News Room Odisha
BREAKING
Odia

ପଞ୍ଜାବ-ହରିୟାଣା ସୀମାରେ ପୋଲିସ ଓ ଚାଷୀ ମୁହାଁମୁହିଁ, ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ

ଚଣ୍ଡିଗଡ଼: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଆଇନ୍ ଦାବି କରି କୃଷକମାନେ ଦିଲ୍ଲୀ ଆଡ଼କୁ ଯାଉଥିବା ବେଳେ ଅମ୍ବାଲାର ଶମ୍ଭୁ ନିକଟ ପଞ୍ଜାବ ସୀମାରେ ହରିୟଣା ପୋଲିସ ସହ ସେମାନଙ୍କ ସଂଘର୍ଷ ଘଟିଛି । ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଚାଷୀଙ୍କ ଉପରେ ହରିୟାଣା ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ଚାଷୀ ମାନଙ୍କୁ ପୋଲିସ ଲାଠିଚାର୍ଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଶମ୍ଭୁ ସୀମା ନିକଟରେ କିଛି ଚାଷୀଙ୍କୁ ମଧ୍ୟ ଅଟକ ରଖାଯାଇଛି [...]

Admin•February 13, 2024
Share Article:

ଚଣ୍ଡିଗଡ଼: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଆଇନ୍ ଦାବି କରି କୃଷକମାନେ ଦିଲ୍ଲୀ ଆଡ଼କୁ ଯାଉଥିବା ବେଳେ ଅମ୍ବାଲାର ଶମ୍ଭୁ ନିକଟ ପଞ୍ଜାବ ସୀମାରେ ହରିୟଣା ପୋଲିସ ସହ ସେମାନଙ୍କ ସଂଘର୍ଷ ଘଟିଛି । ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଚାଷୀଙ୍କ ଉପରେ ହରିୟାଣା ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ଚାଷୀ ମାନଙ୍କୁ ପୋଲିସ ଲାଠିଚାର୍ଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଶମ୍ଭୁ ସୀମା ନିକଟରେ କିଛି ଚାଷୀଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ଜଣେ ଅଧିକାରୀ କହିଛନ୍ତି, କୃଷକଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରାରେ ଭାଗ ନେଉଥିବା ଏକ ଗୋଷ୍ଠୀ ଅମ୍ବାଲାର ଶମ୍ଭୁ ସୀମାରେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହା ପରେ ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ୍ ଛାଡ଼ିଥିଲା। ଯେତେବେଳେ କିଛି ଯୁବକ ଲୁହା ବ୍ୟାରିକେଡ୍ ଭାଙ୍ଗି ତାହାକୁ ଘାଗର ନଦୀ ବ୍ରିଜରୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ରୋକିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଛାଡ଼ିବାକୁ ପଡ଼ିଥିଲା। ପରେ ପୋଲିସ୍ ଲୁହବୁହା ଗ୍ୟାସ୍ ପ୍ରୟୋଗ ପାଇଁ ଡ୍ରୋନର ସହାୟତା ମଧ୍ୟ ନେଇଥିଲା ।

ସୋମବାର ଦୁଇ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ବିଫଳ ପରେ ଫସଲ ପାଇଁ ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ କୃଷକମାନେ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ।

ଅନେକ କୃଷକ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଫତେହଗଡ ସାହେବରୁ ଟ୍ରାକ୍ଟର-ଟ୍ରଲି ଜରିଆରେ ଏହି ପଦଯାତ୍ରା ଆରମ୍ଭ କରିଥିଲେ । ସେମାନେ ଶମ୍ଭୁ ସୀମା ଦେଇ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି। ଫତେହଗଡ ସାହିବ ଏବଂ ଶମ୍ଭୁ ସୀମା ମଧ୍ୟରେ ଦୂରତା ପ୍ରାୟ ୩୫-୪୦ କିଲୋମିଟର |

କୃଷକମାନଙ୍କର ଟ୍ରାକ୍ଟର ଟ୍ରଲିର ଏକ ଲମ୍ବା ଧାଡ଼ି ଜାତୀୟ ରାଜପଥରେ ଶମ୍ଭୁ ସୀମା ଆଡକୁ ଯାଇଥିଲେ। ଟ୍ରାକ୍ଟର-ଟ୍ରଲିରେ ବୃଦ୍ଧ, ଯୁବକ ଓ ମହିଳାମାନେ ବସିଥିବା ଦେଖିବାକୁ ମିଳିଥିଲା ।

ପଞ୍ଜାବ ପଟୁ ଆସୁଥିବା କୃଷକମାନଙ୍କୁ ରୋକିବାକୁ ହରିୟାଣା କର୍ତ୍ତୃପକ୍ଷ କଂକ୍ରିଟ ବ୍ୟାରିକେଡ୍, ଲୁହା ନଖ ଏବଂ କଣ୍ଟା ତାର ସହ ସବୁ ସୀମା ସିଲ୍ କରିଛନ୍ତିି। ପଞ୍ଜାବ ଏବଂ ହରିୟାଣା ସୀମାରେ ଥିବା ବିଭିନ୍ନ ସ୍ଥାନରେ ଜଳ ତୋପ ଯାନ ସହ ଦଙ୍ଗା ନିରୋଧୀ ଗାଡ଼ି ମଧ୍ୟ ନିୟୋଜିତ କରାଯାଇଛି। ସୁରକ୍ଷା କର୍ମୀମାନେ ମଧ୍ୟ ଡ୍ରୋନ୍ ମାଧ୍ୟମରେ ସୁରକ୍ଷା ସ୍ଥିତି ଉପରେ ନଜର ରଖିଛନ୍ତି।

ଧାରା ୧୪୪ ଅନୁଯାୟୀ ହରିୟାଣା ସରକାର ମଧ୍ୟ ୧୫ଟି ଜିଲ୍ଲାରେ ନିଷେଧାଦେଶ ଜାରି କରିଛନ୍ତିି । ପାଞ୍ଚରୁ ଅଧିକ ଲୋକଙ୍କ ସମାବେଶ ଏବଂ ଟ୍ରାକ୍ଟର-ଟ୍ରଲି ସହିତ କୌଣସି ପ୍ରକାର ପ୍ରଦର୍ଶନ ଉପରେ କଟକଣା ଲଗାଯାଇଛି | ଦିଲ୍ଲୀ ପୋଲିସ ମଧ୍ୟ କୃଷକ ମାନଙ୍କୁ ରୋକିବା ପାଇଁ ଜାତୀୟ ରାଜଧାନୀର ସବୁ ସୀମାରେ କଂକ୍ରିଟ ବ୍ୟାରିକେଡ୍ ସହ ରାସ୍ତାରେ ଲୁହାନଖ ପୋତିଛି ।

‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ଦୃଷ୍ଟିରେ ରଖି ପଞ୍ଜାବ ଏବଂ ହରିୟାଣା ସୀମାରେ ବ୍ୟାପକ ବ୍ୟାରିକେଡ୍ ଲଗାଇବା ନିଷ୍ପତ୍ତିକୁ କୃଷକ ନେତା ଶ୍ରବଣ ସିଂ ପନ୍ଧେର୍ ନିନ୍ଦା କରିଛନ୍ତି।
ରାଜ୍ୟ ସୀମା ଗୁଡ଼ିକ ଆନ୍ତର୍ଜାତୀୟ ସୀମାରେ ପରିଣତ ହୋଇଛି ବୋଲି ସେ କହିଛନ୍ତିି। ଏଥିସହ ସେ ହରିୟାଣାର ମନୋହର ଲାଲ ଖଟ୍ଟର ସରକାରଙ୍କୁ କୃଷକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି।

ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଫତେହଗଡ ସାହିବ ଜିଲ୍ଲାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ପଞ୍ଜାବ ଏବଂ ହରିୟାଣା ଦୁଇଟି ରାଜ୍ୟ ବୋଲି ମନେ ହେଉନାହିଁ। ଏହା ଅନ୍ତର୍ଜାତୀୟ ସୀମାରେ ପରିଣତ ହୋଇଥିବା ସେ କହିଛନ୍ତିି। ପନ୍ଧେର କହିଛନ୍ତିି, “ଆମେ ସଂଳାପ ମାଧ୍ୟମରେ ଆମ ସମସ୍ୟାର ସମାଧାନ ଚାହୁଁ | କିନ୍ତୁ ଯଦି ସେମାନେ (କେନ୍ଦ୍ର) କିଛି ନ କରନ୍ତି ତେବେ ଆମେ ଆଉ କ’ଣ କରିବୁ? ଏହା (ଆନ୍ଦୋଳନ ପନ୍ଥା) ଆପଣାଇବାକୁ ଆମେ ବାଧ୍ୟ ହେବୁ। ”

ପନ୍ଧେର କହିଛନ୍ତି ଯେ ସରକାର ନିଜେ ରାସ୍ତା ଅବରୋଧ କରୁଥିବାବେଳେ ଗଣମାଧ୍ୟମ କୃଷକମାନଙ୍କୁ ଦାୟୀ କରୁଛି ।ଆମେ ସରକାରଙ୍କ ସହ କୌଣସି ବିବାଦ ଚାହୁଁ ନାହୁଁ। ସରକାର ଆମ ଉପରେ ଗୁଳି ଚଳାଇ ପାରନ୍ତି କିମ୍ବା ଲାଠିଚାର୍ଜ କରିପାରିବେ। ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନେ ମଧ୍ୟ ଆମର ଭାଇ। ଆମ ପଦଯାତ୍ରା ଶାନ୍ତିପୂର୍ଣ୍ଣ ହେବ।

#Odia#Odisha#News
Share Article:

Related Articles