News Room Odisha
BREAKING
Odia

‘ମନ୍ କି ବାତ୍’ରେ‌ ଓଡ଼ିଶା ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡିଶାର ଏକ ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହା ଗୋଷ୍ଠୀ ସ୍ତରରେ ଛେଳି ପାଳନ ପାଇଁ ପ୍ରୋତ୍ସାହନ ଦେବା ସହ ଗ୍ରାମବାସୀଙ୍କୁ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହୋଇଛି ବୋଲି ସେ କହିଛନ୍ତିି । ନିଜ ମାସିକ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଯେତେବେଳେ ଲୋକମାନେ ପଶୁପାଳନ କଥା କୁହନ୍ତି, ସେମାନେ ସାଧାରଣତଃ କେବଳ ଗାଈ ଓ ବଳଦରେ [...]

Admin•February 25, 2024
Share Article:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡିଶାର ଏକ ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହା ଗୋଷ୍ଠୀ ସ୍ତରରେ ଛେଳି ପାଳନ ପାଇଁ ପ୍ରୋତ୍ସାହନ ଦେବା ସହ ଗ୍ରାମବାସୀଙ୍କୁ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହୋଇଛି ବୋଲି ସେ କହିଛନ୍ତିି ।

ନିଜ ମାସିକ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଯେତେବେଳେ ଲୋକମାନେ ପଶୁପାଳନ କଥା କୁହନ୍ତି, ସେମାନେ ସାଧାରଣତଃ କେବଳ ଗାଈ ଓ ବଳଦରେ ଅଟକି ଯାଆନ୍ତି, କିନ୍ତୁ ଛେଳି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଶୁ ସମ୍ପଦ ଯାହା ସମ୍ପର୍କରେ ଅଧିକ ଆଲୋଚନା କରାଯାଇ ନଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ କ୍ଷେତ୍ରରେ ଅନେକ ଲୋକ ଛେଳି ପାଳନ ସହ ସମ୍ପୃକ୍ତ। ଏଥିସହ ସେ ଓଡ଼ିଶାର କଳାହାଣ୍ଡି ଜିଲ୍ଳାର ସାଲେଭାଟା ଗାଁର ଉଦାହରଣ ଦେଇଥିଲେ । ଛେଳି ପାଳନ ଏହି ଗାଁର ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି କହିଛନ୍ତି ମୋଦୀ ।

ସେ କହିଛନ୍ତି, “ଏହି ପ୍ରୟାସ ପଛରେ ଜୟନ୍ତୀ ମହାପାତ୍ର ଏବଂ ତାଙ୍କ ସ୍ୱାମୀ ବିରେନ ସାହୁଙ୍କର ବଡ଼ ନିଷ୍ପତ୍ତି ରହିଥିଲା। ଏହି ଦୁଇଜଣ ବେଙ୍ଗାଲୁରୁରେ ମେନେଜମେଣ୍ଟ ପ୍ରଫେସନାଲ୍‌ ଥିଲେ, କିନ୍ତୁ ସେମାନେ ସେଠାରୁ ବିରତି ନେଇ କଳାହାଣ୍ଡିର ସାଲେଭଟା ଗାଁ ଫେରି ଆସିବାକୁ ନିଷ୍ପତ୍ତି ନେଲେ । ସେମାନେ ଏପରି କିଛି କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସେଠାକାର ଗ୍ରାମାଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ତ ହେବ, ତା’ସହିତ ସେମାନେ ସଶକ୍ତ ମଧ୍ୟ ହୋଇପାରିବେ । ସେବା ଓ ଉତ୍ସର୍ଗୀକୃତ ମନୋଭାବ ସହ ସେମାନେ ‘ମାଣିକାସ୍ତୁ ଏଗ୍ରୋ’ ସ୍ଥାପନ କଲେ ଏବଂ ଚାଷୀଙ୍କ ସହିତ ମିଶି କାମ ଆରମ୍ଭ କରିଦେଲେ । ଜୟନ୍ତୀ ଜୀ ଓ ବୀରେନ୍‌ ଜୀ ସେଠାରେ ଏକ ନିଆରା ମାଣିକାସ୍ତୁ ଛେଳି ବ୍ୟାଙ୍କ୍‌ ମଧ୍ୟ ଖୋଲିଛନ୍ତି । ସେମାନେ ଗୋଷ୍ଠୀଗତ ଭାବେ ଛେଳି ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି । ସେମାନଙ୍କ ଛେଳିଗୋଠରେ କେଇ ଡଜନ ଛେଳି ଅଛନ୍ତି ।

ମାଣିକାସ୍ତୁ ଛେଳି ବ୍ୟାଙ୍କ ଜରିଆରେ ସେମାନେ ଚାଷୀଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ତା’ ମାଧ୍ୟମରେ ଚାଷୀଙ୍କୁ ୨୪ ମାସ ପାଇଁ ୨ଟି ଛେଳି ଦିଆଯାଏ । ଦୁଇ ବର୍ଷରେ ଛେଳି ୯ରୁ ୧୦ଟି ଛୁଆ ଜନ୍ମ କରନ୍ତି, ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ରଖେ ଓ ବାକି ଛୁଆଙ୍କୁ ସେହି ପରିବାରକୁ ଦେଇଦିଆଯାଏ ଯିଏ ସେଗୁଡ଼ିକୁ ପାଳନ କରନ୍ତି । ଛେଳିଙ୍କ ଲାଳନପାଳନ ପାଇଁ ଜରୁରୀ ସେବାଯତ୍ନ ମଧ୍ୟ ପ୍ରଦାନ କରାଯାଏ । ଆଜି ୫୦ଟି ଗାଁର ୧୦୦୦ରୁ ଅଧିକ ଚାଷୀ ଏହି ଦମ୍ପତିଙ୍କ ସହ ଯୋଡ଼ି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦମ୍ପତିଙ୍କ ସହାୟତାରେ ଗାଁର ଲୋକେ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଗତି କରୁଛନ୍ତି । ଏହାଦେଖି ମୋତେ ଖୁସି ଲାଗୁଛି ଯେ ବିଭିନ୍ନ କ୍ଷେତ୍ରରେ ସଫଳ ପେସାଦାରମାନେ ଛୋଟ ଚାଷୀଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ନୂଆନୂଆ ଉପାୟ ଆପଣାଉଛନ୍ତି । ସେମାନଙ୍କ ଏହି ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ ।

#Odia#Odisha#News
Share Article:

Related Articles