News Room Odisha
BREAKING
Odia

ମାଲକାନଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ନବୀନ ଇଞ୍ଜିନ କେବେ ବି ଫେଲ ମାରିନାହିଁ

ଭୁବନେଶ୍ୱର – ବରିଷ୍ଠ ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ [...]

Admin•April 29, 2024
Share Article:

ଭୁବନେଶ୍ୱର – ବରିଷ୍ଠ ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି। ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା’ ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, ବିଏସକେୱଆଇ ବନ୍ଦ କରିଦେବେ। ଆପଣମାନେ ସତର୍କ ରୁହନ୍ତୁ।

ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ।

ମାଲକାନଗିରିରେ ସେ କହିଥିଲେ ଯେ ଏଠି ଆପଣଙ୍କ ଜଣେ ବିଧାୟକ ଅଛନ୍ତି, ଯାହାକୁ ଆପଣ ଦେଖିବାକୁ ପାଉ ନାହାନ୍ତି। ଏମିତି ଲୋକ ଆପଣଙ୍କ ଦରକାର, ନା ଆପଣଙ୍କ ସହିତ ଦିନରାତି ରହି ଆପଣଙ୍କ ସୁଖଦୁଃଖର ସାଥି ହେବ, ସେ ଲୋକ ଦରକାର । ଆପଣ ନିର୍ଣ୍ଣୟ କରନ୍ତୁ ।

ପଡୋଶୀ ଛତିଶଗଡର ଉଦାହରଣ ଦେଇ ସେ କହିଲେ ଯେ ଦେଖନ୍ତୁ ସେଠାରେ ବାରମ୍ବାର ଡବଲ ଇଞ୍ଜିନ ସିଙ୍ଗଲ ଇଞ୍ଜିନ ଚାଲିଛି, କିନ୍ତୁ ଶାନ୍ତି ନାହିଁ। ସବୁବେଳେ ବମ୍‌ ଫୁଟୁଛି। ନବୀନ ବାବୁଙ୍କ ନେତୃତ୍ବ ଓ କଠିନ ପରିଶ୍ରମରେ ମାଲକାନଗିରିରେ ଶାନ୍ତି ଫେରିଛି। ଶାନ୍ତି ଆସିଲେ ପ୍ରଗତି ଆସିବ ଉନ୍ନତି ଆସିବ। ପୁଞ୍ଜି ଆସିବ, ପିଲା ନିଯୁକ୍ତି ପାଇବେ

ମାଲକାନଗିରିର ଏକ ବିଶାଳ ଅଞ୍ଚଳ ଦିନେ କଟ୍‌ଅଫ୍‌ ଅଞ୍ଚଳ ଭାବେ ପରିଚିତ ଥିଲା । ଏବେ କିନ୍ତୁ ତାର ନୂଆ ପରିଚୟ ହୋଇଛି ସ୍ବାଭିମାନ ଅଞ୍ଚଳ। ଏଠାରେ ରୂପାନ୍ତର ଆସିଛି, ବିକାଶର ଧାରା ଜୋରଦାର ହୋଇଛି। ବିରୋଧୀ ଆଖି ଖୋଲି ଦେଖନ୍ତୁ, ବିକାଶ କିପରି ହୁଏ। ମାଲକାନଗିରି ହେଉଛି ତାର ସାକ୍ଷୀ। ଦିନ ଥିଲା ମାଲକାନଗିରିରେ ସାଇକେଲ ଖଣ୍ଡିଏ ଗଡୁ ନ ଥିଲା, ଆଜି ଉଡାଜାହାଜ ଉଡୁଛି।

ମୁଖ୍ୟମନ୍ତ୍ରୀ ତାଙ୍କ ବିଶାଳ ହୃଦୟରେ ଜନଜାତିମାନଙ୍କୁ ସବୁଠାରୁ ବଡ ସ୍ଥାନ ଦେଇଛନ୍ତି । ଜନଜାତିମାନଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡିଶାରେ ହିଁ ହୋଇଛି। ୫ ଲକ୍ଷରୁ ଅଧିକ ଜନଜାତି ଝିଅମାନେ ପାଠ ପଢି ବାପମାଙ୍କ ସ୍ବପ୍ନ ପୂରଣ କରୁଛନ୍ତି। ଜନଜାତି ଭାଷା, ସଂସ୍କୃତି, ପୂଜାସ୍ଥଳୀ, ଜାହିରାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି।

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ସବୁଠୁ ବେଶି ଭଲ ପାଆନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସବୁ ବଡ ବଡ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଛନ୍ତି, ଦୁଇ ଟଙ୍କିଆ ଚାଉଳ, ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ଯୋଜନା – ସବୁକିଛି ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ତାଙ୍କ ନିର୍ଦ୍ଦେଶରେ ସେ ଆଜି ଆପଣଙ୍କୁ ସବୁ କାମର ହିସାବ ଦେଉଛି।

ସେ କହିଥିଲେ, ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭ କୋଟି ଟଙ୍କାର କାମ ଚାଲିଛି। ଲକ୍ଷ୍ମୀ ବସ୍‌ ଯୋଜନାରେ ଜିଲ୍ଲାର ୪.୫୦ ଲକ୍ଷ ଉପକାର ପାଇଛନ୍ତି। ଜିଲ୍ଲାର ସବୁ ହାଇସ୍କୁଲର ୫ଟି ରୂପାନ୍ତର କରାଯାଇଛି । ମଲ୍ଲିକେଶ୍ବର ମନ୍ଦିର ଓ ରାସ୍ତା ପାଇଁ ୨.୯୦ କୋଟି, ହରିଚାନ୍ଦ ଆଶ୍ରମ ପାଇଁ ୧.୨୮ କୋଟି, ନରନାରାୟଣ ଆଶ୍ରମ ପାଇଁ ଜମିପଟ୍ଟା ଦିଆଯିବା ସହିତ ୪୮ ଲକ୍ଷ ଟଙ୍କାର ବିକାଶ କାମ, ମନ୍ୟମକୁଣ୍ଡା ଗୁମ୍ଫା ବିକାଶ ପାଇଁ ୧ କୋଟି, ମା ଭରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ଆଶ୍ରମ ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ। ପୁରୁଣା ମାଲକାନଗିରିରୁ ମୋଟୁ ରାସ୍ତା ପାଇଁ ୧୬.୪୩ କୋଟି, ପୋଲୁରୁ ରୁ କୃଷ୍ଣପାଲି ରାସ୍ତା ପାଇଁ ୧୩ କୋଟି, ଭୁବନପାଲିରୁ କୁନାପାଲି ରାସ୍ତା ପାଇଁ ୯ କୋଟି, କୋଟାଗୁଡାରୁ ଆଲ୍‌ମା ରାସ୍ତା ପାଇଁ ୭.୬୦ ଲକ୍ଷ, ଏମ୍‌.ଭି-୬୧ରୁ କୁର୍ତ୍ତୀ ରାସ୍ତା ପାଇଁ ୫ କୋଟି, ମୁରଲିଗୁଡାରୁ ପେଟା ପର୍ଯ୍ୟନ୍ତ ୫ କୋଟି, ସତୀଗୁଡା ଡ୍ୟାମ ପାଇଁ ୨ କୋଟି ଟଙ୍କା।

ଚିତ୍ରକୋଣ୍ଡାରେ ବିକାଶର ଚିତ୍ର ଦେଖାଇ ସେ କହିଥିଲେ ଯେ ଚିତ୍ରକୋଣ୍ଡା ଓ କରୋକୁଣ୍ଡା ବ୍ଲକ୍‌ର ୧୮ଟି ପଞ୍ଚାୟତରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଲୋକଙ୍କ ସାମାଜିକ ଓ ଆର୍ଥିକ ରୂପାନ୍ତର କାମ ଚାଲିଛି। ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪୦୦୦ କୋଟି ଟଙ୍କା। ଗୋବିନ୍ଧପାଲୀ ଜଗନ୍ନାଥ ମନ୍ଦିର, ଦାମଲଦେଇ ମନ୍ଦିର, ୧୦ଟି ମହିମା ଆଶ୍ରମ, ଶିବ ମନ୍ଦିର, ମା କାଣିବୁଢୀ ମନ୍ଦିର ଆଦି ସବୁ ମନ୍ଦିରର ଉନ୍ନତିକରଣ ପାଇଁ ୨.୧୦ କୋଟି ଟଙ୍କା, ଆଦିବାସୀ ସମାଜ ଭବନ ପାଇଁ ୫୦ ଲକ୍ଷ, ଚିତ୍ରକୋଣ୍ଡାରେ ୧୦୦ ଶଯ୍ୟାବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ପାଇଁ ୫୦ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କାଳିଆଗଡ ନଳା ଉପରେ ସେତୁ ପାଇଁ ୧୬ କୋଟି, ମାଥିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୫ କୋଟି ୫୦ ଲକ୍ଷ, ହନ୍ତାଳଗୁଡା ପର୍ଯ୍ୟଟନ ପାଇଁ ୭୬ ଲକ୍ଷ, ୨୬ଟି ଗ୍ରାମପଞ୍ଚାୟତରେ ପାଇପ ପାଣି ପାଇଁ ୩୨୦ କୋଟି ଟଙ୍କା ଏବଂ ବଡପଡା ଓ ପେପରମେଟଲାର ୨୪ଟି ଗାଁରେ ପାଇପ ପାଣି ପାଇଁ ୨୦ କୋଟି ଟଙ୍କା।

ଶେଷରେ ସେ ୯୫ ପ୍ରତିଶତ ଭୋଟ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଥିଲେ । ଡବଲ ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ।

#Odia#Odisha#News
Share Article:

Related Articles