News Room Odisha
BREAKING
Odia

ଐତିହାସିକ ଦିନ : ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ପ୍ରଥମ ବିଶ୍ଵ ଓଡ଼ିଆ ସମ୍ମିଳନୀ

ଭୁବନେଶ୍ବର – ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇବାର ୧୦ ବର୍ଷ ପରେ ଆଜି ଆୟୋଜିତ ହେଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ଓଡ଼ିଆ ଅସ୍ମିତାର ପରିଚୟ ବହନ କରୁଥିବା ତିନି ଦିନିଆ ବିଶ୍ୱ ସମ୍ମିଳନୀକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ଵରର ଜନତା ମଇଦାନରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମ୍ମିଳନୀ ପାଇଁ ଦେଶବିଦେଶରୁ ଅତିଥିମାନେ ଭୁବନେଶ୍ବରରେ ପହଞ୍ଚିବା ଆରମ୍ଭ କଲେଣି । ସୂଚନାଯୋଗ୍ୟ ଯେ, ପ୍ରଥମ [...]

Admin•February 3, 2024
Share Article:

ଭୁବନେଶ୍ବର – ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇବାର ୧୦ ବର୍ଷ ପରେ ଆଜି ଆୟୋଜିତ ହେଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ଓଡ଼ିଆ ଅସ୍ମିତାର ପରିଚୟ ବହନ କରୁଥିବା ତିନି ଦିନିଆ ବିଶ୍ୱ ସମ୍ମିଳନୀକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ଵରର ଜନତା ମଇଦାନରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମ୍ମିଳନୀ ପାଇଁ ଦେଶବିଦେଶରୁ ଅତିଥିମାନେ ଭୁବନେଶ୍ବରରେ ପହଞ୍ଚିବା ଆରମ୍ଭ କଲେଣି । ସୂଚନାଯୋଗ୍ୟ ଯେ, ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଗତବର୍ଷ ଡିସେମ୍ବର ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା।

ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଓଡ଼ିଆ ଭାଷାକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ସମ୍ମିଳନୀରେ ବିଶଦ ଭାବେ ଆଲୋଚନା କରାଯିବ । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ । ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତମାନେ ଯୋଗ ଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ । ଏଥିସହ ବିଶେଷଜ୍ଞମାନେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ ।

ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀମାନଙ୍କ ନିମନ୍ତେ ଏକ ନୂତନ ଆଲୋକ ବର୍ତ୍ତିକା ହେବ ।

ଏହି ସମ୍ମିଳନୀ କାଳରେ ମୋଟ ୧୬ଟି ବିଶେଷ ଆଲୋଚନାଚକ୍ର ହେବ । ସମ୍ମିଳନୀରେ ଦେଶ ବିଦେଶରୁ ଭାଷାବିତମାନେ ଯୋଗ ଦେଇ ସେମାନଙ୍କର ମତ ରଖିବେ।

ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡ଼ିଆ ସମ୍ମାନରେ ସମ୍ମାନିତ କରିବେ।ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମ ସମ୍ମାନ ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯିବ ।

ଭାଷା ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ ।ଏଥିରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ଏଥିସହ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହେବ ।

ପ୍ରିଣ୍ଟିଂ ପ୍ରେସର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ପ୍ରଦର୍ଶିତ ହେବ । ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ବି ପ୍ରଦର୍ଶିତ ହେବ ।

ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ ହେବ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ରାଜ୍ୟବ୍ୟାପୀ ଦିନ ୧୧ ଟାରେ ଏହି ସଙ୍ଗୀତ ଗାନ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା କମିଶନର ସୁଜାତା ଆର୍ କାର୍ତ୍ତିକେୟନ ଅପିଲ କରିଛନ୍ତି । ରାଜ୍ୟ ବାହାରେ ଓ ଦେଶ ବାହାରେ ଥିବା ଓଡ଼ିଆମାନଙ୍କୁ ମଧ୍ୟ ଏଥିପାଇଁ ଅନୁରୋଧ କରାଯାଇଛି।

ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି । ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ହୋଇଛି ‘ଅକ୍ଷର ଭୂମି’ ।

ସୂଚନାଯୋଗ୍ୟ ଯେ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଇଡକୋ ଜରିଆରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଛି।

#Odia#Odisha#News
Share Article:

Related Articles