News Room Odisha
BREAKING
Odia

ମା’ ପାଲଟିଲା ପିଶାଚି: ନିଜ ୪ ବର୍ଷର ପୁଅକୁ ହତ୍ୟା କଲେ ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ, ଗୋଆରୁ କର୍ଣ୍ଣାଟକ ମୃତଦେହ ଆଣୁଥିବା ବେଳେ ଗିରଫ

ପାଣାଜୀ: ଏକ ଷ୍ଟାର୍ଟ ଅପ୍ କମ୍ପାନୀର ୩୯ ବର୍ଷୀୟା ସିଇଓ ଗୋଆରେ ନିଜ ଚାରି ବର୍ଷର ପୁଅକୁ ହତ୍ୟା କରି ଶବକୁ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକକୁ ନେଇଥିବା ଅଭିଯୋଗ ହୋଇଛି। ଗୋଆ ପୋଲିସ ଅଭିଯୁକ୍ତା ସୁଚନା ସେଠଙ୍କୁ ରବିବାର ରାତିରେ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଗିରଫ କରିଥିଲା। ସେ ନିଜ ପୁଅକୁ କାହିଁକି ହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଅନଲାଇନ୍ ପ୍ଲାଟଫର୍ମ ‘ଲିଙ୍କଡଇନ୍’ରେ ସୂଚନା ସେଠଙ୍କ ପେଜ୍ ଅନୁଯାୟୀ, ସେ ଏକ ଷ୍ଟାର୍ଟ ଅପ୍ କମ୍ପାନୀ [...]

Admin•January 9, 2024
Share Article:

ପାଣାଜୀ: ଏକ ଷ୍ଟାର୍ଟ ଅପ୍ କମ୍ପାନୀର ୩୯ ବର୍ଷୀୟା ସିଇଓ ଗୋଆରେ ନିଜ ଚାରି ବର୍ଷର ପୁଅକୁ ହତ୍ୟା କରି ଶବକୁ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକକୁ ନେଇଥିବା ଅଭିଯୋଗ ହୋଇଛି।

ଗୋଆ ପୋଲିସ ଅଭିଯୁକ୍ତା ସୁଚନା ସେଠଙ୍କୁ ରବିବାର ରାତିରେ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଗିରଫ କରିଥିଲା। ସେ ନିଜ ପୁଅକୁ କାହିଁକି ହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଅନଲାଇନ୍ ପ୍ଲାଟଫର୍ମ ‘ଲିଙ୍କଡଇନ୍’ରେ ସୂଚନା ସେଠଙ୍କ ପେଜ୍ ଅନୁଯାୟୀ, ସେ ଏକ ଷ୍ଟାର୍ଟ ଅପ୍ କମ୍ପାନୀ ‘ମାଇଣ୍ଡଫୁଲ୍ ଏଆଇ ଲ୍ୟାବ୍’ର ସିଇଓ । ୨୦୨୧ରେ ‘ଏଆଇ ଏଥିକ୍ସ’ର ଟପ୍ ୧୦୦ ପ୍ରତିଭାଶାଳୀ ମହିଳାଙ୍କ ମଧ୍ୟରେ ବି ସେ ସ୍ଥାନ ପାଇଥିଲେ।

ପୋଲିସ କହିଛି, ଅଭିଯୁକ୍ତ ମହିଳା ଜାନୁଆରୀ ୬ରେ ପୁଅ ସହିତ ଉତ୍ତର ଗୋଆର କାଣ୍ଡୋଲିମରେ ପହଞ୍ଚିଥିଲେ । ସେଠାରେ ସେ ଏକ ଫ୍ଲାଟ୍ ଭଡ଼ାରେ ନେଇ ରହିଥିଲେ ।

ସେଠାରେ ଦୁଇ ଦିନ ରହିବା ପରେ ସେ ଫ୍ଲାଟ କର୍ମଚାରୀଙ୍କୁ କହିଥିଲେ ଯେ ତାଙ୍କୁ କିଛି କାମ ପାଇଁ ବେଙ୍ଗାଲୁରୁ ଯିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଟ୍ୟାକ୍ସି ବ୍ୟବସ୍ଥା କରିବାକୁ କହିଥିଲେ। ହେଲେ ଫ୍ଲାଟ୍ କର୍ମଚାରୀମାନେ ତାଙ୍କୁ ଫ୍ଲାଇଟରେ ଯିବାକୁ କହିଥିଲେ କାରଣ ଟ୍ୟାକ୍ସିରେ ଯିବା ବ୍ୟୟବହୁଳ ହେବ ।

କିନ୍ତୁ ମହିଳା ଜଣକ ଟ୍ୟାକ୍ସିରେ ହିଁ ଯିବେ ବୋଲି ଜୋର୍ ଦେଇଥିଲେ। ଟ୍ୟାକ୍ସି ବ୍ୟବସ୍ଥା ହେବା ପରେ ସେ ଜାନୁଆରୀ ୮ ସକାଳେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଥିଲେ।

ସେ ଯିବା ପରେ ଯେତେବେଳେ ଫ୍ଲାଟ୍ କର୍ମଚାରୀମାନେ ସେ ରହୁଥିବା ରୁମକୁ ସଫା କରିବାକୁ ଯାଇଥିଲେ, ସେମାନେ ସେଠାରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ। ସେମାନେ ପୋଲିସକୁ ଏ ବିଷୟରେ ତୁରନ୍ତ ଜଣାଇଥିଲେ । ଏହାପରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

ଫ୍ଲାଟ୍ କର୍ମଚାରୀ ପୋଲିସଙ୍କୁ କହିଥିଲେ ଯେତେବେଳେ ମହିଳା ଫ୍ଲାଟ ଛାଡିଥିଲେ, ତାଙ୍କ ଚାରି ବର୍ଷର ପୁଅ ତାଙ୍କ ସହ ନଥିଲା । ମହିଳା ଜଣକ ସନ୍ଦେହଜନକ ଭାବେ ଏକ ଭାରି ବ୍ୟାଗ୍ ମଧ୍ୟ ଧରିଥିଲେ।

ଏହା ପରେ ପୋଲିସ ରକ୍ତ ଦାଗ ଏବଂ ତାଙ୍କ ‘ନିଖୋଜ’ ପୁଅ ବିଷୟରେ ମହିଳାଙ୍କୁ ପଚାରିଥିଲା । ମହିଳା ଜଣକ କହିଥିଲେ ରକ୍ତଦାଗ ତାଙ୍କ ଋତୁସ୍ରାବ ଜନିତ । ତାଙ୍କ ପୁଅ ମାର୍ଗାଓ ସହରରେ (ଦକ୍ଷିଣ ଗୋଆରେ) ତାଙ୍କ ସାଙ୍ଗଙ୍କ ସହ ଅଛନ୍ତି ବୋଲି କହି ସେ ସେଠାକାର ଠିକଣା ମଧ୍ୟ ଦେଇଥିଲେ ।

ମହିଳାଙ୍କ ପୁଅକୁ ଠାବ କରିଵା ପାଇଁ ପୋଲିସ ଯେତେବେଳେ ମାର୍ଗାଓ ଯାଇ ତଦନ୍ତ କରିଥିଲା ମହିଳା ଦେଇଥିବା ଠିକଣା ନକଲି ବୋଲି ଜଣାପଡ଼ିଥିଲା ।

ପରେ ପୋଲିସ ସେହି ସମୟରେ ମହିଳାଙ୍କୁ ଚିତ୍ରଦୁର୍ଗ ନେଉଥିବା ଟ୍ୟାକ୍ସି ଡ୍ରାଇଭରଙ୍କ ସହ ଫୋନରେ ଯୋଗାଯୋଗ କରିଥିଲା । ଅଭିଯୁକ୍ତ ମହିଳାଙ୍କୁ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ନିକଟସ୍ଥ ଥାନାକୁ ନେବାକୁ ଡ୍ରାଇଭରକୁ କହିଥିଲା ପୋଲିସ। ମହିଳାଙ୍କୁ ଯେଭଳି ସନ୍ଦେହ ନ ହେବ ପୋଲିସ ଡ୍ରାଇଭର ସହ କୋଙ୍କଣୀ ଭାଷାରେ କଥା ହୋଇଥିଲା। ଚିତ୍ରଦୁର୍ଗଠାରେ ମହିଳାଙ୍କ ବ୍ୟାଗର ତଲାସି ବେଳେ ତାଙ୍କ ପୁଅର ଶବ ପାଇଥିଲା ପୋଲିସ।

ଏହା ପରେ ଗୋଆ କାଲାଙ୍ଗୁଟ ପୋଲିସର ଏକ ଟିମ୍ ଚିତ୍ରଦୁର୍ଗ ପହଞ୍ଚି ଅଭିଯୁକ୍ତ ମହିଳାଙ୍କ ‘ଟ୍ରାଞ୍ଜିଟ୍ ରିମାଣ୍ଡ’ ନେଇଥିଲା। ତାଙ୍କୁ ଗୋଆକୁ ଅଣାଯିବ । ପିଲାର ଶବର ପୋଷ୍ଟମର୍ଟମ ଚିତ୍ରଦୁର୍ଗରେ କରାଯିବ।

ପୋଲିସ ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କୁ ଜଣାଇଛି । ସେ ବର୍ତ୍ତମାନ ଜାକର୍ତ୍ତାରେ ଅଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି ।

#Odia#Odisha#News
Share Article:

Related Articles