News Room Odisha
BREAKING
Odia

ସମଲେଇ ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ଅଙ୍କୁରାରୋପଣ, ୨୭ ରେ ଲୋକାର୍ପଣ

ସମ୍ବଲପୁର : ମାଁ ସମଲେଶ୍ବରୀଙ୍କ ପୀଠର ବିକାଶ ସଂପର୍କିତ ବହୁଚର୍ଚ୍ଚିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି। ଏହି ମହାନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କରକମଳରେ ଲୋକାର୍ପିତ ହେବ। ଆଉ ଏହି ଅବସରରେ ଆସନ୍ତା ୨୭ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହୋମଯଜ୍ଞ ଏବଂ ଚଣ୍ଡୀପାଠ ହେବାକୁ ଯାଉଛି। ଏଥିପାଇଁ ଆଜି ଅଙ୍କୁରାରୋପଣ ବିଧି ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ସଂପନ୍ନ ହୋଇଛି। ଗତକାଲି ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ [...]

Admin•January 22, 2024
Share Article:
ସମ୍ବଲପୁର : ମାଁ ସମଲେଶ୍ବରୀଙ୍କ ପୀଠର ବିକାଶ ସଂପର୍କିତ ବହୁଚର୍ଚ୍ଚିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି। ଏହି ମହାନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କରକମଳରେ ଲୋକାର୍ପିତ ହେବ। ଆଉ ଏହି ଅବସରରେ ଆସନ୍ତା ୨୭ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହୋମଯଜ୍ଞ ଏବଂ ଚଣ୍ଡୀପାଠ ହେବାକୁ ଯାଉଛି। ଏଥିପାଇଁ ଆଜି ଅଙ୍କୁରାରୋପଣ ବିଧି ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ସଂପନ୍ନ ହୋଇଛି।
ଗତକାଲି ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକାର୍ପଣ ସଂପର୍କରେ ସୂଚନା ଦିଆଯାଇଥିଲା। ଆଜି ଯଜ୍ଞକର୍ମର ମୁଖ୍ୟ ପୁରୋହିତ ପଣ୍ଡିତ ମହେନ୍ଦ୍ର ପୂଜାରୀଙ୍କ ତତ୍ତ୍ବାବଧାନରେ ଅଙ୍କୁରାରୋପଣ ବିଧି ସଂପନ୍ନ ହୋଇଛି। ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ସମେତ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି। ଆସନ୍ତା ୨୬ ତାରିଖରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୧୧ ଶହ ମହିଳା ମହାନଦୀ ଘାଟରୁ ପୂର୍ଣ୍ଣ କଳସ ନେଇ ଯଜ୍ଞ ମଣ୍ଡପରେ ପହଞ୍ଚିବା ପରେ ଅଧିବାସ ଅନୁଷ୍ଠିତ ହେବ। ମୁଖ୍ୟ ମଣ୍ଡପ ବ୍ୟତୀତ ମନ୍ଦିରର ଚାରୋଟି ଦ୍ବାରରେ ମଧ୍ୟ ଯଜ୍ଞ ମଣ୍ଡପ ନିର୍ମାଣ ଚାଲିଛି। ଉକ୍ତ 5ଟି ମଣ୍ଡପରେ ସମସ୍ତ କଳସ ସ୍ଥାପନ କରାଯିବ। ଏହଛଡା ଉକ୍ତଦିନ ଅଧିବାସ ହୋଇ ୨୭ ତାରିଖ ସକାଳ ସାଢେ ୮ଟାରୁ ହୋମଯଜ୍ଞ ଏବଂ ଚଣ୍ଡୀପାଠ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।
ସେପଟେ, ୨୭ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କରକମଳରେ ଏହାର ଲୋକାର୍ପଣ ପାଇଁ ଲଗ୍ନ ନିରୁପଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ତେବେ, ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜ୍ୟର ୩୦ ଜିଲ୍ଲା ସମେତ ଛତିଶଗଡ଼ର ମୋଟ୍ ୧୦୮ଟି ଦେବୀପୀଠକୁ ନିମନ୍ତ୍ରଣ କରାଯାଇଛି। ସେହି ମନ୍ଦିର କମିଟିର ପ୍ରତିନିଧିଙ୍କୁ ଯଜ୍ଞ ମଣ୍ଡପରେ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଥିବା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ କହିଛନ୍ତି। ସେହିପରି ଏହି ଯଜ୍ଞ କର୍ମରେ ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାର ୩୦ ପଣ୍ଡିତ ସାମିଲ ହେବେ।
ଏହାବାଦ ୨୭ତାରିଖରେ ମାଁ ମନ୍ଦିର ନିକଟସ୍ଥ ମହାନଦୀ ଘାଟରେ ସନ୍ଧ୍ୟାରେ ମହାନଦୀ ଆଳତୀ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ସ୍ଥାୟୀ ଭାବେ ନିର୍ମିତ ହୋଇଥିବା ୩୫୦ ମିଟର ଲମ୍ବର ଦୁଇ ବିଶାଳ ପ୍ଲାଟଫର୍ମରେ ସହସ୍ରାଧିକ ଭକ୍ତ ସାମିଲ ହୋଇ ମାଁଙ୍କୁ ମାଁ ମହାନଦୀକୁ ଆଳତୀ କରିବେ। ଏଥିରେ ପଣ୍ଡିତ ଭାବେ ପଶ୍ଚିମ ଓଡିଶାର ୧୪ ପଣ୍ଡିତଙ୍କ ସମେତ ଛତିଶଗଡ ଚନ୍ଦ୍ରହାସିନୀରୁ ୭ ଜଣ ପଣ୍ଡିତ ମଧ୍ୟ ଆସି ସାମିଲ ହେବେ। ତେବେ, ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନକୁ ବନ୍ଦ ରଖାଯିବ ବୋଲି ସୂଚନା ଦିଆଯାଇଛି।
ସେହିପରି ଏହି ଭବ୍ୟ କାର୍ଯ୍ୟକ୍ରମରେ ସାରା ପଶ୍ଚିମ ଓଡିଶାର ଲୋକଙ୍କୁ ଯୋଡିବାକୁ ଚେଷ୍ଟା କରାଯାଇଛି। ଏଥିପାଇଁ ପଶ୍ଚିମ ଓଡିଶାର ପ୍ରତି ଘରୁ ସିନ୍ଦୁର ଏବଂ ଚୁନରୀ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଏହି ସିନ୍ଦୁର ଏବଂ ଚୁନରୀ ମାଁଙ୍କ ଦୈନନ୍ଦିନ ପୂଜା କାର୍ଯ୍ୟରେ ବ୍ୟବହୃତ ହେବ ବୋଲି ଶ୍ରୀ ବାବୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମାଁଙ୍କ ମନ୍ଦିର ଏବଂ ଏହାର ପରିସର ମାତ୍ର ୪.୪୨ ଏକରରେ ସୀମିତ ଥିଲା। ହେଲେ ବର୍ତ୍ତମାନ ଏହି ପ୍ରକଳ୍ପ ଦ୍ବାରା ଏହାର କଳେବର ୪୦ ଏକରକୁ ବୃଦ୍ଧି ପାଇଛି। ଏହି ପ୍ରକଳ୍ପରେ ଭକ୍ତ ନିବାସରୁ ଆରମ୍ଭ କରି ପାର୍କିଂ, ଧାଡି ଦର୍ଶନ ବ୍ୟବସ୍ଥା, ବିଶ୍ରାମାଗାର, ମହାନଦୀ ଆଳତୀ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୪ଟି ଭବ୍ୟ ତୋରଣ, ମନ୍ଦିରରୁ ନଦୀ ପଠାକୁ ଯିବା ପାଇଁ ଓଭରବ୍ରିଜ, ଯୋତା ଷ୍ଟାଣ୍ଡ, ଭେଣ୍ଡିଂ ଜୋନ୍, ଦୀପ ଘର, ଭୋଗ ଘର ଆଦି ଆକର୍ଷଣୀୟ ଭିତ୍ତିଭୂମି ବିକଶିତ କରାଯାଇଛି।
#Odia#Odisha#News
Share Article:

Related Articles