News Room Odisha
BREAKING
Odia

କଂଗ୍ରେସରୁ ଇସ୍ତଫା ଧାରା ଜାରି, ଦଳ ଛାଡ଼ିଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ କଂଗ୍ରେସରୁ ଇସ୍ତଫା ଧାରା ବନ୍ଦ ହେଉନି । ଏବେ ଗୌରବ ବଲ୍ଲଭ କଂଗ୍ରେସର ହାତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଗୌରବ ଲେଖିଛନ୍ତି, “ଦଳ ଏକ ନୂଆ ଭାରତର ଆକାଂକ୍ଷାକୁ ଆଦୌ ବୁଝିପାରି ନାହିଁ, ଯେଉଁଥି ପାଇଁ ମୋ ଭଳି ଜଣେ କର୍ମୀ ହତୋତ୍ସାହିତ ହୋଇପଡ଼ିଛି। ରାମ ମନ୍ଦିର [...]

Admin•April 4, 2024
Share Article:

ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ କଂଗ୍ରେସରୁ ଇସ୍ତଫା ଧାରା ବନ୍ଦ ହେଉନି । ଏବେ ଗୌରବ ବଲ୍ଲଭ କଂଗ୍ରେସର ହାତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଗୌରବ ଲେଖିଛନ୍ତି, “ଦଳ ଏକ ନୂଆ ଭାରତର ଆକାଂକ୍ଷାକୁ ଆଦୌ ବୁଝିପାରି ନାହିଁ, ଯେଉଁଥି ପାଇଁ ମୋ ଭଳି ଜଣେ କର୍ମୀ ହତୋତ୍ସାହିତ ହୋଇପଡ଼ିଛି। ରାମ ମନ୍ଦିର ଉପରେ ଦଳର ଆଭିମୁଖ୍ୟ ନେଇ ମୁଁ କ୍ଷୁବ୍ଧ। ମୁଁ କର୍ମରେ ଜଣେ ହିନ୍ଦୁ। ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇ ପାରିବି ନାହିଁ।”

ଗୌରବ ଆହୁରି କହିଛନ୍ତିି, କଂଗ୍ରେସ ଓ ବିରୋଧୀ ମେଣ୍ଟର ଅନେକ ନେତା ସନାତନ ବିରୋଧୀ ସ୍ଲୋଗାନ ଦେଇଛନ୍ତି ଏବଂ ଦଳ ଏନେଇ ଚୁପ୍ ରହିବା ଅର୍ଥ ଏହାକୁ ନୀରବ ସ୍ବୀକୃତି ଦେବା ଭଳି। ମୁଁ ପ୍ରତିଦିନ ସଞ୍ଜ ସକାଳେ ଦେଶର ଧନ ସୃଷ୍ଟିକର୍ତ୍ତାଙ୍କୁ ବି ଗାଳି ଦେଇପାରିବି ନାହିଁ। ସେଥିପାଇଁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ତଥା ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।”

ବୁଧବାର କଂଗ୍ରେସ ନେତା ତଥା ବକ୍ସର ବିଜେନ୍ଦର ସିଂହ ବିଜେପିରେ ଯୋଗ ଦେଇଥିଲେ। ସେହିପରି ଗତକାଲି କଂଗ୍ରେସ ମହାରାଷ୍ଟ୍ରର ବରିଷ୍ଠ ନେତା ସଞ୍ଜୟ ନିରୁପମଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।

ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ସହ ଦଳର ଆସନ ଭାଗବଣ୍ଟା ବିରୋଧରେ ସେ ଏକ ବୟାନ ଦେଇଥିଲେ । ଏହାକୁ ‘ଦଳ ବିରୋଧୀ କାର୍ଯ୍ୟକଳାପ’ ଦର୍ଶାଇ କଂଗ୍ରେସ ନିରୁପମଙ୍କୁ ବହିଷ୍କୃତ କରିଥିଲା । ତେବେ ନିରୁପମ ଦାବି କରିଛନ୍ତିି ଯେ ତାଙ୍କ ଇସ୍ତଫା ପତ୍ର ପାଇବା ପରେ ଦଳ ତାଙ୍କୁ ବହିଷ୍କାର କରିଛି ।

#Odia#Odisha#News
Share Article:

Related Articles