News Room Odisha
BREAKING
Odia

କଂଗ୍ରେସ ଜାରି କଲା ନିର୍ବାଚନ ଇସ୍ତାହାର: ସଂରକ୍ଷଣ ସୀମା ବୃଦ୍ଧି, ଜାତି ଭିତ୍ତିକ ଜନଗଣନା ନେଇ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିଜ ଇସ୍ତାହାର ଜାରି କରିଛି। ଦଳର ଏହି ଇସ୍ତାହାର ପାଞ୍ଚଟି ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଉପରେ ଆଧାରିତ । ଦଳ ଏହାର ନାମ ରଖିଛି ‘ନ୍ୟାୟ ପତ୍ର’। ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଉନ୍ମୋଚିତ କରାଯାଇଛି। ଏହି ଅବସରରେ କଂଗ୍ରେସ ସଂଗଠନ ସମ୍ପାଦକ କେ.ସି ବେଣୁଗୋପାଳ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ [...]

Admin•April 5, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିଜ ଇସ୍ତାହାର ଜାରି କରିଛି। ଦଳର ଏହି ଇସ୍ତାହାର ପାଞ୍ଚଟି ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଉପରେ ଆଧାରିତ । ଦଳ ଏହାର ନାମ ରଖିଛି ‘ନ୍ୟାୟ ପତ୍ର’।

ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଉନ୍ମୋଚିତ କରାଯାଇଛି। ଏହି ଅବସରରେ କଂଗ୍ରେସ ସଂଗଠନ ସମ୍ପାଦକ କେ.ସି ବେଣୁଗୋପାଳ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦଳର ଇସ୍ତାହାର କମିଟି ମୁଖ୍ୟ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

କ୍ଷମତାକୁ ଆସିଲେ ଦଳ ଜାତି ଭିତ୍ତିକ ଜନଗଣନା କରିବା ସହ ସଂରକ୍ଷଣର ସର୍ବାଧିକ ସୀମା ବଢ଼ାଇ ୫୦ ପ୍ରତିଶତରୁ ଅଧିକ କରିବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଏହାଛଡ଼ା ଦଳ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସମାଜର ସବୁ ବର୍ଗର ଗରିବଙ୍କ ପାଇଁ ବିନା ଭେଦଭାବରେ କାର୍ଯ୍ୟକାରୀ କରିବ ବୋଲି କହିଛି।

କଂଗ୍ରେସର ସରକାର ହେଲେ ନୂଆ ଶିକ୍ଷା ନୀତି ନେଇ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରାଯିବ ଏବଂ ଏଥିରେ ସଂଶୋଧନ କରିବ। ଦଳ ଆହୁରି କହିଛି ଯେ, ଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରାଯିବ।

ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ କ୍ରମେ ଏକ ଜାତୀୟ ନ୍ୟାୟିକ କମିଶନ ଗଠନ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। କଂଗ୍ରେସର ଇସ୍ତାହାର ଦଳର ପାଞ୍ଚ ନ୍ୟାୟ ଉପରେ – ‘ଭାଗିଦାରୀ ନ୍ୟାୟ’, ‘କୃଷକ ନ୍ୟାୟ’, ‘ନାରୀ ନ୍ୟାୟ’, ‘ଶ୍ରମ ନ୍ୟାୟ’ ଏବଂ ‘ଯୁବ ନ୍ୟାୟ’ ଉପରେ ଆଧାରିତ। ‘ଯୁବ ନ୍ୟାୟ’ ଅଧୀନରେ ଦଳ ୩୦ ଲକ୍ଷ ସରକାରୀ ଚାକିରୀ ଯୋଗାଇବା ଏବଂ ଏକ ବର୍ଷ ପାଇଁ ତାଲିମ କାର୍ଯ୍ୟକ୍ରମ ଅଧୀନରେ ଯୁବକମାନଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା ବିବାଦୀୟ ଅଗ୍ନିପଥ ଯୋଜନା ଉଚ୍ଛେଦ କରିବାକୁ ଦଳ ଇସ୍ତାହାରରେ ଘୋଷଣା କରିଛି ।

‘ଭାଗିଦାରୀ ନ୍ୟାୟ’ ଅଧୀନରେ ଜାତି ଜନଗଣନା କରିବା ପାଇଁ ଦଳ ‘ଗ୍ୟାରେଣ୍ଟି’ ଦେଇଛି। ‘କୃଷକ ନ୍ୟାୟ’ ଅଧୀନରେ ଦଳ ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି)କୁ ଆଇନଗତ ମାନ୍ୟତା, ଋଣ ଛାଡ଼ ପାଇଁ କମିଶନ ଗଠନ ଏବଂ ଜିଏସଟି ମୁକ୍ତ ଚାଷ ପାଇଁ ପ୍ରତିଶ୍ରୁତି ଦେଇଛି। ‘ଶ୍ରମ ନ୍ୟାୟ’ ଅଧୀନରେ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟର ଅଧିକାର ପ୍ରଦାନ କରିବା, ସର୍ବନିମ୍ନ ଦୈନିକ ମଜୁରୀ ୪୦୦ ଟଙ୍କା ଏବଂ ସହରାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

‘ନାରୀ ନ୍ୟାୟ’ ଅଧୀନରେ ‘ମହାଲକ୍ଷ୍ମୀ’ ଗ୍ୟାରେଣ୍ଟି ଅନୁଯାୟୀ ଗରିବ ପରିବାରର ମହିଳାଙ୍କୁ ବର୍ଷକୁ ୧ ଲକ୍ଷ ଟଙ୍କା ସହାୟତା ସହ ଆହୁରି ଅନେକ ପ୍ରତିଶ୍ରୁତି ଦେଇଛି।

ଜୟପୁର ଏବଂ ହାଇଦ୍ରାବାଦରେ ଶନିବାର ହେବାକୁ ଥିବା କଂଗ୍ରେସର ସାଧାରଣ ସଭାରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜୟପୁରରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଇସ୍ତାହାର ସମ୍ବନ୍ଧୀୟ ସଭାକୁ ସମ୍ବୋଧନ କରିବେ। ରାହୁଲ ଗାନ୍ଧୀ ହାଇଦ୍ରାବାଦରେ ଇସ୍ତାହାର ସମ୍ପର୍କରେ ସାଧାରଣ ସଭାକୁ ସମ୍ବୋଧିତ କରିବେ।

#Odia#Odisha#News
Share Article:

Related Articles