେତା ରହିବେ । ଗୁରୁବାର ଏହି ନୂଆ ଚୟନ କମିଟି ଦ୍ବାରା ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଅସନ୍ତୋଷ ପ୍ରକାଶ କରିଥିଲେ । କମିଟି ନିକଟକୁ ୬ଟି ନାମ ଆସିଥିଲେ ମଧ୍ୟ ବିନା ବିଚାର ବିମର୍ଶରେ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା ବୋଲି ଅଭିଯୋଗ କରିଥିଲେ ଚୌଧୁରୀ ।

#Odia#Odisha#News
Share Article:

Related Articles