News Room Odisha
BREAKING
Odia

ଜାତୀୟ ବିଜ୍ଞାନ ଦିବସ: ବିଭିନ୍ନ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟୋରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦ୍‌ଘାଟନ କରିବା ସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ [...]

Admin•February 28, 2024
Share Article:

ଭୁବନେଶ୍ବର – ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟୋରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦ୍‌ଘାଟନ କରିବା ସହିତ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢିଥାଏ। ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। ୫-ଟି ସ୍କୁଲ ରୂପାନ୍ତରଣରେ ଆଜି ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସ୍ମାର୍ଟ କ୍ଲାସ ରୁମ୍‌, ଇ- ଲାଇବ୍ରେରୀ, ମଡର୍ଣ୍ଣ ଲାବୋରଟୋରୀ ଆଦି ବିକାଶ କରାଯାଇଛି।

ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବୈଷୟିକ ଜ୍ଞାନକୈଶଳର ବ୍ୟବହାରରେ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ପ୍ଲାନେଟୋରିୟମ ତଥା ସ୍କୁଲମାନଙ୍କରେ ଇନୋଭେସନ ସେଣ୍ଟର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଭଦ୍ରକରେ ବିଜ୍ଞାନ କେନ୍ଦ୍ର ଏବଂ ବଲାଙ୍ଗିର, ସୁନ୍ଦରଗଡ ଓ ଗଂଜାମ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସହିତ ପ୍ଲାନେଟୋରିୟମ ମଧ୍ୟ ଖୋଲାଯିବ। ଏହି ସବୁ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟର ପିଲାମାନେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଗରେ ରହିବା ସେ ଚାହାନ୍ତି। ସେମାନେ ଦକ୍ଷ ହୋଇ ଓଡିଶାର ସୁନାମ ବୃଦ୍ଧି କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ନୂଆ ଓଡିଶା ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ମିଳିତ ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୫-ଟି ଉପକ୍ରମରେ ନିର୍ମିତ ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ୬.୫ କୋଟି ଟଙ୍କା, ପ୍ଲାନେଟୋରିୟମ ପାଇଁ ୧୫ କୋଟି ଟଙ୍କା ଏବଂ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟୋରିୟମ ପାଇଁ ୨୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜୟପୁରରେ ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଜ୍ଞାନକୁ ଲୋକପ୍ରିୟ କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଉପାଦେୟ ସାବ୍ୟସ୍ତ ହେବ । ଏହି ସମୟୋପଯୋଗୀ ପଦକ୍ଷେପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପିଲାମାନଙ୍କ ସହିତ ଆଲୋଚନା କରି ବିଜ୍ଞାନ ଶିକ୍ଷା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି କହିଥିଲେ। ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମରେ କରୁଥିବା ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ନୂଆ-ଓ କାର୍ଯ୍ୟକ୍ରମ ଆଦି ଶିକ୍ଷା କ୍ଷେତ୍ରରେ ପିଲାଙ୍କ ପାଇଁ ଭଲ ପ୍ଲାଟଫର୍ମ ତିଆରି କରିଛି ବୋଲି ମତ ଦେଇ ସେ ପିଲାମାନଙ୍କୁ କଠିନ ପରିଶ୍ରମ କରି ଜୀବନରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଭବାନୀପାଟଣାଠାରେ ସାଂସଦ ସୁଜିତ କୁମାର, ରାୟଗଡାଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଘଟଗାଁଠାରେ ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗପୋଯୋଗୀ ପଦକ୍ଷେପ ପାଇଁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

#Odia#Odisha#News
Share Article:

Related Articles