News Room Odisha
BREAKING
Odia

ବିଜୁ ଜୟନ୍ତୀ ବିଶେଷ: କଳିଙ୍ଗବୀରଙ୍କ ପାଇଲଟ ଜୀବନର ଦୁଇ ସ୍ମରଣୀୟ ଅଧ୍ୟାୟ

ବିଜୟାନନ୍ଦ ପଟ୍ଟନାୟକ । ସାଧାରଣଲୋକଙ୍କ ପାଇଁ ପ୍ରିୟ ବିଜୁ ବାବୁ । ସର୍ବକାଳୀନ ମହାନ ଜନନାୟକଙ୍କ ମଧ୍ୟରେ ଅନ୍ୟତମ । ଓଡ଼ିଆ ସ୍ୱାଭିମାନ ଓ ଆଦର୍ଶର ପ୍ରତୀକ ହେଉଛନ୍ତି ବିଜୁ ପଟ୍ଟନାୟକ । ଓଡ଼ିଶାକୁ ଭାରତବର୍ଷର ଶ୍ରେଷ୍ଠ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାର ସ୍ୱପ୍ନ ଦେଖିଥିଲେ ଓଡ଼ିଆ ମାଟିର ଏହି ଲୋକପ୍ରିୟ ଜନନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ। ଆଉ ସେ ଦିଗରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପି ଦେଇଥିଲେ । ସଂକୀର୍ଣ୍ଣ ଦଳୀୟ ରାଜନୀତିରୁ [...]

Admin•March 5, 2024
Share Article:

ବିଜୟାନନ୍ଦ ପଟ୍ଟନାୟକ । ସାଧାରଣଲୋକଙ୍କ ପାଇଁ ପ୍ରିୟ ବିଜୁ ବାବୁ । ସର୍ବକାଳୀନ ମହାନ ଜନନାୟକଙ୍କ ମଧ୍ୟରେ ଅନ୍ୟତମ । ଓଡ଼ିଆ ସ୍ୱାଭିମାନ ଓ ଆଦର୍ଶର ପ୍ରତୀକ ହେଉଛନ୍ତି ବିଜୁ ପଟ୍ଟନାୟକ । ଓଡ଼ିଶାକୁ ଭାରତବର୍ଷର ଶ୍ରେଷ୍ଠ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାର ସ୍ୱପ୍ନ ଦେଖିଥିଲେ ଓଡ଼ିଆ ମାଟିର ଏହି ଲୋକପ୍ରିୟ ଜନନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ। ଆଉ ସେ ଦିଗରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପି ଦେଇଥିଲେ । ସଂକୀର୍ଣ୍ଣ ଦଳୀୟ ରାଜନୀତିରୁ ସର୍ବଦା ଉପରକୁ ଉଠି ନିଃସ୍ୱାର୍ଥପର ଭାବେ ତୃଣମୂଳ ସ୍ତରରେ ଲୋକଙ୍କ ସହ ରହି ବାକୁ ଭଲ ପାଉଥିବା ବ୍ୟକ୍ତି ଥିଲେ ବିଜୁ ପଟ୍ଟନାୟକ। ସତରେ ସେ ଏକ ବିରଳ ବ୍ୟକ୍ତିତ୍ବ। ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଏହି ଯୋଗଜନ୍ମା ପୁରୁଷ। ଦୁଃସାହସୀ ସ୍ୱାଧୀନତା ସଂଗ୍ରାମୀ , ଜାତୀୟତାବାଦୀ ରାଜନେତା, କିଙ୍ଗ ମେକର୍ ଓ ବିକାଶର ଯୁଗ ପ୍ରବର୍ତ୍ତନ ଓ ମହାନ ରାଷ୍ଟ୍ରନେତା ଥିଲେ ବିଜୁ ପଟ୍ଟନାୟକ। ଓଡ଼ିଶାର ଏହି ମହାନ ଚିର ଲୋକପ୍ରିୟ ମହାନ ଜନନାୟକଙ୍କ ଆଜି ଜନ୍ମତିଥି। ସେ ଥିଲେ ଆଜି ୧୦୮ ବର୍ଷ ବୟସରେ ପଦାର୍ପଣ କରିଥାନ୍ତେ।

ନବ ଉତ୍କଳର ଅନ୍ୟତମ ପୁରୋଧା କଳିଙ୍ଗବୀର ବିଜୁ ପଟ୍ଟନାୟକ ଜନନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି । ବିଜୁବାବୁଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି । ବେଶ୍ ଘଟଣା ବହୁଳ ଥିଲା ବିଜୁବାବୁଙ୍କ ଜୀବନ ।

ରାଜ୍ୟ ଓ ଜାତୀୟ ସ୍ତରରେ ଜଣେ ସଫଳ ଓ ପ୍ରଭାବଶାଳୀ ରାଜନେତା ଭାବେ ସ୍ୱୀକୃତ ହେବା ଆଗରୁ ବିଜୁ ପଟ୍ଟନାୟକ ଜଣେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ସାହସୀ ଲଢୁଆ ପାଇଲଟ ଭାବେ ଦେଶବିଦେଶରେ ପରିଚିତ ହୋଇସାରିଥିଲେ। ବିଜୁବାବୁଙ୍କ ରାଜନୀତି ସହ ତାଙ୍କ ପାଇଲଟ ଜୀବନ ସଂପର୍କରେ ବି ସର୍ବଦା ସମାନ ଭାବେ ଚର୍ଚ୍ଚା ହୋଇ ଆସିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ୧୯୪୮ ମସିହାରେ ପାକିସ୍ତାନ ବିରୋଧରେ କାଶ୍ମୀର ଯୁଦ୍ଧ ବେଳେ ପାଇଲଟ ଭାବେ ବିଜୁବାବୁଙ୍କ ଅଦମ୍ୟ ସାହସ କିଏ ବା ଭୁଲିପାରିବ ? କୁହାଯାଏ ଯେ, ଯଦି ବିଜୁ ପଟ୍ଟନାୟକ ସାହସର ସହ ଭାରତୀୟ ସେନାର ଯବାନମାନଙ୍କୁ ଶ୍ରୀନଗରରେ ପହଂଚାଇ ନଥାନ୍ତେ, ତାହା ହେଲେ ଆଜି ବୋଧହୁଏ ଜାମ୍ମୁ ଓ କାଶ୍ମୀର ପାକିସ୍ତାନ କବଜାରେ ଥାଆନ୍ତା ।

ଆଜି ଜୟନ୍ତୀରେ ଆମେ ବିଜୁବାବୁଙ୍କ ସାହସୀ ପାଇଲଟ ଜୀବନ ସଂପର୍କରେ ଆଲୋକପାତ କରିବା ।

ରେଭେନସା କଲେଜରେ ପାଠ ପଢୁଥିବା ବେଳେ ବିଜୁବାବୁଙ୍କୁ ଘାରିଥିଲା ପାଇଲଟ ହେବା ନିଶା। ତେଣୁ କଲେଜ ଛାଡି ସେ ନେଇଥିଲେ ପାଇଲଟ ପ୍ରଶିକ୍ଷଣ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ବେଳକୁ ତତ୍କାଳୀନ ବ୍ରିିଟିଶ ଇଣ୍ଡିଆର ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ ବିଜୁ ପଟ୍ଟନାୟକ । ଏୟାର ଟ୍ରାନ୍ସପୋର୍ଟ କମାଣ୍ଡ୍‌ର ମୁଖ୍ୟ ହୋଇଥିଲେ ବିଜୁ ପଟ୍ଟନାୟକ । ପାଇଲଟ ଜୀବନର ଆଦ୍ୟ ଭାଗରେ ଜାତୀୟତାବାଦୀ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ବିଜୁ ବାବୁ । ବ୍ରିଟିଶ ସରକାରଙ୍କ ଅଧିନରେ ବର୍ମାରେ କାର୍ଯ୍ୟରତ ଭାରତୀୟ ଯବାନଙ୍କୁ ଜାତୀୟତାବାଦୀ ଲିଫଲେଟ୍ ବାଂଟିବା ଅଭିଯୋଗରେ ଜେଲ୍ ବି ଯାଇଥିଲେ ବିଜୁ ବାବୁ ।

ଭାରତୀୟ ଯବାନଙ୍କୁ ନେଇ ଶ୍ରୀନଗରକୁ ସାହସିକ ବିମାନ ଯାତ୍ରା

୧୯୪୭ରେ ଦେଶ ସ୍ୱାଧୀନ ହେଲା ପରେ ବି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ସୃଷ୍ଟି ହୋଇଥିଲା ରାଜନୈତିକ ଅଚଳାବସ୍ଥା । ଦେଶ ବିଭାଜନ ପରେ ନବଗଠିତ ପାକିସ୍ତାନ ଜାମ୍ମୁ ଓ କାଶ୍ମୀରକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲା । ୧୯୪୮ରେ ଯେତେବେଳେ ପାକିସ୍ତାନୀ ଆକ୍ରମଣକାରୀ କାଶ୍ମୀର ଅଧିକାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ସେତେବେଳେ ବିଜୁ ପଟ୍ଟନାୟକ ପାଇଲଟ ଭାବେ କାର୍ଯ୍ୟରତ ଥିଲେ । ଡାକୋଟା ଡିସି-୩ ବିମାନ ଉଡାଉଥିଲେ ବିଜୁ ବାବୁ । ଜଣେ ଦୁଃସାହସୀ ଓ ପ୍ରବୀଣ ପାଇଲଟ ଭାବେ ଜାତୀୟ ଓ ଆନ୍ତର୍ଜାତିକ ପ୍ରସିଦ୍ଧି ହାସଲ କରିସାରିଥିଲେ ବିଜୁ ବାବୁ ।

୧୯୪୮ ମସିହା ଅକ୍ଟୋବର ୨୭ ତାରିଖ । ସେହି ଦିନ ବିଜୁବାବୁ ଶ୍ରୀନଗର ବିମାନବନ୍ଦର ଅଭିମୁଖେ ଉଡାଣ ଭରିଲେ । ତାଙ୍କ ସହ ଥିଲେ ଶିଖ ରେଜିମେଂଟ୍‌ର ଯବାନ । ପାକ୍ ଅନୁପ୍ରବେଶକାରୀଙ୍କ ବିରୋଧରେ ଲଢିବାକୁ ସେମାନଙ୍କୁ ଶ୍ରୀନଗର ପଠାଯାଇଥିଲା । ସେ ନିଜ ବିମାନକୁ ବିମାନବନ୍ଦରର ଅତି ନିକଟରେ ଉଡାଇଥିଲେ । ସେଠାରେ ଶତ୍ରୁଙ୍କ ଉପସ୍ଥିତି ରହିଛି କି ନାହିଁ , ତାହା ଜାଣିବାକୁ ଏପରି କରିଥିଲେ ବିଜୁ ବାବୁ। ଡିସି-୩ ଭଳି ବିମାନକୁ ବିମାନବନ୍ଦରର ଅତି ନିକଟରେ ଉଡାଇବା ଥିଲା ଅତି ବିପଜ୍ଜନକ କାମ । କିନ୍ତୁ କୈ।ଣସି ଆହ୍ବାନ ଆଗରେ କେବେ ବି ହାର ମାନି ନଥିବା ବିଜୁ ବାବୁ ସୁରକ୍ଷିତ ଭାବେ ବିମାନକୁ ଅବତରଣ କରିଥିଲେ । ଏହାପରେ ଭାରତୀୟ ସୈନ୍ୟମାନେ ଅନୁପ୍ରବେଶକାରୀଙ୍କୁ ସଫଳତାର ସହ ତଡିଥିଲେ ।

ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର ଅଭିଯାନ

ଏକ ଲଢୁଆ ପାଇଲଟ ଭାବେ ବିଜୁ ପଟ୍ଟନାୟକ ଭାରତ ସହ ଅନ୍ୟ କିଛି ଦେଶରେ ବି ବିପଦପୂର୍ଣ୍ଣ ଅପରେସନ ସଫଳତାର ସହ ସଂପାଦନ କରିଥିଲେ । ଏପରି ଏକ ଅଭିଯାନରେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ନେତା ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍ ଶାସକଙ୍କ କବଳରୁ ରକ୍ଷା କରିଥିଲେ । ଆଉ ଏହି ଅଦମ୍ୟ ବୀରତ୍ୱ ଓ ସାହସିକତା ପାଇଁ ଇଣ୍ଡୋନେସିଆ ବିଜୁ ବାବୁଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା । କଥା ହେଉଛି , ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଡଚ୍ ଶାସନ ବିରୋଧରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ କରିଥିଲେ । ତେଣୁ ଇଣ୍ଡୋନେସିଆର କିଛି ପ୍ରମୁଖ ନେତା ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍ ଷଡଯନ୍ତ୍ରକାରୀଙ୍କ କବଳରୁ ମୁକ୍ତ କରିବା ଦାୟିତ୍ୱ ବିଜୁ ପଟ୍ଟନାୟକଙ୍କ ଉପରେ ନ୍ୟସ୍ତ କରିଥିଲେ ପଣ୍ଡିତ ନେହରୁ । ଏହି ଅଭିଯାନ ଥିଲା ଅତି ଦୁଃସାହସିକ ଓ ଆହ୍ୱାନମୂଳକ । କିନ୍ତୁ ପଛଘୁଂଚା ଦେଇ ନ ଥିଲେ ବିଜୁବାବୁ । ସ୍ୱାଧୀନତାର ମୂଲ୍ୟ କ’ଣ ସେ ବି ଅଙ୍ଗେ ନିଭାଇଥିଲେ । ନେହେରୁଙ୍କ ନିର୍ଦ୍ଦେଶ ପରେ ବିଜୁ ବାବୁ ଏହି ଡେୟାରିଂ ମିଶନରେ ବାହାରିପଡିଲେ । ଜାଭା ଅଭିମୁଖେ ଉଡାଣ ଭରିଥିଲେ । ଡଚ୍ ସେନାକୁ ଚକମା ଦେଇ ଇଣ୍ଡୋନେସିଆ ବାୟୁସୀମା ଅତିକ୍ରମ କରି ଜାକର୍ତ୍ତା ନିକଟସ୍ଥ ଏକ ଅସ୍ଥାୟୀ ଏୟାରଷ୍ଟ୍ରିପରେ ନିଜ ବିମାନକୁ ଅବତରଣ କରିଥିଲେ । ଏକ ପରିତ୍ୟକ୍ତ ଜାପାନୀ ସାମରିକ ଡମ୍ପ୍‌ରୁ ବଳକା ଇନ୍ଧନ ଭର୍ତ୍ତି କରି ଇଣ୍ଡୋନେସିଆର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସୁଲତାନ ସାହରିର, ସୁକାର୍ଣ୍ଣୋ ଓ ଅନ୍ୟମାନଙ୍କୁ ନେଇ ସିଙ୍ଗାପୁର ଦେଇ ସୁରକ୍ଷିତ ଭାବେ ନୂଆଦିଲ୍ଲୀ ଆଣିଥିଲେ । ଏହି ଦୁଃସାହସୀ ଅଭିଯାନରେ ବିଜୁ ବାବୁଙ୍କ ପତ୍ନୀ ବି ତାଙ୍କ ସହ ଥିଲେ । ସେତେବେଳେ ପୁଅ ନବୀନ ମାତ୍ର ଗୋଟିଏ ମାସର ଛୁଆ ଥିଲେ ।

ଅଦମ୍ୟ ସାହସ ଓ ବୀରତ୍ୱର ଏହି ଉଲ୍ଲେଖନୀୟ ‘ରେସକ୍ୟୁ ମିଶନ’ ପାଇଁ ବିଜୁବାବୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲା ସାରା ଇଣ୍ଡୋନେସିଆ । ବିଜୁବାବୁଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ସୁକାର୍ଣ୍ଣୋ ସ୍ୱାଧୀନ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ସାହସିକତାର ଅପୂର୍ବ ନିଦର୍ଶନ ପାଇଁ ବିଜୁ ବାବୁଙ୍କୁ ସେ ଦେଶର ଆଜୀବନ ନାଗରିକତ୍ୱ ଦିଆଯାଇଥିଲା । ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ‘ଭୂମିପୁତ୍ର’ ସମ୍ମାନରେ ବି ସମ୍ମାନିତ କରାଯାଇଥିଲା ।

ନିଜ ସ୍ୱାଧୀନତା ପ୍ରାପ୍ତିର ୫୦ତମ ବାର୍ଷିକୀ ଉପଲକ୍ଷେ ବିଜୁବାବୁଙ୍କ ସ୍ମରଣ କରିଥିଲା ଇଣ୍ଡୋନେସିଆ। ଏହି ଅବସରରେ ବିଜୁବାବୁଙ୍କୁ ସେ ଦେଶର ସରକାର ‘ବିନତାଙ୍ଗ୍ ଜାସୁ ଉତମା’ ଜାତୀୟ ସମ୍ମାନରେ ସମ୍ମାନିତ କରିଥିଲେ ।

ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ୨୦୨୧ ମସିହାରେ ନୂଆଦିଲ୍ଲୀରେ ଥିବା ଇଣ୍ଡୋନେସିଆ ଦୂତାବାସର ଏକ କକ୍ଷ ତାଙ୍କ ନାମରେ ନାମିତ କରାଯାଇଛି ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ। 

#Odia#Odisha#News
Share Article:

Related Articles