News Room Odisha
BREAKING
Odia

ନିର୍ବାଚନୀ ହିଂସା ରୋକିବାକୁ ତତ୍ପର ଗଞ୍ଜାମ ପୋଲିସ: ରାତ୍ର କଟକଣା ଲାଗୁ

ଛତ୍ରପୁର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ନିର୍ବାଚନ ଫଳ ଘୋଷଣା ଦିନ ପାଖେଇ ଆସିଛି। ଏଭଳି ସ୍ଥିତିରେ ଗଞ୍ଜାମ ପୋଲିସ ଜିଲ୍ଲା ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳରେ ସମ୍ଭାବ୍ୟ ନିର୍ବାଚନୀ ହିଂସା ରୋକିବାକୁ ତତ୍ପର ହୋଇ ଉଠିଛି ପୋଲିସ। ଅପରାଧୀ ତତ୍ତ୍ବଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସେହିପରି ବିଭିନ୍ନ ଥାନା ଇଲାକାରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖଲ୍ଲିକୋଟ ଭଳି ଯେଉଁ [...]

Admin•May 25, 2024
Share Article:

ଛତ୍ରପୁର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ନିର୍ବାଚନ ଫଳ ଘୋଷଣା ଦିନ ପାଖେଇ ଆସିଛି। ଏଭଳି ସ୍ଥିତିରେ ଗଞ୍ଜାମ ପୋଲିସ ଜିଲ୍ଲା ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳରେ ସମ୍ଭାବ୍ୟ ନିର୍ବାଚନୀ ହିଂସା ରୋକିବାକୁ ତତ୍ପର ହୋଇ ଉଠିଛି ପୋଲିସ। ଅପରାଧୀ ତତ୍ତ୍ବଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସେହିପରି ବିଭିନ୍ନ ଥାନା ଇଲାକାରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖଲ୍ଲିକୋଟ ଭଳି ଯେଉଁ ଅଞ୍ଚଳରେ ନିର୍ବାଚନୀ ହିଂସା ଘଟିଥିଲା ସେଠାରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପୁଣି ଫ୍ଲାଗ ମାର୍ଚ୍ଚ କରିବାକୁ କହିଛନ୍ତି ଏସପି।

ଅପରପକ୍ଷରେ ବିଳମ୍ବିତ ସନ୍ଧ୍ୟାରେ ହିଂସା ଘଟୁଥିବାରୁ ତାହାକୁ ରୋକିବା ଉଦ୍ଦେଶ୍ୟରେ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ଗଞ୍ଜାମ ଏସପି। ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଆଜିଠାରୁ ରାତ୍ରୀକାଳୀନ କଟକଣା ଜାରି କରାଯାଇଛି। ଧରାକୋଟ ଥାନା ଅନ୍ତର୍ଗତ ଗ୍ରାମାଞ୍ଚଳ ଇଲାକାରେ ରାତି ୮ଟା ପରେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରାତି ୮ଟା ୩୦ ପରେ, ଭଞ୍ଜନଗର ଥାନା ଅଧୀନ ଅଞ୍ଚଳରେ ରାତି ୯ଟା ପରେ ଦୋକାନ ବଜାର, ଢାବା, ମଦ ଦୋକାନ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ପରଦିନ ଅର୍ଥାତ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏ ନେଇ ପୋଲିସ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ଥାନା ଇଲାକାରେ ଘୋଷଣା କରାଯାଇ ଜନସାଧାରଣଙ୍କୁ ଅବଗତ କରାଯାଇଛି।

#Odia#Odisha#News
Share Article:

Related Articles