News Room Odisha
BREAKING
Odia

ଶ୍ରୀମନ୍ଦିରରେ ଦୟଣା ଚୋରୀ ନୀତି ସମ୍ପର୍ଣ୍ଣ

ଶ୍ରୀମନ୍ଦିରରେ ଦୟଣା ଚୋରୀ ନୀତି ସମ୍ପର୍ଣ୍ଣ : ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ ଦକ୍ଷିଣ ଘର ଭୋଗ ଶେଷ ପରେ ରାମକୃଷ୍ଣଙ୍କୁ ସିଂହାସନକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଗତଦିନ ଅଧିବାସ ହୋଇଥିବା କନ୍ଦର୍ପ ପଟିକୁ ମହାଜନେ ବିଜେ କରାଇ ଘଣ୍ଟା, ଛତା, କାହାଳୀ ସହ ବଟଗଛ ମୂଳରେ ପାଲିଙ୍କି ଆଗରେ ବିଜେ କରାଇଥିଲେ। ରାମକୃଷ୍ଣ ପାଲିଙ୍କିରେ ବିଜେ ହେବା ପରେ ବିମାନ ବଡୁମାନେ ଘଣ୍ଟ, ଛତା, କାହାଳୀ ସଙ୍ଗରେ କନ୍ଦର୍ପ ପଟି ଆଗରେ ଥାଇ [...]

Admin•April 23, 2024
Share Article:

ଶ୍ରୀମନ୍ଦିରରେ ଦୟଣା ଚୋରୀ ନୀତି ସମ୍ପର୍ଣ୍ଣ :

ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଦିନ ଦକ୍ଷିଣ ଘର ଭୋଗ ଶେଷ ପରେ ରାମକୃଷ୍ଣଙ୍କୁ ସିଂହାସନକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଗତଦିନ ଅଧିବାସ ହୋଇଥିବା କନ୍ଦର୍ପ ପଟିକୁ ମହାଜନେ ବିଜେ କରାଇ ଘଣ୍ଟା, ଛତା, କାହାଳୀ ସହ ବଟଗଛ ମୂଳରେ ପାଲିଙ୍କି ଆଗରେ ବିଜେ କରାଇଥିଲେ।

ରାମକୃଷ୍ଣ ପାଲିଙ୍କିରେ ବିଜେ ହେବା ପରେ ବିମାନ ବଡୁମାନେ ଘଣ୍ଟ, ଛତା, କାହାଳୀ ସଙ୍ଗରେ କନ୍ଦର୍ପ ପଟି ଆଗରେ ଥାଇ ରାମକୃଷ୍ଣଙ୍କୁ ପାଲିଙ୍କିରେ ନେଇ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ। ସେଠାରେ ମହାଜନମାନେ ରାମକୃଷ୍ଣଙ୍କୁ ଖଟ ଉପରେ ବିଜେ କରାଇବା ପରେ କନ୍ଦର୍ପ ପଟି ଦିଅଁଙ୍କ ଆଗରେ ବିଜେ କରାଯାଏ। ଏଠାରେ ବିଧିପୂର୍ବକ ହୋମ, ଭୋଗ ଓ ବନ୍ଦାପନା ଅନୁଷ୍ଠିତ ହୋଇଥିଲା। ରାମ ଓ କୃଷ୍ଣ ନିଃଶବ୍ଦରେ ସୁଗ୍ରୀବ ହନୁମାନ ଙ୍କ ଆଗରେ ଥିବା ଉଦ୍ୟାନକୁ ଯାଇ ଦୟଣାଚୋରି କରିଥିଲେ। ଭିତରଚ୍ଛ ମହାପାତ୍ର ରାମକୃଷ୍ଣଙ୍କ ଶ୍ରୀହସ୍ତରେ ଦୁଇଗଛ ଦୟଣାଲାଗି କରାଇଥିଲେ। ବାକି ଚାରିଗଛ ଦୟଣାପତ୍ରି ନୂଆ ତାଡ଼ରେ ରଖି ଖଣ୍ଡୁଆ ଘୋଡ଼ାଇ ରାମକୃଷ୍ଣଙ୍କ ସହିତ ପାଲିଙ୍କିକୁ ଆସିଥିଲେ। ବାହୁଡ଼ା ବିଜେ ହୋଇ ଶ୍ରୀମନ୍ଦିର ବଟମୂଳେ ପାଲିଙ୍କି ରଖାଯିବା ପରେ ତତ୍ ପୂର୍ବରୁ ଭୋଗମଣ୍ଡପ ଘରେ ଧୋପଖାଳ ହୋଇ ଚାନ୍ଦୁଆ ଟଣା ହୋଇଥିଲା। ଚାନ୍ଦୁଆ ତଳେ ବାଲିବନ୍ଧ ଉପରେ ଦୟଣା, ମରୁଆ ସୁବାସ ଗଛମାନ ଲଗାଯାଇଥିଲା। ଗରୁଡ଼ ଦ୍ୱାର ଠାରେ ମହାଜନେ ରାମ ଓ କୃଷ୍ଣଙ୍କୁ ଶ୍ରୀହସ୍ତରେ ଲାଗି ହୋଇ ରହିଥିବା ଦୟଣାଗଛ ମଇଲମ କରନ୍ତି ଓ ଦୟଣାପତ୍ରି ଉକ୍ତ ଗଛମାନଙ୍କୁ ତାଡ଼ରେ ରଖିଥିଲେ।

ବଡ଼ସିଂହାର ଭୋଗ ପରେ ମଦନମୋହନ ଠାକୁର ଭିତରକୁ ବିଜେ କରିବା ଉତ୍ତରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଆଜ୍ଞାମାଳ ପାଇଲା ପରେ ଭୋଗମଣ୍ଡପ ଘରେ ପଡ଼ିଥିବା ଶେଯ ଉପରେ ବିଜେ କରିଥିଲେ। ବିଜେ ପରେ ମହାଜନେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କ ହାତରେ ତିନୋଟି ଦୟଣାଗଛ ବାନ୍ଧି ଦିଅନ୍ତି। ସେମାନଙ୍କ ଆଗରେ ଆଉ ତିନୋଟି ଦୟଣାଗଛକୁ ତିନୋଟି ଚାଙ୍ଗୁଡ଼ିରେ ରଖାଯାଇଥିଲା। ପୂଜାପଣ୍ଡା ଚେମେଡ଼ି ପତନି ଫୁଲଚନ୍ଦନ ଦେଇ ମଣ୍ଡଳ ଉପରେ ତିନୋଟି ଚାଙ୍ଗୁଡ଼ି ରଖିଥିଲେ। ଏହାପରେ ପାଣିପଡ଼ି, ଶୀତଳ ଭୋଗ ବଢାଯାଇ ପଞ୍ଚ ଉପଚାରରେ ମଣୋହି ହୋଇଥିଲା। ଭୋଗମଣ୍ଡପ ଘର ଦ୍ୱାରମାନଙ୍କୁ ତଡ଼ଉକରଣ ମୁଦ ଦେଇଥିଲେ। ଏହାପରେ ଭିତର ବଡ଼ସିଂହାର ଭୋଗ ଓ ପହୁଡ଼ ଆଳତୀ ନୀତି ବଢିଥିଲା।

#Odia#Odisha#News
Share Article:

Related Articles