News Room Odisha
BREAKING
Odia

ବିସିସିଆଇ ପୁରସ୍କାର: ରବି ଶାସ୍ତ୍ରୀ, ଫାରୁଖ୍ ଇଞ୍ଜିନିୟରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ହାଇଦ୍ରାବାଦ: ଚାରି ବର୍ଷ ପରେ ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି । ହାଇଦ୍ରାବାଦରେ ଆୟୋଜିତ ପୁରସ୍କାର ଉତ୍ସବରେ ଶୁଭମାନ ଗିଲ୍ ଓ ଦୀପ୍ତି ଶର୍ମା ଯଥାକ୍ରମେ‌ ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ଭାବେ ପଲି ଉମ୍ରିଗର ପୁରସ୍କାର ଜିତିଛନ୍ତି। ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଓ ଫାରୁଖ୍ ଇଞ୍ଜିନିୟରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। କରୋନା କାରଣରୁ ୨୦୧୯ ରୁ ସ୍ଥଗିତ ରହିଥିଲା ବିସିସିଆଇ ବାର୍ଷିକ ପୁରସ୍କାର। ଏଥର ଗତ ଚାରି [...]

Admin•January 23, 2024
Share Article:

ହାଇଦ୍ରାବାଦ: ଚାରି ବର୍ଷ ପରେ ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି । ହାଇଦ୍ରାବାଦରେ ଆୟୋଜିତ ପୁରସ୍କାର ଉତ୍ସବରେ ଶୁଭମାନ ଗିଲ୍ ଓ ଦୀପ୍ତି ଶର୍ମା ଯଥାକ୍ରମେ‌ ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ଭାବେ ପଲି ଉମ୍ରିଗର ପୁରସ୍କାର ଜିତିଛନ୍ତି। ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଓ ଫାରୁଖ୍ ଇଞ୍ଜିନିୟରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି।

କରୋନା କାରଣରୁ ୨୦୧୯ ରୁ ସ୍ଥଗିତ ରହିଥିଲା ବିସିସିଆଇ ବାର୍ଷିକ ପୁରସ୍କାର। ଏଥର ଗତ ଚାରି ବର୍ଷ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଶୁଭମାନ ଗିଲ୍ ୨୦୨୩ ବର୍ଷ ପାଇଁ ଭାରତର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ୨୦୧୯-୨୦ ପାଇଁ ମହମ୍ମଦ ସାମି ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେହିପରି ୨୦୨୦-୨୧ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ୨୦୨୧-୨୨ ପାଇଁ ଜସପ୍ରୀତ ବୁମରାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ମହିଳା ବର୍ଗରେ ଦୀପ୍ତି ଶର୍ମା ୨୦୨୩ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି | ୨୦୨୦-୨୨ ପାଇଁ ସ୍ମୃତି ମନ୍ଧାନା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଦୀପ୍ତି ଶର୍ମା ୨୦୧୯-୨୦ ପାଇଁ ମଧ୍ୟ ଏହି ପୁରସ୍କାର ଜିତିଥିଲେ ।

୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ରବି ଶାସ୍ତ୍ରୀ ଏବଂ ଫାରୁଖ୍ ଇଞ୍ଜିନିୟରଙ୍କୁ କର୍ଣ୍ଣେଲ ସିକେ ନାଇଡୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା।

୬୧ ବର୍ଷୀୟ ଶାସ୍ତ୍ରୀ ୮୦ଟି ଟେଷ୍ଟ ଓ ୧୫୦ ଅନ୍ତର୍ଜାତୀୟ ଦିନିକିଆରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଅବସର ପରେ ସେ ଜଣେ ଭାଷ୍ୟକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ଶାସ୍ତ୍ରୀ ଦୁଇଥର ଜାତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଥିଲେ। ସେ ୨୦୧୪ ରୁ ୨୦୧୬ ପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବରେ ଜାତୀୟ ଦଳରେ ଯୋଗ ଦେଇଥିଲେ। ତା’ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୨୦୧୭ ରୁ ୨୦୨୧ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ମୁଖ୍ୟ କୋଚ୍ ରହିଥିଲେ।

ତାଙ୍କ ମାର୍ଗ ଦର୍ଶନରେ ଭାରତ ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍ ଜିତିଥିଲା। ତେବେ କୋଚ୍ ଭାବେ ତାଙ୍କ କାର୍ଯ୍ୟକାଳରେ ଦଳ କୌଣସି ଆଇସିସି ଇଭେଣ୍ଟ ଜିତିପାରି ନଥିଲା।

ଶାସ୍ତ୍ରୀଙ୍କ କୋଚିଂ କାର୍ଯ୍ୟକାଳରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଥିଲା, ​​କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା । ଭାରତ ମଧ୍ୟ ୨୦୧୯ରେ ଦିନିକିଆ ବିଶ୍ୱକପ୍ ର ସେମିଫାଇନାଲରୁ ବିଦାୟ ନେଇଥିଲା ।

ଫାରୁଖ୍ ୧୯୬୧ ରୁ ୧୯୭୫ ମଧ୍ୟରେ ଭାରତ ପାଇଁ ୪୬ଟି ଟେଷ୍ଟ ଓ ପାଞ୍ଚଟି ଦିନିକିଆ ଖେଳିଥିଲେ। ସେ ଟେଷ୍ଟରେ ଦୁଇଟି ଶତକ ଓ ୧୬ ଅର୍ଦ୍ଧଶତକ ସହ ୨୬୧୧ ରନ୍ କରିଥିଲେ ।

ହାଇଦ୍ରାବାଦରେ ଅନୁଷ୍ଠିତ ପୁରସ୍କାର ଉତ୍ସବରେ ଭାରତୀୟ କ୍ରିକେଟ୍ ଦଳର ସମସ୍ତ ଖେଳାଳି ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିଙ୍କ ସହ ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ପହଞ୍ଚିଥିଲେ।

#Odia#Odisha#News
Share Article:

Related Articles