News Room Odisha
BREAKING
Odia

ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ

ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ। ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ। ଘିଅକୁ ଏକୋଇଶ ଗରାରେ ଓ ପାଣିକୁ [...]

Admin•January 25, 2024
Share Article:

ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ।

ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ। ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ। ଏହି ଗରାମାନଙ୍କୁ ଦେଉଳ ପୁରୋହିତ ଚେମେଡ଼ି ପତନି ଘୋଡ଼ାଇ ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି। ପରେ ଭୋଗମଣ୍ଡପ ଦ୍ୱାର ବନ୍ଦହୋଇ ତଡ଼ଉକରଣ ମୁଦ ଦିଅନ୍ତି। ପରେ ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୁତ ପୁଷ୍ପ ଓ ଚନ୍ଦନାଦି ଦ୍ୱାରା ଅଧିବାସ ହୁଏ। ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିଥିଲେ।
ଶ୍ରୀମନ୍ଦିର ଭିତରବେଢାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କ ଦ୍ୱାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥିଲା। ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଇଥିଲା। ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିବା ପରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯିବା ପରେ ମହାସ୍ନାନ ପୂଜା ଠା’ ବଢିଥିଲା। ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଇ ଓ ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଇଥିଲା। ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହାଁ ବାନ୍ଧି ଘଣ୍ଟ ଛତା କାହାଳୀ ସହ ତଳିଛ ପ୍ରଧାନୀ ପଟୁଆରରେ ଆସି ଚାରିଥରେ ଚାରିଟି ପନ୍ତିରେ ରଖିଥିଲେ।

ଏହା ପରେ ଶୀତଳ ଭୋଗ ଛେକ ଆସିବା’ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରିଥିଲେ। ପୂଜାପଣ୍ଡା ଓ ଦେଉଳ ପୁରୋହିତ ପାତ୍ରି, ଅଧିବାସ ଦର୍ପଣ ପାଖରେ ଧରିଥାନ୍ତି। ଗରାବଡୁମାନେ ଘିଅ ଓ ଜଳ ଉକ୍ତ ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରାଇଥିଲେ (କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ)। ପାଣି ପଡ଼ିବା ପରେ ପୁଷ୍ପାଳକମାନେ ମଇଲମ କରି ନୂଆ ଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରିବା ପରେ ଲକ୍ଷ୍ମୀ ଆଜ୍ଞାମାଳ ପାଇ ପାଲିଙ୍କିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ ହୋଇଥିଲେ। ସେଠାରେ ତାଙ୍କର ମାଜଣା, ଚନ୍ଦନଲାଗି ବେଶ ସରିବା ପରେ ଭିତରେ ମହାପ୍ରଭୁଙ୍କର ଅଭିଷେକ ବେଶ, ସ୍ୱର୍ଣ୍ଣ ଅଳଙ୍କାର ଲାଗି, ମାଳଫୁଲ କର୍ପୂର ଲାଗି ପରେ ରୋଷଘରୁ ଘଣ୍ଟ ,ଛତା, କାହାଳୀ, ପଟୁଆରରେ ପୁଷ୍ୟାଭିଷେକ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସିଥିଲା। ଏହା ପରେ ଲକ୍ଷ୍ମୀ ବାହୁଡ଼ାବିଜେ ହୋଇ ଭିତର ସିଂହାସନକୁ ବିଜେ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି ପରେ ଦଣ୍ଡଛତ୍ର ସଂସ୍କାର କରି ଭିତରଚ୍ଛ ମହାପାତ୍ର ସିଂହାସନ ଉପରକୁ ଉଠିଲେ ତାଙ୍କୁ ଦେଇଥିଲେ।

ଭିତରଚ୍ଛ ସିଂହାସନ ଉପରେ ଲକ୍ଷ୍ମଣଙ୍କ ସ୍ୱରୂପ ଠିଆହୋଇ ଦଣ୍ଡଛତ୍ର ଧରିଥିଲେ। ପାଳିଆ ଭଣ୍ଡାରମେକାପ ହନୁମାନ ସ୍ୱରୂପ ଦଣ୍ଡଛତ୍ର ମୂଳକୁ ଧରନ୍ତି। ପୂଜାପଣ୍ଡା ଆସି ଷୋଡ଼ଶ ଉପଚାରରେ ପୂଜା ବଢାଇଥିଲେ। ଭୋଗସରି ପାଣି ପଡ଼ିଲେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିଥିଲେ। ମୁଦିରସ୍ତ ଫୁଲ ଶର ଆୟୁଧ ଲାଗି କରିବା ପରେ ସେ ସିଂହାସନ ଉପରେ ଚାମର ଆଲଟ କରନ୍ତି। ତା’ପରେ ସିଂହାସନ ତଳେ ମଧ୍ୟ ଆଲଟ ଲାଗି ଓ ଘଷା ବିଡ଼ିଆ ଦହି ମଣୋହି ହୋଇଥିଲା। ଅଖଣ୍ଡ ମେକାପ ବଇଠା ହାତରେ ଧରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥାନ୍ତି। ରାଜନୀତି ଓ ବନ୍ଦାପନା ସରିବା ପରେ ମୁଦିରସ୍ତ ସିଂହାସନ ଉପରକୁ ଫୁଲ ଧନୁଶର ଓ ଗଦି ପ୍ରସାଦ ମଇଲମ କରିବା ପରେ ଭିତରଚ୍ଛ ଦଣ୍ଡଛତ୍ର ମଇଲମ କରି ତଳକୁ ଦିଅନ୍ତି।

ଏ ଉତ୍ତାରୁ ଦକ୍ଷିଣଘର ଭୋଗ ଶେଷ ପରେ ରଘୁନାଥ ଠାକୁର ରତ୍ନସିଂହାସନକୁ ବିଜେ କରି ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବାପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ କରିଥିଲେ। ସେଠାରେ କାଠ ଭଦ୍ରାସନରେ ଵିଜେ ହେବା ପରେ ମହାସ୍ନାନ ଭୋଗ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥିଲେ।

#Odia#Odisha#News
Share Article:

Related Articles