News Room Odisha
BREAKING
Odia

ଆସାନସୋଲ ଲୋକସଭା ଆସନରୁ ଓହରିଲେ ବିଜେପି ପ୍ରାର୍ଥୀ ପୱନ ସିଂହ, ପ୍ରାର୍ଥୀତ୍ବକୁ ନେଇ ଉଠିଥିଲା ବିବାଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଗାୟକ ଓ ଅଭିନେତା ପୱନ ସିଂହ ରବିବାର ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ବିଜେପି ଦିନକ ତଳେ ଏହି ଆସନରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ସମ୍ପ୍ରତି ତୃଣମୂଳ କଂଗ୍ରେସ ନେତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲର ସାଂସଦ ଅଛନ୍ତି। ପୱନ ସିଂହ ଆଜି ଅଚାନକ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ‘ଏକ୍ସ’ରେ ଘୋଷଣା କରିଛନ୍ତି । ତାଙ୍କୁ ପ୍ରାର୍ଥୀ ଘୋଷଣା [...]

Admin•March 3, 2024
Share Article:

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଗାୟକ ଓ ଅଭିନେତା ପୱନ ସିଂହ ରବିବାର ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ବିଜେପି ଦିନକ ତଳେ ଏହି ଆସନରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ସମ୍ପ୍ରତି ତୃଣମୂଳ କଂଗ୍ରେସ ନେତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲର ସାଂସଦ ଅଛନ୍ତି।

ପୱନ ସିଂହ ଆଜି ଅଚାନକ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ‘ଏକ୍ସ’ରେ ଘୋଷଣା କରିଛନ୍ତି । ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସେ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହ ଆସାନସୋଲରୁ କୌଣସି କାରଣରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ବୋଲି କହିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପଛର କାରଣ କ’ଣ ସେନେଇ ଏହି ଭୋଜପୁରୀ ଅଭିନେତା କିଛି କହିନଥିଲେ ।

ବିଜେପି ତାଙ୍କୁ ଆସାନସୋଲରୁ ପ୍ରାର୍ଥୀ ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସ ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲା । ଦଳ ଅଭିଯୋଗ କରିଥିଲା ଯେ ପୱନ ସିଂହ ତାଙ୍କର ଅନେକ ଗୀତରେ ପଶ୍ଚିମବଙ୍ଗ ମହିଳା ମାନଙ୍କୁ ଅଶ୍ଳୀଳ ଢଙ୍ଗରେ ଚିତ୍ରଣ କରିଛନ୍ତି । ତାଙ୍କୁ ଆସାନସୋଲରୁ ପ୍ରାର୍ଥୀ କରି ବିଜେପି ପଶ୍ଚିମବଙ୍ଗ ମହିଳାଙ୍କୁ ଅପମାନିତ କରିଛି ବୋଲି କହିଥିଲା ତୃଣମୂଳ କଂଗ୍ରେସ।

ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟକ ଲୋକ ଆସି ଆସାନସୋଲରେ ରହୁଛନ୍ତି । ତେଣୁ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ପୱନ ସିଂହ ଜଣେ ପ୍ରଭାବଶାଳୀ ପ୍ରାର୍ଥୀ ସାବ୍ୟସ୍ତ ହେବେ ବୋଲି ଆଶା ରଖି ବିଜେପି ତାଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା । ଶତ୍ରୁଘ୍ନ ସିହ୍ନା ୨୦୧୯ରେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ।

ସନ୍ଦେଶଖାଲି ମାମଲା ନେଇ ବିଜେପି ଟିଏମସିକୁ ଟାର୍ଗେଟ୍ କରୁଥିବା ବେଳେ ପଓ୍ବନ ସିଂହଙ୍କ ପ୍ରାର୍ଥୀତ୍ୱକୁ ନେଇ ବିବାଦ ସୃଷ୍ଟି ହେବା ବିଜେପିକୁ ଅଡ଼ୁଆରେ ପକାଇଥିଲା । ବୋଧହୁଏ ଏହି କାରଣରୁ ଏହି ଭୋଜପୁରୀ ଅଭିନେତାଙ୍କୁ ନିଜ ନାମ ପ୍ରତ୍ୟାହାର କରିବାକୁ ଦଳୋ କହିଥାଇପାରେ ।

ଉଲ୍ଲେଖଯୋଗ୍ୟ, ସନ୍ଦେଶଖାଲିରେ ବହୁ ମହିଳା ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଜମି ଦଖଲ ଅଭିଯୋଗ କରିଥିଲେ। ଶେଖ୍ ଏବଂ ତାଙ୍କର ଅନେକ ସହଯୋଗୀଙ୍କୁ ଇତି ମଧ୍ୟରେ ଗିରଫ କରାଯାଇଛି ।

#Odia#Odisha#News
Share Article:

Related Articles