News Room Odisha
BREAKING
Odia

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କେନ୍ଦୁପତ୍ର ତୋଳାଳିଙ୍କୁ ୫୦ ପ୍ରତିଶତ ବୋନସ୍, ବନ୍ଧେଇ ଶ୍ରମିକ, କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି

ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍‌ ମିଳିବ। ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ। ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ। ସେହିପରି କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ [...]

Admin•February 11, 2024
Share Article:

ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍‌ ମିଳିବ। ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ। ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ। ସେହିପରି କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ଇନସେନଟିଭ ବ୍ୟବସ୍ଥା କରାଯାଇଛି। ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଦିଆଯିବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦୁ ପତ୍ର ପ୍ରତି ବିଡା ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। କୋଡିଏ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୧ ଟଙ୍କା ୪୦ ପଇସାରୁ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଚାଳିଶ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସାମୟିକ କର୍ମଚାରୀମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି। ସେମାନଙ୍କର ଟିଏ ଓ ସାଇକେଲ ଭତ୍ତାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। କେନ୍ଦୁପତ୍ର ତୋଳାଳିମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ। ପୂର୍ବରୁ ଏହି ବୟସ ସୀମା ୬୦ ବର୍ଷ ଥିଲା।
ଘୋଷଣା ଅନୁଯାୟୀ ଆଗାମୀ ଅପ୍ରେଲ ମାସରୁ ଆରମ୍ଭ ହେଉଥିବା ନୂଆ ଫସଲ ଋତୁରେ କେନ୍ଦୁପତ୍ର ତୋଳାଳି ପରିବାରକୁ ଦୁଇଟି ଝିଅ ବାହାଘର ପାଇଁ ସହାୟତା ମିଳିବ। ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ।

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ତାଙ୍କର ସମ୍ବଲପୁର ଜିଲ୍ଲା ଗସ୍ତ ଅବସରରେ ରେଢ଼ାଖୋଲ ସଭାରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କିତ ଭିଡିଓ ବାର୍ତ୍ତା ବଜାଇ ଶୁଣାଇଥିଲେ ।

ସୂଚନାଯୋଗ୍ୟ ଯେ, କେନ୍ଦୁପତ୍ର ହିତାଧିକାରୀମାନଙ୍କ ମଧ୍ୟରୁ ଶତକଡା ୮୦ ଭାଗ ମହିଳା ଅଟନ୍ତି ଏବଂ ୯୫ ପ୍ରତିଶତରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଅଟନ୍ତି। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହିସବୁ ପଦକ୍ଷେପ ଦ୍ବାରା ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏଥିପାଇଁ ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

#Odia#Odisha#News
Share Article:

Related Articles