News Room Odisha
BREAKING
Odia

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ

ଭୁବନେଶ୍ୱର – ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଓସ୍କାନ୍ ହଲ୍‌ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ରାଜ୍ୟର ସମସ୍ତ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ର କାର୍ଯ୍ୟର ସମୀକ୍ଷା କରିଥିଲେ । ସମସ୍ତ ସର୍କଲ ଓ ଡିଭିଜନ୍‌ର ବିଭାଗୀୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇ ନିର୍ମାଣାଧୀନ ସମସ୍ତ [...]

Admin•June 27, 2024
Share Article:

ଭୁବନେଶ୍ୱର – ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଓସ୍କାନ୍ ହଲ୍‌ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ରାଜ୍ୟର ସମସ୍ତ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ର କାର୍ଯ୍ୟର ସମୀକ୍ଷା କରିଥିଲେ । ସମସ୍ତ ସର୍କଲ ଓ ଡିଭିଜନ୍‌ର ବିଭାଗୀୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକ ବିଷୟରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।

ସମୀକ୍ଷା ବୈଠକ ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ୨୦୨୪-୨୫ ଆର୍ଥକ ବର୍ଷର ପ୍ରଥମ ୧୦୦ ଦିନ ମଧ୍ୟରେ କାର୍ଯ୍ୟାନ୍ଵୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଉକ୍ତ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏହା ପରେ ଆଗାମୀ ୧୦୦ ଦିନ ମଧ୍ୟରେ କେଉଁ ସମସ୍ତ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ହେବ ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତିଟି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ସହ ନିର୍ମାଣର ଗୁଣବତ୍ତା ଉପରେ ଗୁରୁତ୍ଵ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।ଏଥି ସହିତ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ବାକି ରହିଥିବା ଟେଣ୍ଡର ପ୍ରକ୍ରିୟା ଯଦି କିଛି ରହିଥାଏ ତା’କୁ ଶେଷ କରିବାକୁ କହିଥିଲେ । ସେହିପରି ବିଜୁ ସେତୁ ଯୋଜନା ଅଧୀନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥ‌ିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆପ୍ରୋଚ ରୋଡଗୁଡିକୁ ଯଥା ସମୟରେ ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ନିର୍ବାହୀ ଯନ୍ତ୍ରୀମାନେ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ସମୟରେ କେଉଁ ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଇପାରୁଛି ସେଗୁଡିକୁ ଅନୁଧ୍ୟାନପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧-୨୨ ଆର୍ଥକ ବର୍ଷ ପୂର୍ବରୁ ବାକି ରହିଥ‌ିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧୀନରେ ଚାଲୁ ରହିଥ‌ିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଚାଲୁ ରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ବିଭାଗୀୟ ସଚିବ କହିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ଓ ସାମୟିକ ରକ୍ଷଣାବେକ୍ଷଣ ନିମନ୍ତେ ସମ୍ପୃକ୍ତ ସଂସ୍ଥାଗୁଡିକ ସହିତ ବୁଝାମଣା କରି କାର୍ଯ୍ୟ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ସମୟରେ ଜମି ଅଧିଗ୍ରହଣରେ ଉପୁଜୁ ଥିବା ସମସ୍ୟା, ବିଶେଷ କରି ଜଙ୍ଗଲ ଜମିଗୁଡିକ ପାଇଁ ଔପଚାରିକତା ସମ୍ପୂର୍ଣ୍ଣ କରି ବିଭାଗକୁ ଜଣାଇବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶୁଭଙ୍କର ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡ଼ାଙ୍କ ସମେତ ସମସ୍ତ ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ ।

#Odia#Odisha#News
Share Article:

Related Articles